ଛାତ୍ରଛାତ୍ରୀଙ୍କ ୭୫ ପ୍ରତିଶତ ଉପସ୍ଥାନ ନିୟମ କଡ଼ାକଡ଼ି : କ୍ଲାସ ନ କଲେ ଅଭିଭାବକଙ୍କୁ ଚିଠି
ଛାତ୍ରଛାତ୍ରୀଙ୍କ ୭୫ ପ୍ରତିଶତ ଉପସ୍ଥାନ ନିୟମ କଡ଼ାକଡ଼ି : କ୍ଲାସ ନ କଲେ ଅଭିଭାବକଙ୍କୁ ଚିଠି
admin
Aug 2, 2019 - 05:55
Updated: Aug 2, 2019 - 05:55
ଭୁବନେଶ୍ୱର: ବହୁତ ହୋଇଗଲା । ଛାତ୍ରଛାତ୍ରୀଙ୍କ ଲାଗି ଆଉ କୋହଳ ମନୋଭାବ ପୋଷଣ କରାଯିବ ନାହିଁ । ୭୫ ପ୍ରତିଶତ ଉପସ୍ଥାନ ନଥିଲେ ପରୀକ୍ଷା ଦେଇପାରିବେନି ଛାତ୍ରଛାତ୍ରୀ । ଯେଉଁ ଛାତ୍ରଛାତ୍ରୀ ନିୟମିତ ଭାବେ କ୍ଲାସରେ ଅନୁପସ୍ଥିତ ରହୁଥିବେ ସେମାନଙ୍କ ଅଭିଭାବକଙ୍କ ନିକଟକୁ ଚିଠି ପଠାଯିବ । ଏସଏମଏସ, ଫୋନ ଯୋଗେ ମଧ୍ୟ ଅବଗତ କରାଯିବ । ସେପ୍ଟେମ୍ବ ୭, ୧୪ ଓ ୨୧ ରେ ଯଥାକ୍ରମେ ଯୁକ୍ତ ୩ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ଅଭିଭାବକ-ଅଧ୍ୟାପକ ବୈଠକ ଅନୁଷ୍ଠିତ ହେବ । ଏଥିରେ ଛାତ୍ରଛାତ୍ରୀ କ୍ଲାସକୁ ଆସୁଛନ୍ତି କି ନାହିଁ ପାଠ ପଢ଼ୁଛନ୍ତି କି ନାହିଁ, ସେମାନେ କେତେଟା କ୍ଲାସ କରୁଛନ୍ତି ସେ ନେଇ ଅଭିଭାବକଙ୍କୁ ଅବଗତ କରାଯିବ । ଯଦି କୌଣସି ଅଭିଭାବକ ଅନୁପସ୍ଥିତ ରହନ୍ତି, ତେବେ ତାଙ୍କ ପିଲାଙ୍କ ଉପସ୍ଥାନ ସହ କ୍ୟାମ୍ପସର କାର୍ଯ୍ୟକଳାପ ନେଇ ଅଧ୍ୟକ୍ଷମାନେ ଚିଠି ମାଧ୍ୟମରେ ଜଣାଇବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ନୈରାଶ୍ୟଜନକ ହେଉଥିବାରୁ ଚଳିତ ଶିକ୍ଷାବର୍ଷ ଆରମ୍ଭରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ଯେ କ୍ଲାସରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ ପ୍ରତିଶତ ହେବା ଦରକାର । ଯେଉଁମାନେ ନିୟମିତ କ୍ଲାସ କରୁନାହାନ୍ତି, ସେମାନଙ୍କୁ ସେମିଷ୍ଟାର ପରୀକ୍ଷାରୁ ବାଦ୍ ଦିଆଯାଉ । ଏବେ ଦେଖାଯାଉଛି ଯେ ପିଲାମାନେ କ୍ୟାମ୍ପସକୁ ଆସୁଥିଲେ ମଧ୍ୟ କ୍ଲାସ କରୁନାହାନ୍ତି । କଳା, ବିଜ୍ଞାନ, ଅପେକ୍ଷା ବାଣିଜ୍ୟ ବିଭାଗର ଅଧିକ ପିଲା କ୍ଲାସ କରୁନାହାନ୍ତି । ସେମାନେ କ୍ଲାସ କରିବା ବଦଳରେ କୋଚିଂ ସେଣ୍ଟରରେ ଉପରେ ଫୋକସ କରୁଛନ୍ତି । ତେଣୁ କଲେଜ ଅଧ୍ୟକ୍ଷମାନେ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି ।
ଅନ୍ୟ ପକ୍ଷରେ ବାଣିଜ୍ୟ ବିଭାଗରେ ଏବେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଛି । ସ୍ଥିତି ଏମିତି ହେଲାଣି ଯେ ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ମଡେଲ ଡିଗ୍ରି କଲେଜରେ ବାଣିଜ୍ୟ ବିଭାଗରେ ବି ସିଟ୍ ଖାଲି ପଡ଼ିଛି । ସାମ୍ସ ୱେବସାଇଟ ତଥ୍ୟ କହୁଛି, ୨୦୧୮-୧୯ ଶିକ୍ଷାବର୍ଷରେ ଡିଗ୍ରି କଲେଜ ଗୁଡ଼ିକରେ ବାଣିଜ୍ୟ ବିଭାଗରେ ୩୧ ହଜାର ୪୪୭ ସିଟ୍ ରହିଥିଲା । ସେଥିମଧ୍ୟରୁ ୨୦ ହଜାର ୧୬ ସିଟ୍ ପୂରଣ ହୋଇଥିଲା । ୨୦୧୯-୨୦ରେ ଖାଲି ସିଟ୍ ସଂଖ୍ୟା ଆହୁରି ବଢ଼ିଛି । ଏଥର ୩୧ ହଜାର ୮୨୭ ସିଟ୍ ପାଇଁ ନାମଲେଖା ହେଉଛି ସେଥିମଧ୍ୟରୁ ଏବେ ସୁଦ୍ଧା ମାତ୍ର ୧୬ ହଜାର ୧୧୭ ସିଟ୍ ପୂରଣ ହୋଇଛି । ଆହୁରି ୧୫ ହଜାର ୭୧୯ ଅର୍ଥାତ ପ୍ରାୟ ୪୮ ପ୍ରତିଶତ ସିଟ୍ ବଳକା ରହିଛି । କଣ ପାଇଁ ବାଣିଜ୍ୟରେ ପିଲା କମୁଛନ୍ତି ତାହା ଉପରେ କଲେଜ କର୍ତ୍ତୃପକ୍ଷ ତର୍ଜମା କରିବା ସହ ଛାତ୍ରଛାତ୍ରୀ କିଭଳି କ୍ଲାସକୁ ଆସିବେ ଏବଂ କିପରି ଗୁଣାତ୍ମକ ଶିକ୍ଷା ମିଳିପାରିବ ସେଥିପ୍ରତି ଗୁରୁତ୍ୱ ଦେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ନିର୍ଦ୍ଦେଶ ଦେଇଛନ୍ତି ।