ଚୀନ ଟିକଟକର ବିକଳ୍ପ ଦେଶୀ ଚିଙ୍ଗାରି ।
ଚୀନ ଟିକଟକର ବିକଳ୍ପ ଦେଶୀ ଚିଙ୍ଗାରି ।
admin
Jun 30, 2020 - 10:05
Updated: Jun 30, 2020 - 10:05
ଭୁବନେଶ୍ୱର: ଚାଇନା ଉତ୍ପାଦକୁ ଭାରତରେ ବୟକଟ ପାଇଁ ଜନଆନ୍ଦୋଳନ ତେଜୁଥିବାରୁ ଚୀନ ସୋସିଆଲ ମିଡିଆ ଆପ ଟିକଟକ ଉପଭୋକ୍ତା ବହୁ ମାତ୍ରାରେ ଖସିବାରେ ଲାଗିଛି । ଅପରପକ୍ଷରେ ଭାରତରେ ଦେଶୀ ଆପ ଚିଙ୍ଗାରି ଏବେ ଟିକଟକର ସ୍ଥାନ ନେବାରେ ଲାଗିଛି ।
ଚିଙ୍ଗାରି ଆପକଚ ଓଡ଼ିଆ ପୁଅ ତଥା ଆଇଟିଇଆର ଇଞ୍ଜିନିୟରିଂ କଲେଜର ପୂର୍ବତନ ଛାତ୍ର ବିଶ୍ୱାତ୍ମା ନାୟକ ଓ ତାଙ୍କ ବାଙ୍ଗାଲୋର ସାଥୀ ସିଦ୍ଧାର୍ଥ ଗୌତମ ବିକାଶ କରିଛନ୍ତି । ଟିକଟକର ଏହି ଭାରତୀୟ ସଂସ୍କରଣ ଏବେ ଯୁବପିଢ଼ିଙ୍କ ମଧ୍ୟରେ ଆଦୃତ ହେବାରେ ଲାଗିଛି । ଜୁନ ୧୦ରେ ଆନୁଷ୍ଠାନିକ ଭାବେ ଉନ୍ମୋଚନ ହୋଇଥିବା ଏହି ଆପକୁ ଏବେ ୨୫ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ କରିସାରିଲେଣି ।
ଏ ସମ୍ପର୍କରେ ବିଶ୍ୱାତ୍ମା କହିଛନ୍ତି, ଭାରତୀୟ ଉପଭୋକ୍ତାଙ୍କ ନିକଟରୁ ଚିଙ୍ଗାରି ବେଶ୍ ଉତ୍ତମ ପ୍ରତିକ୍ରିୟା ପାଉଛି । ଏହା ଭାରତର ଏକମାତ୍ର ଦେଶୀ ସୋସିଆଲ ଆପ ଯାହାକି ଟିକଟକ ଆପକୁ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଏହା ଓଡ଼ିଆ ସମେତ ୧୦ଟି ଭିନ୍ନ ଭିନ୍ନ ଆଞ୍ଚଳିକ ଭାଷାରେ ଉପଲବ୍ଧ ।
ପ୍ରାରମ୍ଭିକ ଭାବେ ଖବର, ଗେମ୍ ଆଦି କିଛି ବୈଶିଷ୍ଟ୍ୟକୁ ନେଇ ଏହି ଆପ୍ ବିକଶିତ ହୋଇଥିଲା । ନିକଟରେ ଥିରେ ଭିଡିଓ ସେୟାରିଂ ବ୍ୟବସ୍ଥା ଯୋଡ଼ା ହୋଇଛି । ଯାହା ପରେ କି ଏହା ଲୋକମାନଙ୍କ ଦ୍ୱାରା ଆଦୃତ ହେବାରେ ଲାଗିଛି । ଟିକଟକ ସମେତ ଏ ବର୍ଗର ଅନ୍ୟ ଆପ ଗୁଡ଼ିକରେ କେବଳ ଭିଡିଓ ଡାଉନଲୋଡ ବ୍ୟବସ୍ଥା ରହିଛି । ହେଲେ ଚିଙ୍ଗାରିରେ ଉପଭୋକ୍ତାମାନଙ୍କ ଫଟୋ ଭିଡିଓ ଡାଉନଲୋଡ଼ ଓ ଅପଲୋଡ କରିବା ସହ ତାଜା ନ୍ୟୁଜ ମଧ୍ୟ ଦେଖିପାରିବେ । ଭଲ ଭଲ ଗେମସ ମଧ୍ୟ ଖେଳିପାରିବେ । ପ୍ରତିଦିନ ୪୦,୦୦୦ ରୁ ୫୦,୦୦୦ ନୂଆ ଉପଭୋକ୍ତା ଏହି ଆପକୁ ଡାଉନଲୋଡ କରୁଥିବା ଦେଖିବାକୁ ମିଳିଛି । ଭାରତରେ ଚାଇନା ଉତ୍ପାଦ ବିରୋଧୀ ଆନ୍ଦୋଳନ ତେଜିବାରେ ଲାଗିଥିବାରୁ ଏହି ଆପକୁ ବେଶ୍ ସୁହାଉଥିବା ଜଣାପଡ଼ିଛି । ଏପରିକି ଏହି ଆପକୁ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ପ୍ରଶଂସା କରିଛନ୍ତି । ଶ୍ରୀ ମହିନ୍ଦ୍ରା ଏକ ଟ୍ୱିଟ୍ ଜରିଆରେ କହିଛନ୍ତି, ମୁଁ କେବେ ବି ଟିକଟକ ଆପ ଡାଉନଲୋଡ କରି ନଥିଲି । କିନ୍ତୁ ନିକଟରେ ମୁଁ ଚିଙ୍ଗାରି ଆପ ଡାଉନଲୋଡ କରିଛି । ଏହା ଚିଙ୍ଗାରିକୁ ଅଧିକ ସଶକ୍ତ କରିବ ବୋଲି ମୁଁ ଆଶା କରୁଛି ।