ଚାଲିଲା ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଚାଲିଲା ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଚାଲିଲା ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାକୁ ନେଇ ବିଧାନସଭାରେ ଅଚଳାବସ୍ତା ଲାଗି ରହିଛି । ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଏବଂ ସିବିଆଇକୁ ଏହି ଘଟଣାର ତଦନ୍ତ ଦିଆଯାଉ ନଚେତ୍ ଗୃହ ଚଳାଇ ଦେବୁନାହିଁ । ତୃତୀୟ ଦିନରେ ମଧ୍ୟ ସମାନ ଦାବିରେ ଆଡି ବସିଛନ୍ତି ବିରୋଧୀ ବିଜେପି ଏବଂ କଂଗ୍ରେସ । ଯାହା ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ପୁଣି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । 

 ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ। ତେବେ ଆଜି ବି ବିଧାନସଭା ଆରମ୍ଭରୁ ଚାଲିପାରିଲାନଥିଲା । ଆଜି ବିଧାନସଭା ଆରମ୍ଭ ହେଉ ହେଉ ବିରୋଧ ସଦସ୍ୟମାନେ ପ୍ରବଳ ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।
ଗୃହ ମୁଲତବୀ ପରେ ବିଜେପି ପକ୍ଷରୁ ଏକ ଅଭିନବ ଉପାୟରେ ବିରୋଧ କରାଯାଇଥିଲା । ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ପ୍ରବେଶ କରିବା ଯୋଗୁଁ ପବିତ୍ର ଗୃହ ଅପବିତ୍ର ହୋଇଯାଇଛି । ତେଣୁ ଗୃହକୁ ପବିତ୍ର କରିବା ପାଇଁ ବିଜେପି ବିଧାୟକମାନେ ଗୃହ ବାହାରେ ପ୍ରଥମେ ଗୋବର ପାଣି ଓ ପରେ ଗଙ୍ଗା ଜଳ ସିଞ୍ଚନ କରିଥିଲେ ।

ଦିନ ୧୧.୩୦ ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ପୁଣି ସମାନ ସ୍ଥିତି ଦେଖିବାକୁ ମିଳିଥିଲା ।  ମମିତା ପ୍ରସଙ୍ଗରେ କଂଗ୍ରେସ ଓ ବିଜେପି ବିଧାୟକମାନେ ପୁଣି ହଟ୍ଟଗୋଳ କରିଛନ୍ତି ।  ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି।  

ପ୍ରକାଶ ଯେ, ସାରା ରାଜ୍ୟରେ ଏବେ ମମିତା ନିଆଁ ହୁତୁ ହୁତୁ ହୋଇ ଜଳୁଛି ।  ମମିତା ହତ୍ୟା ମାମଲାରେ ସମ୍ପୃକ୍ତି ଅଭିଯୋଗରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ପାଇଁ ବିରୋଧୀ ଦାବି କରିଆସୁଛନ୍ତି । ଏହା ସତ୍ତ୍ୱେ ବି ମୁଖ୍ୟମନ୍ତ୍ରୀ ତାଙ୍କୁ ବହିଷ୍କାର କରୁନାହାନ୍ତି । ଅନ୍ୟପଟେ ପ୍ରବଳ ବିରୋଧ ସତ୍ତ୍ୱେ ବି ଦିବ୍ୟଶଙ୍କର ଗତ ୩ ଦିନ ହେଲା ବିଧାନସଭା ଆସୁଛନ୍ତି । ଯାହାକୁ ବିରୋଧ କରି ବିରୋଧୀ ବିଧାନସଭାରେ ବିରୋଧ ପ୍ରଦର୍ଶନ ଜାରି ରଖିଛନ୍ତି ।

ବିଧାନସଭା ଆରମ୍ଭର ପ୍ରଥମ ଦିନରୁ ଚାଲି ପାରୁନି ଗୃହ । ଏଥିପାଇଁ ଶାସକ-ବିରୋଧୀ କେବଳ ଦୋଷ ଲଦାଲଦି ହୋଇ ରହିଯାଉଛନ୍ତି । ଗୃହ ଅଚଳ ପାଇଁ ଆଗତ ହେବାକୁ ଥିବା ବହୁ ଗୁରୁତ୍ବପୂର୍ଣ୍ଣ ବିଲ୍ କାର୍ୟ୍ୟକାରୀ ହୋଇପାରୁନାହିଁ