ଚଳିତ ମାସ ଶେଷ ଆଡ଼କୁ ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ ପାଇବାର ସମ୍ଭାବନା
ଚଳିତ ମାସ ଶେଷ ଆଡ଼କୁ ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ ପାଇବାର ସମ୍ଭାବନା
ନୂଆଦିଲ୍ଲୀ: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ତାମରେ ସ୍ଥିରତା ଫେରୁଥିବାରୁ ଚଳିତ ମାସ ଶେଷ ଆଡ଼କୁ ପେଟ୍ରୋଲ ଓ ଡିଜେଲ ଦାମ ହ୍ରାସ ପାଇବାର ସମ୍ଭାବନା ସୃଷ୍ଟି ହୋଇଛି । ଲୋକମାନେ ୧୦୦ ଟଙ୍କାରୁ ଅଧିକ ମୂଲ୍ୟ ଦେଇ ପେଟ୍ରୋଲ କିଣୁଥିବାରୁ, ବେଶ ଚିନ୍ତିତ ରହିଛନ୍ତି । ସେମାନଙ୍କ ପାଇଁ ଆଶ୍ୱସ୍ତିର ବିଷୟ ହେଉଛି ବ୍ରେଣ୍ଟ କ୍ରୁଡର ବ୍ୟାରେଲ ପିଛା ଦାମ ୭୫ ଡଲାରକୁ ହ୍ରାସ ପାଇଛି । ଗତ ମାସରେ ଏହି ଦର ୭୭ ଡଲାରକୁ ବୃଦ୍ଧି ପାଇଥିଲା । ଆନ୍ତର୍ଜାତିକ ବଜାରରେ ଅଶୋଧିତ ତେଲ ଦର ଓ ଡଲାରର ବିନିମୟ ମୂଲ୍ୟ ବିଚାରକୁ ନେଇ ତେଲ କମ୍ପାନୀ ଗୁଡ଼ିକ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦାମ ପରିବର୍ତ୍ତନ କରୁଛନ୍ତି । ଅଶୋଧିତ ତେଲ ମହଙ୍ଗା ହୋଇଥିବାରୁ ନିୟମିତ ବ୍ୟବଧାନରେ ଦେଶ ଭିତରେ ପେଟ୍ରୋଲ ଓ ଡିଜେଲ ଦାମ ବଢ଼ୁଛି । ବିଶ୍ୱରେ ଅଧିକ ମାତ୍ରାରେ ବିକି୍ର ହେଉଥିବା ଅଶୋଧିତ ତୈଳ ହେଉଛି ବ୍ରେଣ୍ଟ କ୍ରୁଡ । ଗତ ସୋମବାର ଏହାର ବ୍ୟାରେଲ ପିଛା ଦର ୭୪ ଡଲାରକୁ ହ୍ରାସ ପାଇଥିଲା । ଭାରତ କିଣୁଥିବା ତେଲ ଦାମ ୭୩.୯୯ ଡଲାର ରହିଛି । ଜୁନ ମାସରେ ଭାରତ କିଣିଥିବା ତେଲର ହାରାହାରି ବ୍ୟାରେଲ ପିଛା ଦାମ ୭୧.୬୩ ଡଲାର ଥିଲା । ତେଲ ଉପôାଦନକୁ ସୀମିତ ରଖିବା ଲାଗି ଓପେକ ରାଷ୍ଟ୍ର ସମୂହରେ କୌଣସି ନିଷ୍ପତ୍ତି ହୋଇପାରୁନଥିବାରୁ ବଜାରରେ ଅଧିକ ତେଲ ଉପଲବ୍ଧ ରହିବ ବୋଲି ବିଚାର କରାଯାଉଛି । ସେଥିପାଇଁ ତେଲ ଦାମ କମୁଛି । ଭାରତରେ ତେଲ କମ୍ପାନୀ ଗୁଡ଼ିକ ପୂର୍ବ ୧୫ ଦିନରେ ଅଶୋଧିତ ତୈଳର ହାରାହାରି ମୂଲ୍ୟ ବିଚାରକୁ ନେଇ ପେଟ୍ରୋଲ ଓ ଡିଜେଲ ଦାମରେ ସଂଶୋଧନ କରୁଛନ୍ତି । ଯଦି ଆନ୍ତର୍ଜାତିକ ବଜାରରେ ତେଲ ଦର ହ୍ରାସ ପାଏ ତେବେ ଭାରତୀୟ ବଜାରରେ ତାହାର ପ୍ରଭାବ ଦେଖିବା ଲାଗି ୧୫ ଦିନ ଅପେକ୍ଷା କରିବାକୁ ପଡ଼ିବ ।