ଗରିବୀ ଉପରେ ହେବ ସର୍ଜିକାଲ ଷ୍ଟ୍ରାଇକ : ରାହୁଲ ଗାନ୍ଧୀ
ଗରିବୀ ଉପରେ ହେବ ସର୍ଜିକାଲ ଷ୍ଟ୍ରାଇକ : ରାହୁଲ ଗାନ୍ଧୀ
admin
Apr 26, 2019 - 11:40
Updated: Apr 26, 2019 - 11:40
ଭୁବନେଶ୍ୱର : ବାଲେଶ୍ୱର ଜିଲ୍ଲା ରେମୁଣାରେ ଆୟୋଜିତ ପରିବର୍ତନ ସଂକଳ୍ପ ସମାବେଶରେ ଯୋଗଦେଇ ଏଆଇସିସି ସଭାପତି ରାହୁଲ ଗାନ୍ଧୀ କହିଲେଯେ, ଆଜି ଜଣେ ସାମ୍ବାଦିକ ତାଙ୍କର ସାକ୍ଷାତକାର ନେଉଥିଲେ । ବେରୋଜଗାର ହିଁ ସବୁଠାରୁ ବଡ଼ ପ୍ରସଙ୍ଗ ବୋଲି ସେ ତାଙ୍କୁ କହିଥିଲେ । ସେହିପରି ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁନଥିବାରୁ ଚାଷୀ ଆତ୍ମହତ୍ୟା କରୁଛି । ଦେଶରେ ଦରଦାମ ବୃଦ୍ଧି ଜନତାଙ୍କୁ ଢେ଼ର ବାଧିଛି । ଏତଦବ୍ୟତୀତ ନରେନ୍ଦ୍ର ମୋଦି ସରକାରକୁ ସେ ଭ୍ରଷ୍ଟାଚାରୀ କହିଥିଲେ । ଏବେ ମୋଦି ନିଜ ଅଭିଭାଷଣରେ ଚାଷୀ କିମ୍ବା ବେରୋଜଗାରୀ କଥା କହୁନାହାନ୍ତି । ଏବେ ମୋଦି ଯୁଆଡେ଼ ଯାଉଛନ୍ତି ଲୋକେ କହୁଛନ୍ତି ଚୌକିଦାର ଚୋର ହୈ । ଆଜିକାଲି ସେ ଟେଲିପ୍ରମ୍ପଟରରେ ପଢ଼ିକି ଭାଷଣ ଦେଉଛନ୍ତି । ବେରୋଜଗାରୀ, ଭ୍ରଷ୍ଟାଚାର ଓ ୧୫ ଲକ୍ଷ ଟଙ୍କା କଥା ନକହିବାକୁ ତାଙ୍କୁ ତାଙ୍କର ପରାମର୍ଶଦାତାମାନେ କହୁଛନ୍ତି ।
ରାହୁଲ କହିଲେଯେ, ଦେଶରେ କୋଟି କୋଟି ଲୋକ ଗରିବ ଅଛନ୍ତି । ୨୫ କୋଟି ଲୋକଙ୍କ ବ୍ୟାଙ୍କ ଆକାଉଂଟରେ ଟଙ୍କା ଦେବାକୁ କଂଗ୍ରେସ ଚାହୁଁଛି । ଅନୀଲ ଅମ୍ବାନୀକୁ ୪୫ ହଜାର, ବିଜୟ ମାଲ୍ୟା ୧୦ ହଜାର କୋଟି, ନୀରବ ମୋଦିକୁ ଯଦି ୩୫ ହଜାର କୋଟି ଟଙ୍କା ଦିଆଯାଇପାରୁଛି ତେବେ ୫ କୋଟି ପରିବାରକୁ କାହିଁକି ଟଙ୍କା ଦିଆଯାଇପାରିବ ନାହିଁ । ପ୍ରତିବର୍ଷ ୫ କୋଟି ଗରିବ ପରିବାରକୁ ୭୨ ହଜାର ଟଙ୍କା ଦିଆଯାଇପାରିବ । ବର୍ଷକୁ ୩ ଲକ୍ଷ ୬୦ ହଜାର କୋଟି ଟଙ୍କା ଦିଆଯିବ । ଏହି ଟଙ୍କାରୁ ଅଧିକ ଫାଇଦା ବିହାର, ଓଡ଼ିଶା ଭଳି ରାଜ୍ୟର ଲୋକମାନେ ପାଇପାରିବେ । ଏହି ଟଙ୍କା ମହିଳାଙ୍କ ବ୍ୟାଙ୍କ ଆକାଉଂଟକୁ ଯିବ । ଗରିବୀ ଉପରେ ଏହା କଂଗ୍ରେସର ସର୍ଜିକାଲ ଷ୍ଟ୍ରାଇକ ବୋଲି ରାହୁଲ କହିଥିଲେ । ଯେଉଁମାନଙ୍କ ଆୟ ମାସିକ ୧୨ ହଜାରରୁ କମ ସେମାନଙ୍କ ଆକାଉଂଟକୁ ପ୍ରତି ମାସର ପ୍ରଥମ ଦିନ ୬ ହଜାର ଟଙ୍କା ଯିବ । ନରେନ୍ଦ୍ର ମୋଦି ବଢ଼ିଆ କାମ କରିଛନ୍ତି, ସମସ୍ତଙ୍କର ବ୍ୟାଙ୍କ ଆକାଉଂଟ ଖୋଲିଛନ୍ତି । ଲୋକଙ୍କ ବ୍ୟାଙ୍କ ଆକାଉଂଟ ଖୋଲି ଅନୀଲ ଅମ୍ବାନୀ ବ୍ୟାଙ୍କ ଆକାଉଂଟରେ ଟଙ୍କା ଦେଇଦେଲେ । ନୋଟବନ୍ଦୀ କରି ଲୋକଙ୍କୁ ଧାଡ଼ିରେ ଠିଆ କରାଇଦେଲେ । ଗବର ସିଂହ ଟ୍ୟାକ୍ସ ଲଗାଇ ଟଙ୍କା ଲୁଟିନେଲେ । ନ୍ୟାୟ ଯୋଜନାରେ କିନ୍ତୁ ଲୋକଙ୍କ ଆକାଉଂଟକୁ ଯିବ । ଲୋକଙ୍କ ଆକାଉଂଟକୁ ଟଙ୍କା ଗଲେ ସାମଗ୍ରୀର ଚାହିଦା ବଢ଼ିବ । ଫଳରେ କମ୍ପାନୀମାନେ ଯୁବକମାନଙ୍କୁ ଚାକିରୀ ଦେବାକୁ ବାଧ୍ୟ ହେବେ । ଆପଣଙ୍କ ଟଙ୍କା ଯିଏ ଚୋରି କରିଛି ଆପଣମାନେ ସମସ୍ତେ ସେମାନଙ୍କ ନାମ ଜାଣିଛନ୍ତି ।
ନ୍ୟାୟ ଯୋଜନାକୁ ନେଇ ମୋଦି ଡରି ଯାଇଛନ୍ତି । ସେଥିପାଇଁ ମଧ୍ୟବିତଙ୍କୁ ଡରାଉଛନ୍ତି । କହୁଛନ୍ତି, ମଧ୍ୟବିତଙ୍କ ଟଙ୍କା ନେଇ ରାହୁଲ ଗାନ୍ଧୀ ଗରିବଙ୍କୁ ଦେଇଦେବ । ହେଲେ ଗୋଟିଏ ଟଙ୍କା ମଧ୍ୟବିତଙ୍କ ଠାରୁ ନିଆଯିବ ନାହିଁ । ଅନୀଲ ଅମ୍ବାନୀ, ଲଳିତ ମୋଦି, ନୀରବ ମୋଦିଙ୍କ ଭଳି ଚୋରଙ୍କ ପକେଟରୁ ଟଙ୍କା ନେଇ ଗରିବ ଲୋକଙ୍କୁ ଦିଆଯିବ । ଧନୀ ଲୋକମାନେ ଲକ୍ଷ ଲକ୍ଷ କୋଟି ଟଙ୍କା ଚୋରି କରୁଛନ୍ତି, ଲଣ୍ଡନରେ ବୁଲୁଛନ୍ତି ହେଲେ ଗରିବ ଲୋକ ଟଙ୍କା ନଦେଲେ ସେମାନଙ୍କୁ ବାନ୍ଧି ନିଆଯାଉଛି । କଂଗ୍ରେସ ସରକାର ଆସିବା ପରେ ୨୦୧୯ରେ ନୂଆ ଆଇନ ଆଣିବେ । ଯେଉଁ ଚାଷୀ ଋଣ ନନେଇ ଶୁଝି ନପାରିବେ ସେମାନଙ୍କୁ ଜେଲରେ ଭର୍ତି କରାଯାଇପାରିବ ନାହିଁ । କଂଗ୍ରେସ ସରକାର ଆସିଲେ ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ କରାଯିବ । ଯାହାଦ୍ୱାରା ଚାଷୀ ଲାଭବାନ ହୋଇପାରିବ ବୋଲି ରାହୁଲ କହିଥିଲେ ।
କେନ୍ଦ୍ର ଓ ରାଜ୍ୟ ସରକାର ନିଯୁକ୍ତି ଦେବାରେ ବିଫଳ ହୋଇଛି । ହେଲେ ଆମେ ନିଯୁକ୍ତି ଦେବୁ । ଆମେ ତାଙ୍କ ଭଳି ୨ କୋଟି ନିଯୁକ୍ତି ଦେବା ଭଳି ମିଛ କହିବୁ ନାହିଁ । ଆମେ ୨୨ ଲକ୍ଷ ସରକାରୀ ଚାକିରୀ ଦେବୁ । ପଂଚାୟତରେ ୧୦ ଲକ୍ଷ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବୁ ବୋଲି ରାହୁଲ ଗାନ୍ଧୀ ମତବ୍ୟକ୍ତ କରିଥିଲେ ।