ନବୀନଙ୍କ ନୂଆ ଫଣ୍ଡା : ଚିଟଫଣ୍ଡ ବାପାଙ୍କୁ ନାଁ, ପୁଅକୁ ହଁ !
ନବୀନଙ୍କ ନୂଆ ଫଣ୍ଡା : ଚିଟଫଣ୍ଡ ବାପାଙ୍କୁ ନାଁ, ପୁଅକୁ ହଁ !
admin
Mar 21, 2019 - 05:37
Updated: Mar 21, 2019 - 05:37
ଭୁବନେଶ୍ୱର : ବିଜେଡି ଏବେ ନୂଆ ଫର୍ମୂଲା ଆପଣାଇଛି । ବାପାଙ୍କର ଯଦି ଲୋକପ୍ରିୟତା ନାହିଁ, ଯଦି ସେ ଚିଟଫଣ୍ଡ ଭଳି କୌଣସି ସଂଗୀନ ଅଭିଯୋଗରେ ଛନ୍ଦି ହୋଇଯାଇଛନ୍ତି ତାହେଲେ ତାଙ୍କ ପୁଅଙ୍କୁ ଟିକେଟ ମିଳିବ । ଯାହାକୁ ନେଇ ଦଳୀୟ ଅଳିନ୍ଦରେ ଚାପା ଗୁଞ୍ଜରଣ ସୃଷ୍ଟି ହୋଇଛି । ଅନେକ ବିଜେଡ଼ି ନେତା ଦଳୀୟ ସୁପ୍ରିମୋଙ୍କ ଏଭଳି ଆଭିମୁଖ୍ୟକୁ ନେଇ ଖପ୍ପା ହୋଇଯାଇଛନ୍ତି ।
ବିଜେଡ଼ି ଅଳିନ୍ଦରେ ହେଉଥିବା ଚର୍ଚ୍ଚା ଅନୁଯାୟୀ ଏଥର ଦୁଇ ପ୍ରଭାତଙ୍କ ଭବିଷ୍ୟତ ଅନ୍ଧକାର ହୋଇଯିବ । ଅର୍ଥତତ୍ୱ ଚିଟଫଣ୍ଡ ଲିଙ୍କରେ ଗିରଫ ହୋଇ ଜାମିନରେ ଆସିଥିବା ପ୍ରଭାତ ତ୍ରିପାଠୀଙ୍କୁ ବାଙ୍କୀରେ ଦଳ ପ୍ରାର୍ଥୀ କରିବ ନାହିଁ । ଚିଟଫଣ୍ଡ କଳଙ୍କକୁ ଧୋଇବା ପାଇଁ ଏଭଳି ରଣନୀତି କରିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ବାଙ୍କୀରେ ବାରବାର ବିଜୟର ଧ୍ୱଜା ଉଡ଼ାଇ ଆସୁଛନ୍ତି ପ୍ରଭାତ । ବିଜେଡ଼ିର ସଂଗଠନ ମଧ୍ୟ ମଜବୁତ ରହିଛି । ହେଲେ ଏଟି ମୁଖ୍ୟ ପ୍ରଦୀପ ସେଠୀଙ୍କ ସହ ତାଙ୍କର ସମ୍ପର୍କ ଥିବା ସିବିଆଇ ଜାଣିବାକୁ ପାଇଥିଲା । ବାଙ୍କୀ ମହୋତ୍ସବକୁ ଚାନ୍ଦା ଦେବା ପାଇଁ ପ୍ରଭାତ ଫୋନ କରିଥିବାର ଅଡ଼ିଓ ମଧ୍ୟ ଭାଇରାଲ ହୋଇଥିଲା । ଶେଷରେ ପ୍ରଭାତଙ୍କୁ ଗିରଫ ହୋଇ ଜେଲ ଯିବାକୁ ପଡ଼ିଥିଲା । ଦଳ ତାଙ୍କୁ ପ୍ରଥମେ ନିଲମ୍ବନ କରିଥିବାବେଳେ ପରେ ତାହାକୁ ପ୍ରତ୍ୟାହାର କରିନେଇଥିଲା । ତେବେ ପ୍ରଭାତଙ୍କୁ ପ୍ରାର୍ଥୀ କଲେ ବିଜେପି ତାହାକୁ ପ୍ରସଙ୍ଗ କରିବ । ଅପରପକ୍ଷରେ ପ୍ରଭାତଙ୍କୁ ଟିକେଟ ନଦେଲେ ସେ ବିଦ୍ରୋହ କରିବାର ଆଶଙ୍କା ମଧ୍ୟ ରହିଛି । ତେଣୁ ତାଙ୍କ ପୁଅ ଦେବୀ ରଂଜନ ତ୍ରିପାଠୀଙ୍କୁ ପ୍ରାର୍ଥୀ କରିବା ପାଇଁ ଦଳ ଯୋଜନା କରିଥିବା ଜାଣିବାକୁ ମିଳିଛି ।
ଅନରୂପ ଭାବେ କଟକ ଚୌଦ୍ୱାର ବିଧାୟକ ପ୍ରଭାତ ବିଶ୍ୱାଳ ବି ଚିଟଫଣ୍ଡରେ ଛନ୍ଦି ହୋଇଯାଇଛନ୍ତି । ସିସୋର ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା । ପରେ ସ୍ୱାସ୍ଥ୍ୟଗତ କାରଣରୁ ପ୍ରଭାତଙ୍କୁ ଜାମିନ ମିଳିଥିଲା । ଚିଟଫଣ୍ଡ ଠକେଇରେ ସଂପୃକ୍ତି ଅଭିଯୋଗ ଥିବାରୁ ଦଳ ତାଙ୍କୁ ଟିକେଟ ଦେବାକୁ ଆଗ୍ରହୀ ନୁହେଁ । ତେବେ ପ୍ରଭାତଙ୍କର ମଜବୁତ ସଂଗଠନ ରହିଛି । ଏବେ ବିଜେଡ଼ିର ଅସନ୍ତୁଷ୍ଟ ନେତାମାନେ ବିଜେପି ମୁହାଁ ହୋଇଛନ୍ତି । ପ୍ରଭାତଙ୍କ ଭଳି ଜଣେ ଭଲ ସଂଗଠକକୁ ଦଳ ହାତଛଡ଼ା କରିବାକୁ ଚାହୁଁନାହିଁ । ତେଣୁ ସେଠାରୁ ତାଙ୍କ ପୁଅ ସୌଭିତ ବିଶ୍ୱାଳଙ୍କୁ ପ୍ରାର୍ଥୀ କରିବା ପାଇଁ ଯୋଜନା ହୋଇଥିବା ଚର୍ଚ୍ଚା ହେଉଛି ।
ଚଟୁ ଆଇଁଷ, ବେଂଟ ନିରାମିଷ ନ୍ୟାୟରେ ନବୀନଙ୍କ ଏହି ବାପ ପୁଅ ଫର୍ମୂଲାକୁ ଭୋଟର କିଭଳି ଗ୍ରହଣ କରିବେ ତାହା ଟିକେଟ ଘୋଷଣା ହେବା ପରେ ସ୍ପଷ୍ଟ ହୋଇଯିବ ।