ଘୋଡା ବେପାର ଭୟରେ କଂଗ୍ରେସ ।
ଘୋଡା ବେପାର ଭୟରେ କଂଗ୍ରେସ ।
admin
Jun 12, 2020 - 06:57
Updated: Jun 12, 2020 - 06:57
ରାଜ୍ୟସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଶାସକ କଂଗ୍ରେସ ମଧ୍ୟରେ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ରାସ୍ଥାନରେ ଘୋଡ଼ା ବେପାର ଭୟରେ କଂଗ୍ରେସ ଏହାର ବିଧାୟକଙ୍କୁ ଜୟପୁରର ଏକ ରିସୋର୍ଟକୁ ପଠାଇ ଦେଇଛି । ଅନ୍ୟପକ୍ଷେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଜେପି ଉପରେ ବର୍ଷିଛନ୍ତି ଏବଂ ତାଙ୍କ ସରକାର ଭାଙ୍ଗିବାକୁ ବିଜେପି ଅର୍ଥ ବଳରେ ବଡ଼ ଷଡ଼ଯନ୍ତ୍ର କରୁଛି ବୋଲି କହିଛନ୍ତି । ବିଜେପି କଂଗ୍ରେସ ବିଧାୟକଙ୍କୁ କିଣିବା ପାଇଁ ଏବଂ ସେମାନଙ୍କୁ ଦଳ ଛାଡ଼ିବା ପାଇଁ ରାଜି କରାଇବାକୁ ୨୫ କୋଟି ଟଙ୍କା ଯାଚୁଛି । କିଛି ମାସ ପୂର୍ବେ ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ପରେ ଅନ୍ୟ ବିଧାୟକମାନେ ମଧ୍ୟ ଦଳ ଛାଡ଼ିବା ପରେ କମଳନାଥ ସରକାର ଭାଙ୍ଗି ଯାଇଥିଳା । ଏବେ ଗେହଲଟ ସରକାର ରାଜସ୍ଥାନରେ ମଧ୍ୟ ଏଭଳି ସ୍ଥିତିର ସମ୍ମୁଖୀନ ହେବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ବିଜେପି ରାଜସ୍ଥାନ ସରକାର ଭାଙ୍ଗି ଦେବା ପାଇଁ ଉଦ୍ୟମ କରୁଛି ବୋଲି ରାଜସ୍ଥାନ କଂଗ୍ରେସ ପକ୍ଷରୁ ଦାବି ହୋଇଛି । ଗେହଲଟ କହିଛନ୍ତି ମଧ୍ୟପ୍ରଦେଶ ପରି ବିଜେପି ରାଜସ୍ଥାନରେ ମଧ୍ୟ ସମାନ ଯୋଜନା କରିଛି । ଦଳ ବଦଳାଇବା ପାଇଁ ବିଧାୟକଙ୍କୁ ଏହା ୨୫ କୋଟି ଅଫର କରିଛି । ଏ ନେଇ ଆଗୁଆ ୧୦ କୋଟି ମିଳିସାରିଛି ବୋଲି ଗେହଲଟ କହିଛନ୍ତି । ଗୁଜୁରାଟ ଏବଂ ରାଜସ୍ଥାନରେ ଘୋଡ଼ା ବେପାର କାର୍ଯ୍ୟ ସରିନଥିବାରୁ ବିଜେପି ଜାଣିଶୁଣି ରାଜ୍ୟସଭା ନିର୍ବାଚନ ସ୍ଥଗିତ ରଖିଥିଲା ବୋଲି ଗେହଲଟ୍ କହିଛନ୍ତି ।
କଂଗ୍ରେସ ରୁଦ୍ଧ ଦ୍ୱାର ବୈଠକ ପାଇଁ ଏହାର ବିଧାୟକଙ୍କୁ ଜୟପୁର ରିସୋର୍ଟ ପଠାଇବାର ମାତ୍ର କିଛି ସମୟ ପରେ ଗେହଲଟ ଏଭଳି ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ବିଧାୟକମାନଙ୍କ ସହ କଂଗ୍ରେସର ଏହି ରୁଦ୍ଧ ଦ୍ୱାର ବୈଠକରେ ନୂଆଦିଲ୍ଲୀରୁ ଜାତୀୟ ନେତାମାନେ ମଧ୍ୟ ଯୋଗ ଦେବେ । କଂଗ୍ରେସ ନିଜ ବିଧାୟକଙ୍କ ସହ କିଛି ସ୍ୱାଧୀନ ବିଧାୟକଙ୍କୁ ମଧ୍ୟ ଶିବ ବିଳାସ ରିସୋର୍ଟକୁ ପଠାଇଛି । ମୋଟ ୧୧୦ ବିଧାୟକଙ୍କୁ କଂଗ୍ରେସ ରିସୋର୍ଟରେ ରଖାଇଥିବା ବେଳେ ରିସୋର୍ଟ ବାହାରେ ପ୍ରାୟ ୫୦ ପୁଲିସ ସାଧା ପୋଷାକରେ ମୁତୟନ ହୋଇଛନ୍ତି ।