କୋହଳ ହେବ ଶ୍ରୀମନ୍ଦିର ଦର୍ଶନ କଟକଣା!
କୋହଳ ହେବ ଶ୍ରୀମନ୍ଦିର ଦର୍ଶନ କଟକଣା!
ପୁରୀ : ରାଜ୍ୟ ସରକାର ଏବେ କୋଭିଡ କଟକଣାକୁ କୋହଳ କରିଛନ୍ତି । ଯେଉଁ ହାତଗଣତି ଜିଲ୍ଲାରେ ଶନିବାର, ରବିବାର ସଟଡାଉନ ଥିଲା, ତାକୁ ବି ଉଠାଇ ଦିଆଯାଇଛି । ରାତ୍ରୀକାଳୀନ କର୍ଫୁ୍ୟକୁ ମଧ୍ୟ କୋହଳ କରାଯାଇଛି । ରାଜ୍ୟ ସରକାରଙ୍କ ଏହି ଘୋଷଣା ପରେ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥାରେ କୋହଳ ହେବା ନେଇ ଆଶା କରାଯାଉଛି । ଏ ନେଇ ବିଚାର ବିମର୍ଷ ଚଲାଇଛି ଶ୍ରୀମନ୍ଦିର ପ୍ରଶାସନ ।
ସୂତ୍ରରୁ ଜଣାପଡ଼ିଛି, ଏଥିପାଇଁ ନୂଆ ଏସ୍ଓପି ଜାରି କରିବାକୁ ଯାଉଛି ଶ୍ରୀମନ୍ଦିର ପ୍ରଶାସନ । ଆପାତତଃ ଶନିବାର ଦର୍ଶନ କଟକଣାକୁ ହଟାଇବା ନେଇ ସ୍ଥିର ହୋଇଛି। ଦର୍ଶନ ସମୟ ଅବଧିକୁ ବି ବୃଦ୍ଧି କରିବାକୁ ଯୋଜନା କରାଯାଉଛି । ଏ ନେଇ ଆସନ୍ତା ୮ ତାରିଖରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି । ଯେଉଁଥିରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।
ଏବେ ଲାଗୁଥିବା ଏସଓପି ଅନୁଯାୟୀ, ଭକ୍ତମାନେ ସପ୍ତାହକୁ ୫ ଦିନ ମହାପ୍ରଭୁଙ୍କ ଦର୍ଶନ ସୁଯୋଗ ପାଉଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି ଶନିବାର ଓ ରବିବାର ଦର୍ଶନ ବନ୍ଦ ରଖାଯାଇଛି । ସେପଟେ ଭିଡ଼କୁ ନଜରରେ ରଖି ସ୍ୱତନ୍ତ୍ର ପର୍ବପର୍ବାଣୀରେ ବି ଦର୍ଶନ କଟକଣା ଲଗାଯାଇଛି । ଭକ୍ତମାନେ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି ।
ମିଳିଥିବା ସୂଚନା ମୁତାବକ, ନୂଆ ଏସଓପିରେ ଦର୍ଶନ ବ୍ୟବସ୍ଥାକୁ କୋହଳ କରାଯିବ । ସପ୍ତାହକୁ ଗୋଟିଏ ଦିନ ଅର୍ଥାତ ରବିବାର ଶ୍ରୀମନ୍ଦିର ବନ୍ଦ ରହିପାରେ । ଶନିବାର ଦର୍ଶନରେ ଯେଉଁ କଟକଣା ଲଗାଯାଇଛି, ତାକୁ ହଟାଇ ଦିଆଯିବା ସମ୍ଭାବନା ଅଛି।




admin 