କେବିସି ନାଁରେ ଶ୍ରମ ଜୀବୀ ଯୁବତୀଠୁ ଠକିନେଲେ ୧.୬୯ ଲକ୍ଷ

କେବିସି ନାଁରେ ଶ୍ରମ ଜୀବୀ ଯୁବତୀଠୁ ଠକିନେଲେ ୧.୬୯ ଲକ୍ଷ

କେବିସି  ନାଁରେ ଶ୍ରମ ଜୀବୀ ଯୁବତୀଠୁ ଠକିନେଲେ ୧.୬୯ ଲକ୍ଷ
ଲଖନପୁର: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଗାନ୍ଧିନଗରର ଜଣେ ଦିନ ମଜୁରିଆ ଯୁବତୀ କୌନ ବନେଗା କରୋଡ଼ପତି (କେବିସି) ଟିଭି କାର୍ଯ୍ୟକ୍ରମ ନାଁରେ ୩୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି କହି ସାଇବର ଠକ ଗୋଷ୍ଠୀ ୧ ଲକ୍ଷ ୬୯ ହଜାର ୨ ଶହ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଠକେଇର ଶିକାର ଯୁବତୀ ବେଲପାହାଡ଼ ଗାନ୍ଧିନଗରର ଶକ୍ତି ଛତରଙ୍କ ଝିଅ ନୀତା ଏ ନେଇ ଥାନାରେ ଏତଲା କରିଛନ୍ତି । ନୀତାଙ୍କ ଅଭିଯୋଗ ଅନୁସାରେ ଫେବୃୟାରୀ ୨୩ ତାରିଖ ରାତିରେ ଏକ ଅଜଣା ନମ୍ବରରୁ କେହି ଫୋନ କରି ନିଜକୁ କେମସିର ସଦସ୍ୟ ବୋଲି ପରିଚୟ ଦେବା ସହିତ ଆପଣ ୩୫ ଲକ୍ଷ ଟଙ୍କାର ଲଟେରୀ ଜିତିଛନ୍ତି ବୋଲି ପ୍ରଲୋଭନ ଦେଖାଯାଇଥିଲା । ନୀତା ଏଥିରେ ବିସ୍ମିତ ହୋଇ ଲଟେରୀ କେମିତି ଜିତିଲେ ବୋଲି ପଚାରିଥିଲେ । ଲକି ସିମ ଡ୍ର ସମୟରେ ଆପଣ ଲଟେରୀ ଜିତିଛନ୍ତି ବୋଲି ଠକ ଜଣକ କହିଥିଲା । ପର ଦିନ ପୁଣି ସେହି ବ୍ୟକ୍ତି ଜଣକ ଫୋନ କରି ଲଟେରୀ ଟଙ୍କା ଆପଣଙ୍କ ଆକାଉଣ୍ଟରେ ପକାଇ ଦିଆଯିବ ହେଲେ ଏଥିପାଇଁ ସରକାରୀ ଟିକସ ବାବଦରେ ଦେୟ ସକାଶେ ବିକାଶ ରାମଙ୍କ ଆକାଉଣ୍ଟ ନମ୍ବର (୩୯୯୫୬୬୨୩୧)ରେ ୧୮,୨୦୦ ଟଙ୍କା ଜମା କରିବାକୁ କହିଥିଲା । ନୀତା ବେଲପାହାଡ଼ର ଏକ ବ୍ୟାକରେ ଉକ୍ତ ପରିମାଣର ଟଙ୍କା ଜମା କରିଥିଲେ । ଏହା ପରେ ପୁଣି ସେହିଦିନ ୩୫ ହଜାର, ୩୬ ହଜାର ପଠାଇଥିଲେ । ୨୫ ତାରିଖରେ ପୁଣି ୪୦ ହଜାର ଲେଖାଏଁ ଦୁଇ ଥର ୮୦ ହଜାର ଟଙ୍କା ଜମା କରିଥିଲେ ।