କେନ୍ଦ୍ର ସରକାର ଉପରେ ବର୍ଷିଲେ ନବୀନ
କେନ୍ଦ୍ର ସରକାର ଉପରେ ବର୍ଷିଲେ ନବୀନ
admin
Mar 24, 2019 - 07:48
Updated: Mar 24, 2019 - 07:48
ଭୁବନେଶ୍ୱର: ୨୦୧୯ ସାଧାରଣ ନିର୍ବାଚନରେ କେନ୍ଦ୍ର ସରକାର ଗଠନରେ ବିଜୁ ଜନତା ଦଳର ପ୍ରମୁଖ ଭୂମିକା ରହିବ । ନୟାଗଡ଼ରେ ଅନୁଷ୍ଠିତ ନିର୍ବାଚନୀ ପ୍ରଚାର ସମାବେଶରେ ଉଦବୋଧନ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉଦବୋଧନ ବେଳେ ନବୀନ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିବା ସହ ଆଗାମୀ ନିର୍ବାଚନରେ ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ କହିଥିଲେ ।
ନୟାଗଡ଼ ମାଟିରୁ ନବୀନ ପଟ୍ଟନାୟକ ପ୍ରଚାର ଆରମ୍ଭ କରିଛନ୍ତି । ଏହି ଅବସରରେ ସେ କହିଥିଲେ ଯେ, ଆସ୍କାରୁ ପ୍ରମିଳା ବିଶୋୟୀଙ୍କୁ ଲୋକସଭା ସାଂସଦ ପ୍ରାର୍ଥୀ କରାଯାଇଛି । ସରକାରଙ୍କ ପକ୍ଷରୁ ମିଶନ ଶକ୍ତି ଜରିଆରେ ମହିଳାଙ୍କୁ ଲୋନ ଦିଆଯାଉଛି । ସାରା ଦେଶରେ ପ୍ରଥମ ଥର ପାଇଁ କାଳିଆ ଯୋଜନା ଲାଗୁ କରାଯାଇଛି । ଏହି ଯୋଜନାରେ ୩୫ ଲକ୍ଷ ଚାଷୀଙ୍କୁ ସହାୟତା ମିଳିଛି । ଜଣେ ବି ଚାଷୀ ଯେମିତି ଏହି ଯୋଜନାରୁ ବଞ୍ଚିତ ନହେବେ ସେ ନେଇ ମୁଁ ନଜର ରଖିଛି । ତେବେ କିଛି ବିରୋଧୀ ଏହାକୁ ନେଇ ଅପପ୍ରଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ।
ସେହିପରି ନବୀନ ପଟ୍ଟନାୟକ ଏହି ଅବସରରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଯେ, ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରଦାନ ପାଇଁ ଆମେ ଲଢେଇ ଜାରି ରଖିଛୁ । ବିଜେପି ତା’ର ଇସ୍ତହାର କମିଟିରେ ସ୍ୱତନ୍ତ୍ର ପାହ୍ୟା ପ୍ରତିଶ୍ରୁତି ଦେଇଥିଲା । ତେବେ କେନ୍ଦ୍ରରେ ସରକାର ଗଠନ କରିବା ପରେ ସ୍ୱତନ୍ତ୍ର ପାହ୍ୟା କଥା ଭୁଲିଗଲେ ବୋଲି ନବୀନ କହିବା ସହ ଏହା କେନ୍ଦ୍ରୀୟ ଅବହେଳା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି ।
ଏହି ସମାବେଶରେ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ନୟାଗଡ଼ ବିଧାୟକ ଅରୁଣ ସାହୁ, ପୁରୀ ସାଂସଦ ପିନାକୀ ମିଶ୍ର, ବିଧାୟକ ଅନୁଭବ ପଟ୍ଟନାୟକ, ବିଧାୟକ ରବିନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।