କୃଷକ ସଂଗଠନ ପକ୍ଷରୁ ‘ଭାରତ ବନ୍ଦ’ ଦେଶ ଓ ରାଜ୍ୟରେ ଯାନବାହନ ଚଳାଚଳ ଠପ୍

କୃଷକ ସଂଗଠନ ପକ୍ଷରୁ ‘ଭାରତ ବନ୍ଦ’ ଦେଶ ଓ ରାଜ୍ୟରେ ଯାନବାହନ ଚଳାଚଳ ଠପ୍

କୃଷକ ସଂଗଠନ ପକ୍ଷରୁ ‘ଭାରତ ବନ୍ଦ’ ଦେଶ ଓ ରାଜ୍ୟରେ ଯାନବାହନ ଚଳାଚଳ ଠପ୍

ନୂଆଦିଲ୍ଲୀ/ଭୁବନେଶ୍ବର: ତିନି ବିବାଦୀୟ କୃଷି ଆଇନ ସଂପୂର୍ଣ୍ଣ ଉଚ୍ଛେଦ ପ୍ରତିବାଦରେ ଆରମ୍ଭ ହୋଇଥିବା କୃଷକ ଆନ୍ଦୋଳନର ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ‘ସଂଯୁକ୍ତ କିଷାନ୍ ମୋର୍ଚ୍ଚା’ (ଏସ୍କେଏମ୍) ଦେଇଥିବା ଭାରତ ବନ୍ଦ ଡାକରା ସୋମବାର ସକାଳୁ ଦେଶର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଛି। ଏଥି ଯୋଗୁଁ ଦେଶରେ ବିଭିନ୍ନ ଅଞ୍ଚଳରେ ଧାରଣା ଦିଆଯିବା ସହ ରାସ୍ତା ଅବରୋଧ କରାଯାଇଛି।

ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ଅପରାହ୍ଣ ୪ଟା ପର୍ୟ୍ୟନ୍ତ ବଳବତ୍ତର ରହିବ। ଏଥିପାଇଁ ଦେଶବ୍ୟାପୀ ସମସ୍ତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ, ଶିକ୍ଷା ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ, ଦୋକାନ, ଶିଳ୍ପ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ତଥା ସର୍ବସାଧାରଣ କାର୍ୟ୍ୟକ୍ରମ ଓ ଉତ୍ସବ ବନ୍ଦ କରାଇବା ପାଇଁ ‘ଏସ୍କେଏମ୍’ ନିବେଦନ କରିଛି। 

କୃଷକମାନେ ଦେଇଥିବା ଭାରତ ବନ୍ଦ ଡାକରା ସମ୍ପର୍କରେ ଆଜି ‘ଭାରତୀୟ କିଷାନ୍ ୟୁନିୟନ୍’ର  (ବିକେୟୁ) ନେତା ରାକେଶ ଟିକାୟତ କହିଛନ୍ତି ଯେ ସେମାନେ କିଛି ବନ୍ଦ କରି ନାହାନ୍ତି, କେବଳ ବାର୍ତ୍ତା ଦେବାକୁ ଚାହାଁନ୍ତି। ଆମ୍ବୁଲାନ୍ସ୍, ଡାକ୍ତର ଏବଂ ଜରୁରୀ ପାସ୍ଧାରୀମାନେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ଯାଇ ପାରିବେ। ଜରୁରୀ ସେବାକୁ କେହି ଅଟକାଇବେ ନାର୍ହି।  ଏବେ ଦୋକାନ ବନ୍ଦ ରଖି ଅପରାହ୍ଣ ୪ଟା ପରେ ଖୋଲିବାକୁ ଆମେ ଦୋକାନୀମାନଙ୍କୁ ନିବେଦନ କରିଛୁ। ଏଠାକୁ ବାହାରୁ କୌଣସି କୃଷକ ଆସୁ ନାହାନ୍ତି।

ହରିୟାଣାର କୁରୁକ୍ଷେତ୍ର ଅନ୍ତର୍ଗତ ଶାହାବାଦ୍ରେ ପ୍ରତିବାଦକାରୀ କୃଷକମାନେ ଦିଲ୍ଲୀ-ଅମୃତସର ଜାତୀୟ ରାଜପଥ ଅବରୋଧ କରିଛନ୍ତି। କୃଷକମାନଙ୍କ ପ୍ରତିବାଦ ହେତୁ, ଉତ୍ତର ପ୍ରଦେଶରୁ ଦିଲ୍ଲୀର ଗାଜିପୁର ସୀମାନ୍ତକୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଲାଲ୍ କିଲ୍ଲାର ଦୁଇଟି ‘କ୍ୟାରେଜ୍ୱେ’ ବନ୍ଦ ରହିଥିବା କଥା ଦିଲ୍ଲୀ ପୁଲିସ ସୂଚନା ଦେଇଛି। ସେହିପରି, ‘ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍’ ପଣ୍ଡିତ ଶ୍ରୀରାମ ଶର୍ମା ମେଟ୍ରୋ ଷ୍ଟେସନ୍ର ପ୍ରବେଶ ଓ ପ୍ରସ୍ଥାନ ଫାଟକ ବନ୍ଦ ରଖିଛି। ସେହିପରି ଓଡ଼ିଶାରେ ମଧ୍ୟ ଭାରତ ବନ୍ଦକୁ କଂଗ୍ରେସ, କମ୍ୟୁନିଷ୍ଟ ଦଳ ଏବଂ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ସମର୍ଥନ କରାଯାଇଛି। ଫଳରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶେଷକରି ପଶ୍ଚିମ ଓଡ଼ିଶାରେ ବିଭିନ୍ନ ସ୍ଥାନରେ କୃଷକ ନେତାମାନେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଜାତୀୟ ରାଜପଥ ଓ ରେଳପଥ ଅବରୋଧ କରିବା ଫଳରେ ଯାନବାହନ ଓ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରାଜଧାନୀରେ ମଧ୍ୟଏହାର ପ୍ରଭାବ ଦେଖିବାକୁ ମିଳିଛି। 

ଭାରତ ବନ୍ଦ୍ ହେତୁ ଓଡ଼ିଶାରେ ‘ଓଏସ୍ଆର୍ଟିସି’ ବସ୍ ଚଳାଚଳ ଅପରାହ୍ଣ ୩ଟା ପର୍ୟ୍ୟନ୍ତ ସ୍ଥଗିତ ରହିଛି।