୬୫ ଘଣ୍ଟାରେ ୨୪ ବୈଠକରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
୬୫ ଘଣ୍ଟାରେ ୨୪ ବୈଠକରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୩ ଦିନିଆ ଆମେରିକା ଗସ୍ତ ଶେଷ କରି ସ୍ବଦେଶ ଫେରି ଆସିଛନ୍ତି। ୬୫ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ୨୪ଟି ବୈଠକରେ ଯୋଗ ଦେଇଛନ୍ତି। ଏଥିରେ ୪ଟି ଦୀର୍ଘ ଏବଂ ଗୁରୁତ୍ବପୂର୍ଣ୍ଣ ବୈଠକ ରହିଛି। ଏପରିକି ମୋଦି ଆମେରିକାକୁ ଯିବା ଏବଂ ଫେରିବା ସମୟରେ ମଧ୍ୟ ବିମାନରେ ଏକାଧିକ ଅଫିସ ଫାଇଲ୍ରେ ଦସ୍ତଖତ କରି ସମୟର ସଦୁପଯୋଗ କରିଛନ୍ତି। ଗସ୍ତଗୁଡ଼ିକୁ ଯଥାସମ୍ଭବ ବିଷୟଭିତ୍ତିକ ରଖିବାରେ ପ୍ରଧାନମନ୍ତ୍ରୀ ସଫଳ ହୋଇଛନ୍ତି। ଆମେରିକାକୁ ଯିବାବେଳେ ସେ ବିମାନରେ ଗତ ୨୨ ତାରିଖରେ ଦୁଇଟି ବୈଠକ କରିଥିଲେ। ଏଥିରେ ଆମେରିକା ଗସ୍ତ ସମୟରେ ତାଙ୍କର କାର୍ୟ୍ୟକ୍ରମ ଗୁଡ଼ିକ ସଂପର୍କରେ ଅଧିକାରୀମାନେ ତାଙ୍କୁ ଅବଗତ କରାଇଥିଲେ।
ଆମେରିକାରେ ପହଞ୍ଚିବା ପରେ ୱାସିଂଟନଠାରେ ହୋଟେଲରେ ୩ଟି ବୈଠକ କରିଛନ୍ତି। ସେପ୍ଟେମ୍ବର ୨୩ରେ ଆମେରିକାର ସିଇଓମାନଙ୍କ ସହିତ ୫ଟି ପୃଥକ୍ ବୈଠକ ପ୍ରଧାନମନ୍ତ୍ରୀଙ୍କର ହୋଇଛି। ତାହାପରେ ଆମେରିକାର ଉପରାଷ୍ଟ୍ରପତି କମଳା ହାରିସ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ, ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କ ସହିତ ମୋଦୀଙ୍କ ସାକ୍ଷାତ ଆଲୋଚନା ହୋଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ୩ଟି ଅନ୍ତର୍ଜାତୀୟ ବୈଠକରେ ଯୋଗ ଦେଇଛନ୍ତି। ୨୪ ତାରିଖରେ ପ୍ରଧାନମନ୍ତ୍ରୀ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବା ଏବଂ କ୍ବାଡ୍ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ଭାରତୀୟ ଅଧିକାରୀଙ୍କ ସହିତ ୩ଟି ବୈଠକ କରିଥିଲେ। ୨୫ ତାରିଖରେ ମୋଦି ଭାରତକୁ ବିମାନରେ ଆସିବା ସମୟରେ ୨ଟି ବୈଠକ କରିଛନ୍ତି। ଭାରତରେ ପହଞ୍ଚିବା ପରେ ରବିବାର ମଧ୍ୟ ସେ ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ଅପରାହ୍ଣ ୪ଟାରେ ବୈଠକ କରିଛନ୍ତି। ଆମେରିକାରୁ ତାଙ୍କ ବିମାନ ଭାରତକୁ ଆସିବାର କିଛି ସମୟ ପୂର୍ବରୁ ମୋଦୀ ଏକ ଟ୍ବିଟ୍ କରିଥିଲେ। ସେଥିରେ ସେ ଉଲ୍ଲେଖ କରିଥିଲେ ଯେ ତାଙ୍କ ଆମେରିକା ଗସ୍ତ ଉଭୟ ଦ୍ବିପାକ୍ଷିକ ଓ ବହୁପାକ୍ଷିକ ଦୃଷ୍ଟିରୁ ଫଳପ୍ରଦ ହୋଇଛି।




admin 