କାର୍ତ୍ତିକରେ ମିଳିବ ମହାପ୍ରସାଦ!
କାର୍ତ୍ତିକରେ ମିଳିବ ମହାପ୍ରସାଦ!
admin
Oct 21, 2020 - 09:15
Updated: Oct 21, 2020 - 09:15
ପୁରୀ: ପବିତ୍ର ମାସ କାର୍ତ୍ତିକରେ ଭକ୍ତଙ୍କୁ ମିଳିବ ମହାପ୍ରସାଦ । ଏଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ସୁଆର ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ନିଯୋଗ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଆଲୋଚନା କରିଛି । ମୁଖ୍ୟ ପ୍ରଶାସକ ବି ଏଥିରେ ସହମତି ଜଣାଇଥିବା ସେ କହିଛନ୍ତି । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏ ସମ୍ପର୍କରେ କିଛି ସ୍ପଷ୍ଟ କରିନି । କରୋନା ସଂକ୍ରମଣକୁ ଆଖି ଆଗରେ ରଖି ମାର୍ଚ୍ଚ ୨୦ ରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି । ତଥାପି ମହାପ୍ରସାଦ ବିକି୍ର ସ୍ୱାଭାବିକ ରହିଥିଲା । କେବଳ କିଛିଟା କଟକଣା ଲଗାଯାଉଥିଲା । ତେବେ କୋଭିଡ ନିୟମକୁ ଉଲ୍ଲଂଘନ କରି ମହାପ୍ରସାଦ ପାଇଁ ଭକ୍ତମାନେ ଶ୍ରୀମନ୍ଦିର ଚାରିଦ୍ୱାରରେ ଭିଡ଼ ଲଗାଇଥିଲେ । ସାବିତ୍ରୀ ଭଳି ବାମନ ଜନ୍ମରେ ବି ହଜାର ହଜାର ଭକ୍ତଙ୍କ ଭିଡ଼ ଶ୍ରୀମନ୍ଦିର ବାହାରେ ଦେଖିବାକୁ ମିଳିଥିଲା । ଏହା ସଂକ୍ରମଣର ଭୟ ସୃଷ୍ଟି କରିବାରୁ ଶ୍ରୀମନ୍ଦିର ପ୍ରଶାସନ ମହାପ୍ରସାଦ ବିକି୍ରରେ କଟକଣା ଲଗାଇଥିଲା । କେବଳ ପୁରୀ ସହରର ଅଳ୍ପ କିଛି ଲୋକଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତି ଓ ବିକି୍ରର ଅନୁମତି ମିଳିଥିଲା । ଦୈନିକ ପ୍ରାୟ ୧୨ ଶହ ଜଣଙ୍କ ପାଇଁ ମହାପ୍ରସାଦ ପ୍ରସ୍ତୁତ କରିବାକୁ ସୁଆର ମହାସୁଆର ନିଯୋଗକୁ ନିଦେ୍ର୍ଧଶ ଦିଆଯାଇଥିଲା । କିନ୍ତୁ ଆଗକୁ ପବିତ୍ର କାର୍ତ୍ତିକ ମାସ ପଡ଼ୁଛି । ଏହି ମାସରେ ବୁଢ଼ାବୁଢ଼ୀମାନେ ହବିଷାନ୍ନ ସେବନ କରିଥାନ୍ତି । ବେଳିକିଆ ମହାପ୍ରସାଦ ସେବନ କରି ବ୍ରତ ପାଳିଥାନ୍ତି । ପ୍ରତିବର୍ଷ ଏଥିପାଇଁ ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଭିଡ଼ ଜମେ । ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଯୋଜନାରେ ସ୍ୱତନ୍ତ୍ର ବ୍ୟବସ୍ଥା ବି କରାଯାଇଥାଏ । ଚଳିତ ବର୍ଷ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏହି ଯୋଜନାକୁ ବନ୍ଦ ରଖାଯାଇଛି । କିନ୍ତୁ କାର୍ତ୍ତିକରେ ମହାପ୍ରସାଦର ଆବଶ୍ୟକତା ଅଧିକ ଥିବାରୁ ଭକ୍ତ ଯେଭଳି ସୁବିଧାରେ ଏହା ପାଇପାରିବେ ସେ ଉପରେ ଦୃଷ୍ଟି ଦେବାକୁ ନିଯୋଗ ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା । ଏ ସମ୍ପର୍କରେ ନିଯୋଗ ସମ୍ପାଦକ ଶ୍ରୀ ପ୍ରତିହାରୀ କହିଛନ୍ତି ଆମେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ କଟକଣା ଭିତରେ ମହାପ୍ରସାଦ ବିକି୍ର ଉପରେ ଆଲୋଚନା କରୁଛୁ । ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାରରେ ସ୍ୱତନ୍ତ୍ର କାଉଣ୍ଟର କରିବାକୁ ପ୍ରସ୍ତାବ ଦେଇଛୁ ଧାଡ଼ିରେ ଯେଭଳି ଭକ୍ତମାନେ ରହିବେ, ସେଥିପାଇଁ ବ୍ୟବସ୍ଥା କରିବାକୁ କହିଛୁ । ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଯେଭଳି ଟୋକନ ଦେଇ ମହାପ୍ରସାଦ ନେବା ବ୍ୟବସ୍ଥା କରାଯାଇଥିଲା, ସେଭଳି ବ୍ୟବସ୍ଥା କରିବାକୁ କହିଛୁ । ମୁଖ୍ୟ ପ୍ରଶାସକ ଏଥିରେ ସହମତି ଜଣାଇଛନ୍ତି । ଆଗାମୀ ତିନି ଚାରିଦିନ ଭିତରେ ଏଭଳି ବ୍ୟବସ୍ଥା ଲାଗୁ ହୋଇପାରେ ବୋଲି ସେ କହିଛନ୍ତି ।