କାରରୁ ଡେଇଁ ବର ଫେରାର, ହୋଟେଲରୁ କନ୍ୟା ଫେରିଲା

କାରରୁ ଡେଇଁ ବର ଫେରାର, ହୋଟେଲରୁ କନ୍ୟା ଫେରିଲା

କାରରୁ ଡେଇଁ ବର ଫେରାର, ହୋଟେଲରୁ କନ୍ୟା ଫେରିଲା
କଟକ-ମହାନଦୀ ବିହାର: ନୟାସଡ଼କସ୍ଥିତ ଆଇଆଇଏଫଏଲ ଡକାୟତି ଘଟଣାରେ ୭ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ କଟକ ସହରରେ ଥିବା ଅନ୍ୟ ଏକ ସୁନାଲୋନ ବ୍ୟାଙ୍କ କର୍ମଚାରୀଙ୍କ ବିଷୟରେ ପୁଲିସ ବିଭିନ୍ନ ତଥ୍ୟ ପାଇ ଚଢ଼ଉ ଜାରି ରଖିଛି । ଏହି ସମୟରେ ଗିରଫ ଭୟରେ ଗୋଲଡ ଲୋନ ସଂସ୍ଥାର ଜଣେ କର୍ମଚାରୀ ନିଜ ବାହାଘର ଛାଡ଼ି ଫେରାର ହୋଇଯାଇଛନ୍ତି । ହୋଟେଲରୁ କନ୍ୟା ଓ ତାଙ୍କ ପରିବାର ଲୋକେ ନିରାଶ ହୋଇ ଫେରିଛନ୍ତି । ସୂଚନା ଅନୁଯାୟୀ ଶିଖରପୁର ସ୍ଥିତ ଏକ ହୋଟେଲରେ ଏକ ଗୋଲଡ ଲୋନ ବ୍ୟାଙ୍କର ଜଣେ କର୍ମଚାରୀଙ୍କ ଦିନରେ ବାହାଘର ହେବାର ଥିଲା । ତେବେ ନୟାସଡ଼କ ସୁନା ଡକାୟତି ହେବା ପରେ ଗତ ଦୁଇ ଦିନ ହେଲା ପୁଲିସ ବିଭିନ୍ନ ଜାଗାରେ ଚଢ଼ଉ ଜାରି ରଖିଥିବାରୁ ଏହାର ପ୍ରଭାବ ଉକ୍ତ ବାହାଘରରେ ଦେଖିବାକୁ ମିଳିଥିଲା । କଟକର ଏକ ଗୋଲଡ ଫାଇନାନ୍ସରେ ଚାକିରି କରିଥିବା ଏହି ଯୁବକ ବାହାଘର ପାଇଁ ବର ବେଶ ସାଜି ଶିଖରପୁରକୁ ଆସୁଥିବା ବେଳେ ତାଙ୍କ ଉପରେ ପୁଲିସ ନଜର ପଡ଼ିଥିଲ । ପୁଲିସକୁ ଦେଖି ଯୁବକ ଜଣକ ଭୟରେ ଆଉ ବାହାଘର ମଣ୍ଡକୁ ନ ଆସି କାରରୁ ଓହ୍ଲାଇ ଦୌଡ଼ି ପଳାଇଥିଲେ । ପୁଲିସ ବର ପିଛା କରିଥିଲେ ବି ଧରି ପାରିନଥିଲା । ଏଣେ ଝିଅର ଘର ଲୋକେ ହୋଟେଲରେ ବରକୁ ଅପେକ୍ଷା କରି ରହିଥିଲେ । ରାତି ୯ା ପର୍ଯ୍ୟନ୍ତ ବର ନ ଆସିବାରୁ ଝଅଘର ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶେଷରେ ଝିଅଘର ଲୋକ ନିରାଶ ହୋଇ ଘରକୁ ଫେରିଥିଲେ । ଏପଟେ ସାଦା ପୋଷାକରେ କେତେଜଣ ପୁଲିସ ହୋଟେଲ ସାମ୍ନାରେ ଜଗି ରହିଥିଲେ ସିନା ବର ଆଉ ଆସି ନଥିଲା ।