କାବୁଲ୍ ବିମାନବନ୍ଦରରେ ଖୁସି ମନାଇଲା ତାଲିବାନ୍, ଶୂନ୍ୟକୁ ଗୁଳି ବର୍ଷା
କାବୁଲ୍ ବିମାନବନ୍ଦରରେ ଖୁସି ମନାଇଲା ତାଲିବାନ୍, ଶୂନ୍ୟକୁ ଗୁଳି ବର୍ଷା

କାବୁଲ : କାବୁଲ ବିମାନବନ୍ଦରରୁ ସମସ୍ତ ଆମେରେକୀୟ ସୈନ୍ୟ ପ୍ରତ୍ୟାବର୍ତ୍ତନ କରିବା ପରେ ଖୁସି ମନାଇଛି ତାଲିବାନ। କାବୁଲ୍ର ହାମିଦ୍ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରକୁ ତାଲିବାନ୍ ସଂପୂର୍ଣ୍ଣ କବ୍ଜାକୁ ନେଇଛି। ସୋମବାର ରାତି ୧୨ଟାରେ ସଂପୂର୍ଣ୍ଣ ଆଫଗାନିସ୍ତାନ ତାଲିବାନ୍ କବ୍ଜାରେ ଥିବା ଘୋଷଣା କରିବା ସହିତ ଶୂନ୍ୟକୁ ଗୁଳିଗୋଳା ବର୍ଷଣ କରି ସ୍ବାଧୀନତା ଦିବସ ପାଳନ କରିଛି। ଏପଟେ ଦେଶ ଛାଡ଼ିବାକୁ ଅପେକ୍ଷା କରିଥିବା ହଜାର ହଜାର ଆଫଗାନସ୍ତାନୀ ବାସିନ୍ଦା ନିରାଶ ହୋଇ ବିମାନବନ୍ଦର ଛାଡ଼ି ଦେଇଥିବା ଜଣାପଡ଼ିଛି। ହଜାର ହଜାର ଲୋକଙ୍କ ଗହଳିରେ ଥିବା ବିମାନନ୍ଦରରେ ଆଜି ନିରାବତା ଛାଇ ଯାଇଛି।
ଅନ୍ୟପକ୍ଷରେ ଆମେରିକା ଓ ଏହାର ମିତ୍ର ରାଷ୍ଟ୍ରମାନଙ୍କ ଦ୍ୱାରା ଚାଲିଥିବା ଉଦ୍ଧାର ପ୍ରକ୍ରିୟାକୁ ରକ୍ତରଂଜିତ କରିବା ପାଇଁ ଇସଲାମିକ ଷ୍ଟେଟ (ଆଇଏସ) ଆତଙ୍କବାଦୀ ସଂଗଠନ ସୋମବାର ସକାଳେ ଘନଘନ ରକେଟ ମାଡ଼ କରିଥିଲା। ବିମାନବନ୍ଦର ନିକଟବର୍ତ୍ତୀ ଅଂଚଳରୁ ସୋମବାର ସକାଳେ ଲଗାତାର ୫ଟି ରକେଟ ଆକ୍ରମଣ ହୋଇଥିଲା । କିନ୍ତୁ ବିମାନବନ୍ଦରରେ ମୁତୟନ ଥିବା ଆମେରିକାର ରକେଟ ବିଧ୍ୱଂସୀ କ୍ଷେପଣାସ୍ତ୍ର ଏହି ରକେଟ ଗୁଡ଼ିକୁନଷ୍ଟ କରିଦେଇଛି । ୪ଟି ରକେଟରେ ଆକାଶରେ ହିଁ ଧ୍ୱସ୍ତ ହୋଇଥିବା ବେଳେ ଗୋଟିଏ ରକେଟ ଏହାର ଦିଗ ବଦଳାଇ ଜନବସତିରେ ପଡ଼ିବାରୁ କ୍ଷୟକ୍ଷତି ହୋଇଥିବା ଜଣାପଡ଼ିଛି । ଏହି ରକେଟ ଆକ୍ରମଣ ପାଇଁ ଆଇଏସ-କେ ଆତଙ୍କବାଦୀ ଗୋଷ୍ଠୀ ନିଜକୁ ଦାୟୀ କରିଛି । ଗତକାଲି ମଧ୍ୟ ବିମାନବନ୍ଦରରେ ରକେଟ ଆକ୍ରମଣ ହୋଇଥିଲା । ଅନ୍ୟପକ୍ଷେ ଆତଙ୍କବାଦୀଙ୍କ ବିରୋଧରେ ଆମେରିକାର ଡ୍ରୋନ ଆକ୍ରମଣରେ ୬ ଜଣ ଶିଶୁଙ୍କ ସମେତ ୧୦ ଜଣ ସ୍ଥାନୀୟ ବାସିନ୍ଦାଙ୍କ ମୃତୁ୍ୟ ହୋଇଛି । ଆମେରିକା କେନ୍ଦ୍ରୀୟ କମାଣ୍ଡ ପକ୍ଷରୁ ଜାରି ବିବୃତି ଅନୁଯାୟୀ ଗତକାଲି କାବୁଲ ବିମାନବନ୍ଦରକୁ ଆଇଏସ ଆତଙ୍କବାଦୀଙ୍କ କାର ବୋମା ଟାର୍ଗେଟ କରିବାକୁ ଆସୁଥିବା ସୂଚନା ମିଳିବାପରେ ଆମେରିକା ତତକ୍ଷଣାତ ଡ୍ରୋନ ଆକ୍ରମଣ କରିଥିଲା । ଡ୍ରୋନ ଆକ୍ରମଣ ଦ୍ୱାରା ଉକ୍ତ ଗାଡ଼ିଟିକୁ ଜନଗହଳିପୂର୍ଣ୍ଣ ଅଂଚଳରେ ଉଡ଼ାଇ ଦିଆଯାଇଥିଲା । ଏହି ସାମରିକ କାର୍ୟ୍ୟାନୁଷ୍ଠାନରେ ୨ ଜଣ ଆତଙ୍କବାଦୀ ଓ ୧୦ ଜଣ ନାଗରିକଙ୍କ ମୃତୁ୍ୟ ହୋଇଥିବା ସ୍ପଷ୍ଟ ହୋଇଛି ।