କହି ଜାଣିଲେ କଥା ସୁନ୍ଦର, ଧ୍ୟାନ ରଖନ୍ତୁ ଏହି କଥା
କହି ଜାଣିଲେ କଥା ସୁନ୍ଦର, ଧ୍ୟାନ ରଖନ୍ତୁ ଏହି କଥା
ଭୁବନେଶ୍ୱର: ଯଦି ଆପଣଙ୍କୁ କିଏ ଖରାପ ବ୍ୟବହାର କରୁଛି ,ତେବେ ସେ ସମୟରେ ଆପଣଙ୍କୁ ବହୁ ଦୁଃଖ ଲାଗିଥାଏ । ତେବେ ଆପଣ ସେ କଥାକୁ ବାରମ୍ବାର ମନେପକାଇ ନିଜ ଦୁଃଖକୁ ଆହୁରି ଦ୍ୱିଗୁଣିତ କରିଦେଇଥାନ୍ତି । ପୁଣି ବେଳେବେଳେ ଆପଣଙ୍କ ମନରେ ସ୍ଥାୟୀ ରୂପରେ ଏ ଘଟଣା ପ୍ରତିଶୋଧର ନିଆଁରେ ପରିଣତ ହୋଇଯାଏ । ପ୍ରାଚୀନକାଳରେ ସନ୍ଥ ଓ ଋଷିମାନେ କହୁଥିଲେ, ଆମକୁ ନମ୍ର ଓ କ୍ଷମାଶାଳୀ ହେବା ଆବଶ୍ୟକ । ଏଠାରେ ଆମେ ଗୌତମ ବୁଦ୍ଧଙ୍କ କଥା କହିବାକୁ ଚାହିଁବୁ । ସେ କହିଥିଲେ, ଆମେ ମାତା ଧରିତ୍ରୀ ପରି ସହନଶୀଳ ହେବା ଆବଶ୍ୟକ ।
ଛାଡ଼ନ୍ତୁନି ସଂଯମର ହାତ
ଘର ହେଉକି ଅଫିସ୍ ପ୍ରତିଦିନ ଦିନଚର୍ୟ୍ୟା ମଧ୍ୟରେ ଛୋଟମୋଟ ବୈଚାରିକ ମତଭେଦ ଦେଖାଯିବା ସ୍ୱାଭାବିକ । ଏପରି ସ୍ଥିତିରେ ଆପଣ ନିଜର ଧୈର୍ୟ୍ୟଶକ୍ତି ହରାଇବା ଉଚିତ ନୁହେଁ । ହୋଇପାରେ ଏପରି ସ୍ଥିତିରେ ଆପଣଙ୍କୁ ଅଧିକ ରାଗ ଲାଗିପାରେ । ସାମ୍ନାରେ ଉପସ୍ଥିତ ବ୍ୟକ୍ତି ପାଇଁ ମନରେ କେତେକ ନକାରାତ୍ମକ ବିଚାରଧାରା ଆସୁଥିବ, କିନ୍ତୁ ଅମାନିଆ ମନକୁ ନିୟନ୍ତ୍ରିତ କରିବା ବହୁ ଜରୁରୀ । ଯଦି କୌଣସି ପରିସ୍ଥିତିରେ ଏମିତି କିଛି ସମସ୍ୟା ଉପୁଜୁଛି ମନକୁ ନିୟନ୍ତ୍ରଣରେ ରଖି ଆଗକୁ ବଢ଼ନ୍ତୁ ।
ଜୀବନ : ସୁଖ-ଦୁଃଖର ସମନ୍ୱୟ
ସର୍ବପ୍ରଥମେ ଏହା ବୁଝିବା ଜରୁରୀ ଯେ ଜୀବନ ହେଉଛି ସୁଖ-ଦୁଃଖର ସମନ୍ୱୟ । ଯେମିତି ଆମେ ସୁଖକୁ ସହଜରେ ଗ୍ରହଣକରୁ ସେମିତି ଦୁଃଖକୁ ଧୈର୍ୟ୍ୟର ସହ ସାମ୍ନା କରିବାକୁ ପଡ଼ିବ । ଜୀବନ ରାସ୍ତାରେ ଚାଲିବା ସମୟରେ ଝୁଣ୍ଟିବା ଏବଂ ପାଦରେ କଣ୍ଟା ଲାଗିବା ଏକ ସାଧାରଣ କଥା । ଆପଣ ଏକଥା ମନରେ ଭାବିନିଅନ୍ତୁ ଯେ ଜୀବନରେ ପ୍ରତିଟି ମୁହୂର୍ତ୍ତ ଆମ ପାଇଁ ସୁଖ ହୋଇ ନ ପାରେ । ଅନ୍ୟମାନେ ସବୁବେଳେ ଆପଣଙ୍କୁ ପ୍ରଶଂସା କରିବେ ତାହା ଠିକ୍ ନୁହେଁ । ଆପଣଙ୍କ ସମ୍ବନ୍ଧରେ ଆଲୋଚନା ଶୁଣିବାକୁ ସବୁବେଳେ ପ୍ରସ୍ତୁତ ରୁହନ୍ତୁ । ଅନ୍ୟର ଫିଡବ୍ୟାକକୁ ଗମ୍ଭୀରତାର ସହ ନିଅନ୍ତୁ ଏବଂ ତାକୁ ଆଧାରକରି ନିଜ ଭୁଲକୁ ସୁଧାରିବାକୁ ଚେଷ୍ଟା କରନ୍ତୁ । ‘ମୁଁ ସବୁଠୁ ଜ୍ଞାନୀ ଓ ବାକି ସବୁ ଅଜ୍ଞାନ ’-ଏପରି ଭାବନା ମନରେ ଆସିବାକୁ ଦିଅନ୍ତୁ ନାହିଁ । ଦିନରାତି ଈର୍ଷା, ଦ୍ୱେଷ ଏବଂ ପ୍ରତିଶୋଧର ନିଆଁରେ ଜଳୁଥିବା ବ୍ୟକ୍ତି ନିଜର ପାର୍ଶ୍ୱ ବାତାବରଣକୁ ନକାରାତ୍ମକ ଭାବନରେ ପରିପୂର୍ଣ୍ଣ କରିଦେଇଥାନ୍ତି । ଏପରି ସମସ୍ୟାରୁ ରକ୍ଷା ପାଇବାକୁ ହେଲେ ଶରୀର ମନ ଓ ଆତ୍ମା ମଧ୍ୟରେ ଠିକ୍ ତାଳମେଳ ରହିବା ଆବଶ୍ୟକ । ଅନ୍ୟର ଖରାପ ଚିନ୍ତା କରିବା ଅପେକ୍ଷା ସଚ୍ଚୋଟତା ସହ ଆତ୍ମମନ୍ଥନ କରିବା ସଙ୍ଗେ ସଙ୍ଗେ ନିଜର ଭୁଲ୍ କ’ଣ ରହୁଛି ତାକୁ ସୁଧାରିବାକୁ ଚେଷ୍ଟା କରନ୍ତୁ ।
ଅତି ଭାବୁକତା ହେବା କ୍ଷତିକାରକ
ଚିନ୍ତାମୁକ୍ତ ଜୀବନ ଲାଗି ଭାବନାତ୍ମକ ଚିନ୍ତାଧାରାକୁ ନିଜଠୁ ଦୂରେଇ ରଖିବା ଭଲ । ଏହି କଥା ସବୁବେଳେ ମନେରଖିବା ଉଚିତ ଯେ, ସମସ୍ତଙ୍କର ଭଲ ଓ ମନ୍ଦ ଭାବନା ରହିଛି । ବେଳେ ବେଳେ ମଣିଷ ଭାବନାତ୍ମକ ଚିନ୍ତାଧାରାକୁ ନେଇ ଚିନ୍ତାଗ୍ରସ୍ତ ହୋଇଥାଏ । ଅତୀତର କଟୁ କଥାକୁ ବାରମ୍ବାର ମନେ ନ ପକାଇବା ଭଲ । ମଝିରେ ମଝିରେ ମନକୁ ସଫା କରିବା ମଧ୍ୟ ଜରୁରୀ । ଏଥିପାଇଁ ନିୟମିତ ଯୋଗ ଏବଂ ଧ୍ୟାନ କରିପାରନ୍ତି । ଯେତେବେଳେ ଆପଣ ନିଜ ଭାବନାକୁ ଅଧିକାଂଶ ସମୟ ସନ୍ତୁଳିତ ରଖିପାରିବେ ସେତେବେଳେ ସାମ୍ନା କରୁଥିବା ସମସ୍ୟାଗୁଡ଼ିକ ଆଉ ଆପଣଙ୍କୁ ବୋଝ ସଦୃଶ ଲାଗିବ ନାହିଁ । ସେଗୁଡ଼ିକ ଆପଣ ସହଜରେ ମଧ୍ୟ ସମାଧାନ କରିପାରିବେ ।
କ୍ଷମା କରନ୍ତୁ, ଭୁଲିଯାନ୍ତୁ
ଆମର ଉନ୍ନତି ଓ ଖୁସିରେ ପ୍ରତିବନ୍ଧକ ସାଜିପାରେ ଅତୀତର ଦୁଃଖଦ ଘଟଣା, ଯାହା ବାରମ୍ବାର ନକାରାତ୍ମକ ଭାବନାକୁ ଜାଗ୍ରତ କରିଥାଏ । ଏହାଦ୍ୱାରା ଆମେ ବାରମ୍ବାର ରାଗିବା ସହ ଦୁଃଖୀ ହୋଇ ଅନ୍ୟମାନଙ୍କ ବିଷୟରେ ଖରାପ ଭାବିଥାଉ । ପ୍ରତିଶୋଧର ଭାବନାରୁ ନିଜକୁ ବାହାର କରିବାକୁ ହେଲେ ଯଦି ଆପଣଙ୍କୁ କିଏ ଖରାପ ବ୍ୟବହାର କରିଛି ତେବେ ସେ ଘଟଣାକୁ ଜଲଦି ଭୁଲିଯିବାକୁ ଚେଷ୍ଟା କରନ୍ତୁ । ତାକୁ କ୍ଷମା କରିବାକୁ ହେଲେ ନିଜ ହୃଦୟ ମଧ୍ୟ ସେତିକି ଉଦାର ହେବା ଦରକାର । ଯଦି ଆପଣ ସତ୍ ପଥରେ ଅଛନ୍ତି ତେବେ ଆପଣ ବିଚଳିତ ହେବା ଠିକ୍ ନୁହେଁ । ନିଜର ମାନସିକତାକୁ ସକାରାତ୍ମକ ରଖିଲେ ଆପଣ ନିଜ ଜୀବନକୁ ଭଲ ଭାବରେ ଉପଭୋଗ କରିପାରିବେ ।




admin 