କୌଶଲ୍ୟା-ଜୟରାମ-ସପ୍ତଗିରି ଲଢେଇ
କୌଶଲ୍ୟା-ଜୟରାମ-ସପ୍ତଗିରି ଲଢେଇ
admin
Mar 28, 2019 - 06:08
Updated: Mar 28, 2019 - 06:08
କୋରାପୁଟ ଲୋକସଭା ଆସନ ପାଇଁ ପ୍ରମୁଖ ଦଳ ଗୁଡିକ ପକ୍ଷରୁ ସରିଛି ଟିକେଟ ବଂଟନ । ଏଥରେ ଏହି ଆସନରେ ଜୟରାମ ପାଙ୍ଗି, ସପ୍ତଗିର ଉଲ୍ଲକା ଏବଂ କୌଶଲ୍ୟା ହିକକାଙ୍କ ମଧ୍ୟରେ ହେବ ତ୍ରିମୁଖୀ ଲଢେଇ । ସାଂସଦ ଝିନ୍ନ ହିକକାଙ୍କ ସ୍ତ୍ରୀ କୌଶଲ୍ୟାଙ୍କୁ ବିଜେଡି ଟିକେଟ ମିଳିଥିବା ବେଳେ ବିଜେପିରୁ ଜୟରାମ ଏବଂ କଂଗ୍ରେସରୁ ଟିକେଟ ମିଳିଛି ସପ୍ତଗିରିଙ୍କୁ । ସେହିପରି ସିପିଆଇ(ଏମଏଲ) ରୁ ଟିକେଟ ପାଇଛନ୍ତି ରାଜେନ୍ଦ୍ର କେଣ୍ଡୃକା । ଶ୍ରୀ କେଣ୍ଡୃକା ଗତ ୨୧ ତାରିଖରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତିଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆସନ୍ତା ୨୫ ତାରିଖରେ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀମାନେ ଦାଖଲ କରିବେ ନାମାଙ୍କନ । ତିନି ପ୍ରମୁଖ ଦଳରୁ ଟିକେଟ ବଂଟନ ସ୍ପଷ୍ଟ ହେବା ପରେ ଏବେ ରାଜନୈତିକ ତାତି ବଢିବାରେ ଲାଗିଛି ।
ଏଥର ଲୋକସଭା ମଇଦାନରେ କେବଳ ଜୟରାମଙ୍କୁ ଛାଡିଦେଲେ ଅନ୍ୟ ଦଳର ପ୍ରାର୍ଥୀମାନେ ହେଉଛନ୍ତି ନୁଆ ମୁହଁ । ଜୟରାମ କୋରାପୁଟ ଲୋକସଭା ଆସନରୁ ୭ଥର ପ୍ରତିଦ୍ୱନ୍ଦିତା କରିଛନ୍ତି । ସେଥିରୁ ୬ ଥର ପରାସ୍ତ ହୋଇଥିବା ବେଳେ ଥରୁଟିଏ ଅର୍ଥାତ ୨୦୦୯ ନିର୍ବାଚନରେ ବିଜୟୀ ହୋଇଥିଲେ । ଜଣେ ପୁରୁଖା ରାଜନେତା ଭାବେ ଏହି ନିର୍ବାଚନମଣ୍ଡଳୀରେ ସେ ବେଶ୍ ପରିଚିତ । ଅନ୍ୟପକ୍ଷରେ ବିଜେଡିର କୌଶଲ୍ୟା ଏବଂ କଂଗ୍ରେସର ସପ୍ତଗିରି ପରିବାର ରାଜନୈତିକ ଛବିକୁ ନେଇ ନିର୍ବାଚନକୁ ଓହ୍ଳାଇବେ । କୌଶଲ୍ୟ ହେଉଛନ୍ତି ସାଂସଦ ଝିନ୍ନଙ୍କ ସ୍ତ୍ରୀ । ଏଥର ଦଳ ଝିନ୍ନଙ୍କ ଅପେକ୍ଷା କୌଶଲ୍ୟାଙ୍କ ଉପରେ ଅଧିକ ଆସ୍ଥା ପ୍ରକଟ କରିଛି । ତାଙ୍କୁ ଟିକେଟ ଦେଇ ମହିଳା ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ଗୋଟି ଚଳାଇଛି । ସ୍ୱାମୀଙ୍କ ପରିଚୟ ଏବଂ ଦଳୀୟ ଚିହ୍ନକୁ ପାଥେୟ କରି ନିର୍ବାଚନ ରଣାଙ୍ଗନରେ ବିରୋଧୀଙ୍କ ମୁକାବିଲା କରିବେ କୌଶଲ୍ୟା ।
କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ହେଉଛନ୍ତି ସ୍ୱର୍ଗତ ରାମଚନ୍ଦ୍ର ଉଲ୍ଲକାଙ୍କ ପୁଅ । କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ ରାମଚନ୍ଦ୍ର । ରାୟଗଡା ବିଧାନସଭା ନିର୍ବାଚନମଣ୍ଡଳୀରୁ ବହୁବାର ନିର୍ବାଚିତ ହୋଇଥିଲେ । କଂଗ୍ରେସରେ ଗମାଙ୍ଗ ପରିବାର ଭଳି ଉଲ୍ଲାକା ପରିବାରର ପତିଆରା ଥିଲା । ଗମାଙ୍ଗ ପରିବାର କଂଗ୍ରେସ ଛାଡି ବିଜେପିରେ ମିଶିଥିବା ବେଳେ କଂଗ୍ରେସ ଏଥର ଉଲ୍ଲକା ପରିବାରରୁ ସପ୍ତଗିରିଙ୍କୁ ପ୍ରାର୍ଥୀ କରି ବିରୋଧୀଙ୍କୁ ଟକ୍କର ଦେବା ରଣନୀତି ପ୍ରସ୍ତୁତ କରିଛି । ଆଉ ବିଜେପି ତରଫରୁ ଏଥର ପ୍ରାର୍ଥୀ କରି ବିରୋଧୀ ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଛି । ଆଉ ବିଜେପି ତରଫରୁ ଏଥର ପ୍ରାର୍ଥୀ ହୋଇଛନ୍ତି ଜୟରାମ । ଦଳୀୟ ଶୃଙ୍ଖଳା ଭାଙ୍ଗି ବିଜେଡିରୁ ନିଳମ୍ବିତ ହେବା ପରେ ସେ ଦଳ ଛାଡିଥିଲେ । ଏଥର ଏହି ୩ ଦଳ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି କହିଛନ୍ତି ରଣନୀତି ବିଶେଷଜ୍ଞ ।
ସୂଚନା ଥାଉକି, ଗତଥର କୋରାପୁଟ ଲୋକସଭା ଆସନରେ ନିର୍ବାଚନ ଲଢିଥିଲେ ୯ ଜଣ ପ୍ରାର୍ଥୀ । ବିଜେଡିର ଝିନ୍ନ ସର୍ବାଧିକ ୩ ଲକ୍ଷ ୯୫ ହଜାର ୧୦୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । କଂଗ୍ରେସରୁ ଗିରିଧର ଗମାଙ୍ଗ ପାଇଥିଲେ ୩ ଲକ୍ଷ ୭୫ ହଜାର ୭୮୧ ଖଣ୍ଡ ଭୋଟ । ମାନେ ୧୯ ହଜାର ୩୨୮ ଖଣ୍ଡ ଭୋଟ କମ । ଆଉ ବିଜେପି ପ୍ରାର୍ଥୀ ଶିବଶଙ୍କର ଉଲ୍ଲାକା ୮୯ ହଜାର ୭୫୮ ଖଣ୍ଡ ଭେଟ ପାଇଁ ତୃତୀୟ ସ୍ଥାନରେ ରହିଥିଲେ । ଏଥର ଶିବ ବିଷମକଟକ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଛନ୍ତି । ୨୦୦୯ ଲୋକସଭା ନିର୍ବାଚନରେ କଂଗ୍ରେସର ଗିରିଧର ଗମାଙ୍ଗ ବିଜେଡି ପ୍ରାର୍ଥୀ ଜୟରାମ ପାଙ୍ଗିଙ୍କଠାରୁ ୯୬ ହଜାର ୩୦୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ ।