କରୋନା ଭୂତାଣୁର ଡେଲଟା ପ୍ରଜାତି ଏବେ ବିଶ୍ୱବ୍ୟାପୀ କ୍ଷୀପ୍ର ସଂକ୍ରମଣ ଘଟାଉଛି : WHO
କରୋନା ଭୂତାଣୁର ଡେଲଟା ପ୍ରଜାତି ଏବେ ବିଶ୍ୱବ୍ୟାପୀ କ୍ଷୀପ୍ର ସଂକ୍ରମଣ ଘଟାଉଛି : WHO
ଜେନେଭା : କରୋନାଭୂତାଣୁର ଡେଲଟା ପ୍ରଜାତି ଏବେ ବିଶ୍ୱବ୍ୟାପୀ କ୍ଷୀପ୍ର ସଂକ୍ରମଣ ଘଟାଉଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ସତର୍କ କରାଇ ଦେଇଛି । ସମଗ୍ର ବିଶ୍ୱ ଏବେ ତୃତୀୟ ଲହରର ପ୍ରାଥମିକ ପର୍ଯ୍ୟାୟରେ ରହିଛି ଏବଂ ବ୍ୟାପକ ସତର୍କତା ଅବଲମ୍ବନ କରାନଗଲେ ସ୍ଥିତି ଜଟିଳ ହୋଇପଡ଼ିବ ବୋଲି ‘ହୁ’ ମୁଖ୍ୟ ଟେଡ୍ରସ ଆଦନମ କହିଛନ୍ତି । କରୋନାଭୂତାଣୁ ତୁହାକୁ ତୁହା ରୂପ ବଦଳାଉଛି ଏବଂ ଅଧିକ ସଂକ୍ରାମକ ପ୍ରଜାତି ଯୋଗୁଁ ଏବେ ଶତାଧିକ ରାଷ୍ଟ୍ରରେ ସଂକ୍ରମଣ ବଢ଼ିଛି । ଡେଲଟା ପ୍ରଜାତି ଏବେ ୧୧୧ରୁ ଅଧିକ ରାଷ୍ଟ୍ରରେ ଚିହ୍ନଟ ହୋଇଥିବାରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଜରୁରୀ ବୈଠକରେ ସ୍ଥିତି ସମୀକ୍ଷା କରାଯାଇଛି । ଅଧିକ ଘାତକ ଏବଂ ଅତିଶୟ ସଂକ୍ରମଣଶୀଳ ପ୍ରଜାତି ପାଇଁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇଯିବା ଆଶଙ୍କା ରହିଥିବାରୁ ଏଥିପାଇଁ ବିଶ୍ୱବ୍ୟାପୀ ମିଳିତ ପ୍ରୟାସ ଲୋଡ଼ା ବୋଲି ହୁ କହିଛି । କରୋନାର ୪ଟି ପ୍ରଜାତି ଏବେ ଅତି ଉଦବେଗର କାରଣ ହୋଇଥିବାରୁ ମହାମାରୀ ଆଗକୁ ମଧ୍ୟ ଜାରି ରହିବ ଏବଂ ଏଥିରୁ ରକ୍ଷା ପାଇବା ପାଇଁ ଉପାୟ ଖୋଜିବାକୁ ହେବ ବୋଲି ‘ହୁ’ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଗତ କିଛି ମାସରେ ୟୁରୋପ ଏବଂ ଉତ୍ତର ଆମେରିକାରେ ଟିକାକରଣ ବୃଦ୍ଧି ହେବାରୁ ଉଭୟ ସଂକ୍ରମଣ ଏବଂ ମୃତ୍ୟୁସଂଖ୍ୟା କମିଥିଲା । ଏବେ ପୁଣି ଡେଲଟା ପ୍ରଜାତି ପାଇଁ ୟୁରୋପ ଏବଂ ଉତ୍ତର ଆମେରିକାରେ ସଂକ୍ରମଣ ବଢ଼ୁଛି । ସଂକ୍ରମଣ ଅତି ବ୍ୟାପକ ହେଲେ ସ୍ୱାସ୍ଥ୍ୟସେବା ଉପରେ ପ୍ରବଳ ଚାପ ରହିବ । କିଛି ରାଷ୍ଟ୍ରରେ ଟିକାକରଣ ଅତି ଦ୍ରୁତ ଗତିରେ ହେଉଥିବା ବେଳେ ଆଉ କିଛି ରାଷ୍ଟ୍ରରେ ଟିକାକରଣ ବିଫଳ ହୋଇଛି । କୋଭିଡ ମୁକାବିଲା ଦିଗରେ ଏଭଳି ତାରତମ୍ୟ ଗରିବ ରାଷ୍ଟ୍ରମାନଙ୍କ ପାଇଁ ଅଧିକ ସଙ୍କଟ ସୃଷ୍ଟି କରିବ ବୋଲି ହୁ ମୁଖ୍ୟ ସତର୍କ କରାଇ ଦେଇଛନ୍ତି ।




admin 