କରୋନା ପ୍ରଭାବ: ସାରା ବିଶ୍ୱରେ ପଡିବ ମାନ୍ଦାବସ୍ଥା ।
କରୋନା ପ୍ରଭାବ: ସାରା ବିଶ୍ୱରେ ପଡିବ ମାନ୍ଦାବସ୍ଥା ।
admin
Feb 27, 2020 - 07:12
Updated: Feb 27, 2020 - 07:12
ନୂଆଦିଲ୍ଲୀ: କରୋନା ଭୂତାଣୁକୁ ନେଇ ରେଟିଂ ଏଜେନ୍ସି ମୁଡିସ ବଡ଼ ଆକଳନ କରିଛି । ଏହା ଜଣାଇଛି ଯେ ଯଦି କରୋନା ମହାମାରୀର ରୂପ ନେବ ତେବେ ସମଗ୍ର ବିଶ୍ୱ ମାନ୍ଦାବସ୍ଥା କବଳରେ ପଡ଼ିବ । ଶେଷ ଥର ଲାଗି ୨୦୦୮ ରେ ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥା ଦେଖାଦେଇଥିଲା । କରୋନାର ପ୍ରଭାବ ଏବେ ଚୀନ ଅର୍ଥନୀତି ପର୍ଯ୍ୟନ୍ତ ସୀମିତ ରହିଛି । ମାତ୍ର କିଛି ଦିନ ଭିତରେ ଏହି ଭୂତାଣୁ କୋରିଆ, ଇରାନ ଓ ଇଟାଲୀରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ତେଣୁ ଏହା ମହାମାରୀର ରୂପ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି । ଏହା ଏବେ ସାରା ବିଶ୍ୱର ଅର୍ଥନୀତି ପାଇଁ ବିପଦରେ ପରିଣତ ହୋଇଗଲାଣି । କରୋନା ପ୍ରଭାବରେ ଚୀନରେ ବ୍ୟବସାୟ ଓ ପର୍ଯ୍ୟଟନ ଜଗତ ଠପ ହୋଇଯାଇଛି । ବିଶ୍ୱର କୌଣସି ଦେଶର ବ୍ୟକ୍ତି ଚୀନ ଯିବାକୁ ଚାହୁଁନାହାନ୍ତି । ଚୀନର ନାଗରିକମାନେ ମଧ୍ୟ ଅନ୍ୟ ଦେଶକୁ ଯାଇପାରୁନାହାନ୍ତି । ଏହା ଦ୍ୱାରା ଆମେରିକା ଓ ୟୁରୋପର ଅର୍ଥନୀତି ପ୍ରଭାବିତ ହେବା ଆରମ୍ଭ କଲାଣି । ଆମେରିକାର ସର୍ବାଧିକ ବିଦେଶୀ ପର୍ଯ୍ୟଟକ ଚୀନରୁ ଆସିଥାନ୍ତି । ଆମେରିକୀୟ ପ୍ରଯୁକ୍ତି କମ୍ପାନୀ ଆପଲ ପାଇଁ ଉତ୍ପାଦ ନିର୍ମାଣ କରୁଥିବା ସଂସ୍ଥା ଫକ୍ସକନ ମଧ୍ୟ ଚୀନରେ ରହିଛି । ସେଠାରେ କାରଖାନା ବନ୍ଦ ରହିଥିବାରୁ ଆପଲକୁ ବଡ଼ ଝଟକା ଲାଗିଛି । କ୍ରୀଡ଼ା ଉପକରଣ ନିର୍ମାତା ନାଇକ ଓ କାର କମ୍ପାନୀ ଜେନେରାଲ ମୋଟର୍ସକୁ ମଧ୍ୟ ଝଟକା ଲାଗିଛି । ଗତ ଜାନୁଆରୀ ୩ ରୁ ଫେବୃୟାରୀ ୨ ପର୍ଯ୍ୟନ୍ତ ଚୀନରେ କରୋନାର ତାଣ୍ଡବ ଉଚ୍ଚ ସ୍ତରରେ ଥିଲା । ଏହା ପରେ ସେଠାରେ ନୂଆ କରୋନା ଭୂତାଣୁ ମାମଲା ସଂଖ୍ୟା କମିବାରେ ଲାଗିଛି । ମାତ୍ର ଅନ୍ୟ ଦେଶ ଗୁଡ଼ିକରେ ଏହି ଭୂତାଣୁ ଜନିତ ମାମଲାରେ ଘଟୁଥିବା ବୃଦ୍ଧି ଅର୍ଥନୀତିଜ୍ଞମାନଙ୍କୁ ଚିନ୍ତାରେ ପକାଇ ଦେଇଛି ।