କରୋନା ଆକ୍ରାନ୍ତ ହୋଇ ପଦାରେ ବୁଲୁଛନ୍ତି ବିଧାୟକ ସୁର ରାଉତରାୟ
କରୋନା ଆକ୍ରାନ୍ତ ହୋଇ ପଦାରେ ବୁଲୁଛନ୍ତି ବିଧାୟକ ସୁର ରାଉତରାୟ
ଭୁବନେଶ୍ୱର : କଥାରେ ବାଡ଼ ବତା ରଖୁନଥିବା ସୁର ରାଉତରାୟ ଏବେ ସବୁ ସୀମା ଟପି ଯାଇଛନ୍ତି । କେତେବେଳେ ପ୍ରଧାନମନ୍ତ୍ରୀ ତ କେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ସେ ତୁ ତା କରି ସମ୍ବୋଧିତ କରିବାର ବି ନଜିର ରହିଛି । କିନ୍ତୁ ଏବେ ଏମିତି କାଣ୍ଡ କରିଛନ୍ତି ଯାହା ସମସ୍ତଙ୍କୁ ତାଜୁବ କରିଛି ।
ସୁର ରାଉତରାୟ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କର ପତ୍ନୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ କରୋନା ପରୀକ୍ଷା କରାଇନେବାକୁ ବି ସୁର କହିଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଆଜି ତାଙ୍କୁ ଜୟଦେବ ଭବନ ନିକଟ ଚା’ ଖଟିରେ ଦେଖିବାକୁ ମିଳିଥିଲା । ନୀଳ ପଞ୍ଜାବୀ ପିନ୍ଧି, ବେକରେ ଧଳା ଗାମୁଛା ପକେଇ ସେଠାକୁ ଚାଲି ଆସିଥିଲେ ସୁର ।
ସେ କହିଥିଲେଯେ, ମହତାବ ଜୟନ୍ତୀ ବନ୍ଦ ହୋଇପାରିବ ନାହିଁ । ସେ ଚାଲିଗଲେ ବି ଜୟନ୍ତୀ ପାଳନ କରାଯିବ । ଏଥର ବଡ଼ ଧୂମଧାମରେ ପାଳନ କରାଯିବ । ତେଣୁ ସେ ଆସିଛନ୍ତି । ମହତାବଙ୍କ ଜୟନ୍ତୀ ପାଳନ ହେବବୋଲି ସେ ଜଣାଇବାକୁ ଆସିଛନ୍ତି । ତେବେ ସେ ସାମାଜିକ ଦୂରତା ରକ୍ଷା କରୁଛନ୍ତି ବୋଲି କହିଛନ୍ତି ।
କିନ୍ତୁ କରୋନା ଗାଇଡ଼ଲାଇନ ଅନୁଯାୟୀ, ଜଣେ ଆକ୍ରାନ୍ତ ଆବଦ୍ଧ କୋଠରୀ ଭିତରେ ରହିବା କଥା । ଏମିତିକି ପରିବାର ବର୍ଗଙ୍କ ସହ ବି ମିଶିବା କଥା ନୁହେଁ । କିନ୍ତୁ ସୁର ରାଉତରାୟ ପଦାରେ ବୁଲୁଛନ୍ତି । ଫଳରେ ସେ ସୁପରସ୍ପ୍ରେଡ଼ର ହୋଇପାରନ୍ତି ବୋଲି ଅନେକ ଆଶଙ୍କା କରୁଛନ୍ତି । ଏଭଳି କ୍ଷେତ୍ରରେ ବିଏମସି କ’ଣ କରୁଛି ବୋଲି ପ୍ରଶ୍ନ ଉଠିଛି ।
ଅପରପକ୍ଷରେ ସୁର ରାଉତରାୟଙ୍କ ସୁସ୍ଥତା କାମନା କରି ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ କରିଥିଲେ । ଅନେକ ବରିଷ୍ଠ ନେତା ମଧ୍ୟ ଆରୋଗ୍ୟ କାମନା କରିଥିଲେ ।




admin 