କନ୍ଧମାଳ ଓ ଗଜପତି ଜିଲ୍ଲା ପାଇଁ ଖୁସି ଖବର, ଜାଣନ୍ତୁ କ’ଣ

କନ୍ଧମାଳ ଓ ଗଜପତି ଜିଲ୍ଲା ପାଇଁ ଖୁସି ଖବର, ଜାଣନ୍ତୁ କ’ଣ

କନ୍ଧମାଳ ଓ ଗଜପତି ଜିଲ୍ଲା ପାଇଁ ଖୁସି ଖବର, ଜାଣନ୍ତୁ କ’ଣ

ଭୁବନେଶ୍ବର : କନ୍ଧମାଳ ଜିଲ୍ଲାର ମଣ୍ଡାସାରୁ ପରେ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି ପର୍ବତକୁ ରାଜ୍ୟର ଦ୍ବିତୀୟ ଜୈବ ବିବିଧତା ଐତିହ୍ୟ ସ୍ଥଳୀର ମାନ୍ୟତା ପ୍ରଦାନ କରାଯାଇଛି। ଐତିହାସିକ, ପୌରାଣିକ, ପ୍ରତ୍ନତାତ୍ତ୍ୱିକ ତଥା ପରିବେଶର ଗୁରୁତ୍ୱ ବହନ କରୁଥିବା ମହେନ୍ଦ୍ରଗିରି ପର୍ବତମାଳା ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକରେ ରହିଛି। ଜୈବବିବିଧତା ଐତିହ୍ୟ ସ୍ଥଳୀର ମାନ୍ୟତା ଲାଗି ରାଜ୍ୟ ଜୈବ ବିବିଧତା ବୋର୍ଡ ପକ୍ଷରୁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ପ୍ରସ୍ତାବ ପଠାଯାଇଥିଲା। ଯାହାକୁ  ବିଭାଗ ପକ୍ଷରୁ ମୋହର ଲଗାଯାଇଛି। ଏଥିସହ ବିଭାଗ ପକ୍ଷରୁ କୁହାଯାଇଛି ଯେ ‘ମହେନ୍ଦ୍ରଗିରି’କୁ ଜୈବ ବିବିଧତା ଐତିହ୍ୟସ୍ଥଳୀ ମାନ୍ୟତା ଦେବା ଲାଗି ଗଣ୍ଡାହାତୀ ଜୈବବିବିଧତା ପରିଚାଳନା କମିଟି(ବିଏମ୍‌ସି), ମୋହନା ବିଧାୟିକା, ପାରଳାଖେମୁଣ୍ଡି ଡିଏଫ୍‌ଓ ଓ ସ୍ବେଚ୍ଛାସେବୀ ସଙ୍ଗଠନ ‘ଲିପିକା’ ପ୍ରସ୍ତାବ ରଖିଥିଲେ। ବିଏମ୍‌ସି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ୨୦୨୦ ସେପ୍ଟେମ୍ବର ୧୩ରେ ସେଠାକାର ଗ୍ରାମସଭାରେ ଅନୁମୋଦନ ମିଳିଥିଲା। ଏଥିସହ ରାଜ୍ୟ ଜୈବ ବିବିଧତା ବୋର୍ଡର ନିୟମାବଳୀର ସମସ୍ତ ସର୍ତ୍ତକୁ ‘ମହେନ୍ଦ୍ରଗିରି’ ପୂରଣ କରୁଥିବାରୁ ତାହାକୁ ଜୈବ ବିବିଧତା ଐତିହ୍ୟ ସ୍ଥଳୀ ଭାବେ ଘୋଷଣା କରାଯାଉଛି। ଦୁଇଟି ସଂରକ୍ଷିତ ଜଙ୍ଗଲ(ଇଡୋନଗିରି ଓ ମହେନ୍ଦ୍ରଗିରି)ର ୪୨୫୦ ହେକ୍ଟର ଅଞ୍ଚଳକୁ ଜୈବ ବିବିଧତା ଐତିହ୍ୟ ସ୍ଥଳୀରେ ସାମିଲ କରାଯାଇଛି। ଏହା ରାଜ୍ୟର ଦ୍ବିତୀୟ ଜୈବ ବିବିଧତା ଐତିହ୍ୟ ସ୍ଥଳୀ ହୋଇଛି ବୋଲି ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।

ସୂଚନାଯୋଗ୍ୟ ଯେ ଘଞ୍ଚ ଜଙ୍ଗଲ, ପାହାଡ଼ ଓ ନଦନଦୀର ସମାହାରରେ ପରିପୂର୍ଣ୍ଣ ଗଜପତି ଜିଲ୍ଲାର ଏହି ପର୍ବତମାଳା ଏକଦା ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା ଥିଲା। ପର୍ବତମାଳାର ୧୯ ଶତକଡ଼ା ଅଂଶ ଉପରେ ସ୍ଥାନୀୟ ଜନଜାତି ନିର୍ଭର କରୁଥିଲେ। ବିସ୍ତୀର୍ଣ୍ଣ ଜଙ୍ଗଲରେ ପ୍ରଚୁର ଶାଳ, ପିଆଶାଳ, ଶାଗୁଆନ, ଚନ୍ଦନ, କଙ୍ଗଡ଼ା, ଶିଶୁ, ଅସନ ଭଳି ବିଶାଳ ବୃକ୍ଷ ଭରି ରହିଥିଲା। ଘଞ୍ଚ ଅରଣ୍ୟ ପାଇଁ ଏହି ପର୍ବତମାଳାରେ ହାତୀ, ଚିତାବାଘ, ହେଟା ବାଘ, ଭାଲୁ, କୃଷ୍ଣସାର ମୃଗ ଓ ମୟୂର ଭଳି ବହୁ ପ୍ରଜାତିର ପଶୁପକ୍ଷୀ ବାସ କରୁଥିଲେ। ବିଶେଷକରି ଏଠାରେ ହାତୀଙ୍କ ସଂଖ୍ୟା ସର୍ବାଧିକ ଥିବାରୁ ଏହି ଅଞ୍ଚଳକୁ ଗଜପତି ବୋଲି ଅଭିହିତ କରାଯାଉଥିଲା। ମାତ୍ର ଏବେ ଜଙ୍ଗଲ ନଷ୍ଟ ହେବା ପରେ ବନ୍ୟପ୍ରାଣୀମାନେ ଲୋପ ପାଇ ଗଲେଣି। କେବଳ ହାତଗଣତି କିଛି ହାତୀ, କଲରାପତରିଆ, ମାଙ୍କଡ଼, ସାପ, ଭାଲୁ, ହରିଣ ଓ ମୟୂର ଭଳି ବନ୍ୟପ୍ରାଣୀ ଅଛନ୍ତି। ଔଷଧୀୟ ବୃକ୍ଷରାଜିଗୁଡ଼ିକର ସୁରକ୍ଷା ଓ ସଂରକ୍ଷଣ ଲାଗି ବହୁ ଦିନ ହେଲା ଦାବି ହୋଇ ଆସୁଥିଲା।