କେନ୍ଦ୍ରୀୟ ଠିକାଦାରଙ୍କ ପ୍ରତି ପ୍ରବଳ ପ୍ରେମ, CBI ହାତରେ ପୁଳାପୁଳା ପ୍ରମାଣ

ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ବଢ଼ିଲା ଅଡ଼ୁଆ ଗିରଫ ହୋଇ ପାରନ୍ତି ଏହି ବରିଷ୍ଠ IAS ଅଫିସର

କେନ୍ଦ୍ରୀୟ ଠିକାଦାରଙ୍କ ପ୍ରତି ପ୍ରବଳ ପ୍ରେମ, CBI ହାତରେ ପୁଳାପୁଳା ପ୍ରମାଣ

କାରଣ ସିବିଆଇ ହାତରେ ପୁଳାପୁଳା ପ୍ରମାଣ ଲାଗିବା ପରେ ବିଷ୍ଣୁପଦଙ୍କ ଅଡୁଆ ବହୁତ ବଢିଯାଇଛି।  ସିବିଆଇର ସମନ ପରେ ମଧ୍ୟ ବିଷ୍ଣୁପଦ ହାଜର ହେଉ ନାହାନ୍ତି ।  ସେପଟେ ଚର୍ଚ୍ଚାରେ ୪ କେନ୍ଦ୍ରୀୟ ପିଏସ୍‌ୟୁକୁ ସଚିବଙ୍କ ଚିଠି। ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଆବାସିକ ଆଶ୍ରମ ସ୍କୁଲଗୁଡ଼ିକର ଉନ୍ନତୀକରଣ କାର୍ଯ୍ୟ ନିମନ୍ତେ ୨୦୨୪ ଅକ୍ଟୋବର ୧୯ ତାରିଖରେ ୪ଟି ରାଷ୍ଟ୍ରାୟତ୍ତ ସଂସ୍ଥା ବ୍ରିଜ୍ ଆଣ୍ଡ୍ ରୁପ୍, ୱାପ୍‌କୋସ୍, ଏନ୍‌ବିସିସି ଓ ସିଇଏଲ୍ ସଂସ୍ଥାର ମୁଖ୍ୟଙ୍କୁ ଚିଠି ଲେଖିଥିଲେ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ । ଆଶ୍ରମ ସ୍କୁଲକୁ ହାଇସ୍କୁଲ ଓ ହାଇସ୍କୁଲକୁ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ପରିଣତ କରିବା ତଥା ଶିକ୍ଷାନୁଷ୍ଠାନର ନବୀକରଣ କାମ ପାଇଁ ପ୍ଲାନ୍ ଓ ଡିଜାଇନ ପ୍ରସ୍ତୁତ କରି ବିଭାଗରେ ଦାଖଲ କରିବାକୁ ଉକ୍ତ ଚିଠିରେ ଉଲ୍ଲେଖ ରହିଛି। ପ୍ରଶ୍ନ ଉଠୁଛି, କାହା ନିର୍ଦ୍ଦେଶରେ କୋଟି କୋଟି ଟଙ୍କାର କାର୍ଯ୍ୟ କରିବାକୁ ଏହି ସଂସ୍ଥାମାନଙ୍କୁ ଚିଠି କରାଯାଇଥିଲା ? ସବୁଠୁ ବଡ଼ କଥା ହେଉଛି, କେନ୍ଦ୍ରୀୟ ସଂସ୍ଥାଠାରୁ ସବଲେଟ୍ ସୂତ୍ରରେ ବିବାଦୀୟ ଦୁଇ ବିଲଡର୍ ସଂସ୍ଥା ଆଦିତ୍ୟଦେବ ଇନଫ୍ରା ଟେକ୍ ଓ ପେଣ୍ଟାଏ ଷ୍ଟୁଡିଓ ପ୍ରାଇଭେଟ୍ ଲିମିଟେଡ୍ କିଭଳି କାର୍ଯ୍ୟ ପାଉଥିଲେ, ତାହା ଉପରେ ସିବିଆଇର ସନ୍ଦେହ ଘନୀଭୂତ ହୋଇଛି। ବିଲଡର୍ ସଂସ୍ଥାର ଦେବଦତ୍ତ ମହାପାତ୍ର ଓ ସନ୍ତୋଷ ମହାରଣାଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ପରେ ସିବିଆଇ ଏମିତି କିଛି ଲିଙ୍କ୍ ପାଇଛି, ଯେଉଁଥିରେ ଆଇଏଏସ୍ ବିଷ୍ଣୁପଦଙ୍କ ସମସ୍ୟା ବଢ଼ିପାରେ ବୋଲି କୁହାଯାଉଛି। ରାଜ୍ୟର କିଛି ନିର୍ଦ୍ଦିଷ୍ଟ ରିଏଲ ଇଷ୍ଟେଟ୍ ସଂସ୍ଥାକୁ ଏସବୁ କାର୍ଯ୍ୟ ଟେକି ଦେବା ପାଇଁ ଆଇନର ଗଳାବାଟରେ କେନ୍ଦ୍ରୀୟ ପିଏସୟୁକୁ ମାଧ୍ୟମ କରାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି ।

ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧୦ଲକ୍ଷ ଟଙ୍କାର ଲାଂଚ କାରବାର ମାମଲାରେ ସିବିଆଇ ୧୧ତାରିଖରେ ହାଜର ହେବା ପାଇଁ ବିଷ୍ଣୁପଦଙ୍କୁ ସମନ କରିଥିଲେ ମଧ୍ୟ ସେ ଏହାକୁ ଏଡ଼ାଇ ଚାଲିଛନ୍ତି। ସିବିଆଇ ଦ୍ୱିତୀୟଥର ସମନ ପଠାଇ ତାଙ୍କୁ ହାଜର ହେବା ପାଇଁ ଶନିବାର ସମୟ ଦେଇଥିଲା। ଯାହାକୁ ମଧ୍ୟ ସେ ଏଡ଼ାଇ ଯାଇଥିବା ଜଣାପଡ଼ିଛି। ସେପଟେ ସିବିଆଇ ବିଷ୍ଣୁଙ୍କର ୩ଜଣ ଡ୍ରାଇଭରଙ୍କୁ ଜେରା କରିସାରିଛି। ଏହି ୩ଜଣ ଡ୍ରାଇଭରଙ୍କ ସମ୍ପର୍କୀୟଙ୍କ ମାଧ୍ୟମରେ ଲାଂଚ ଟଙ୍କା ନେଣଦେଣ ହେଉଥିବା ସିବିଆଇ ସନ୍ଦେହ କରିଛି। ତେବେ ରାଜ୍ୟ ସରକାରଙ୍କ ନିଜସ୍ୱ ସଂସ୍ଥା ଯାହାର କି ଇଞ୍ଜିନିୟର୍ସ ଟିମ୍ ସହ ଆବଶ୍ୟକ ଜ୍ଞାନକୌଶଳ ଓ ଭିତ୍ତିଭୂମି ରହିଛି ସେମାନଙ୍କୁ ଏଡ଼ାଇ ଯାଇ ଏହି ନିର୍ଦ୍ଦିଷ୍ଟ କେନ୍ଦ୍ରୀୟ ପିଏସୟୁ କାର୍ଯ୍ୟ କରିବା ପାଇଁ କାହିଁକି ବିଷ୍ଣୁପଦ ବାଛିଥିଲେ ? କାହିଁକି ଓପନ ଟେଣ୍ଡର କରିନଥିଲେ ? କାହା ନିର୍ଦ୍ଦେଶରେ ସେ ଏହି କାର୍ଯ୍ୟ ସମ୍ପୃକ୍ତ ସଂସ୍ଥାକୁ ବିନା ଟେଣ୍ଡରରେ ଟେକି ଦେଇଥିଲେ  ? ଏଥିପାଇଁ ସେ ସରକାରଙ୍କଠୁ ଅନୁମତି ଆଣିଥିଲେ କି ନାହିଁ  ? ଏସବୁ ଏବେ ବଡ଼ ପ୍ରଶ୍ନ ହୋଇଛି। ଯଦି ବିଭାଗୀୟ ମନ୍ତ୍ରୀ ଏଥିପାଇଁ ଅନୁମତି ଦେଇଥିବେ ତା’ହେଲେ ବିଜେପି ସରକାର ପାଇଁ ଅଡ଼ୁଆ ବଢ଼ିବାର ଆଶଙ୍କା ରହିଛି। ଯେଉଁ ଦୁଇଟି ବିଲଡର ସଂସ୍ଥାର ମୁଖ୍ୟ ଗିରଫ ହୋଇଛନ୍ତି ସେମାନଙ୍କ ସହ ବିଷ୍ଣୁପଦଙ୍କ ସମ୍ପର୍କ ରହିଥିବା ଚର୍ଚ୍ଚା ହେଉଛି।