କଂଗ୍ରେସର ମିଶନ ଗୁଜରାଟରେ ପିକେ, ନରେଶ
କଂଗ୍ରେସର ମିଶନ ଗୁଜରାଟରେ ପିକେ, ନରେଶ
ନୂଆଦିଲ୍ଲୀ: ଲଗାତାର ପରାଜୟ ପରେ କଂଗ୍ରେସ ଏବେ ପୁଣି ଥରେ ନୂଆ ଉତ୍ସାହ, ନୂଆ ରଣନୀତି ସହ ଆଗକୁ ବଢ଼ିବାକୁ କମର କଷୁଛି । ଦଳ ଏବେ ସର୍ବାଧିକ ଟାର୍ଗେଟ କରୁଛି ଗୁଜରାଟ ଉପରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଗଡ଼ ଗୁଜରାଟକୁ ଗତଥର କଂଗ୍ରେସ ଅଳ୍ପକେ ହାତଛଡ଼ା କରିଥିଲା । ବିଜେପିର ଆସନ ସଂଖ୍ୟା ୧୦୦ ତଳକୁ ଖସିଯାଇଥିବାବେଳେ ଅଳ୍ପ କିଛି ଆସନ ବ୍ୟବଧାନରେ କଂଗ୍ରେସ ହାରିଥିଲା । ଏଥର କଂଗ୍ରେସ ମୋଦି-ଶାହଙ୍କ ଗଡ଼ ଭାଙ୍ଗି ଗୁଜରାଟରେ ବିଜୟ ବାନା ଉଡ଼ାଇ ୨୦୨୪ ପାଇଁ ଦେଶରେ ପୁଣି କଂଗ୍ରେସ ଲହର ଆଣିବାକୁ ଯୋଜନା ଚଳାଇଛି । ମିଶନ ଗୁଜରାଟରେ କଂଗ୍ରେସ ଦୁଇଜଣଙ୍କୁ ନେଇ ବଡ଼ ଯୋଜନା ଚଳାଇଛନ୍ତି । ଜଣେ ହେଲେ ଦେଶର ଜଣାଶୁଣା ରାଜନୈତିକ ରଣନୀତିକାର ପ୍ରଶାନ୍ତ କିଶୋର ଓ ଅନ୍ୟଜଣେ ହେଲେ ଗୁଜରାଟର ବିଶିଷ୍ଟ ଉଦ୍ୟୋଗପତି ତଥା ଲୋକପ୍ରିୟ ପାଟିଦାର ନେତା ଏବଂ ଖୋଦାଲଧାମ ଟ୍ରଷ୍ଟର ମୁଖ୍ୟ ନରେଶ ପଟେଲ । ବିଗତ କିଛି ବର୍ଷ ଭିତରେ ନରେଶ ପଟେଲଙ୍କ ଲୋକପ୍ରିୟତା ଗୁଜରାଟରେ ଏମିତି ବଢ଼ିଯାଇଛି ଯେ ସବୁ ଦଳ ନରେଶଙ୍କୁ ନିଜ ଆଡ଼କୁ ଟାଣିବାକୁ ଉଦ୍ୟମ କରିଛି । କଂଗ୍ରେସ, ଆମ୍ ଆଦମି ପାର୍ଟି ଏବଂ ବିଜେପି ମଧ୍ୟ ନରେଶଙ୍କୁ ଆମନ୍ତ୍ରଣ କରିଛି ନିଜ ଦଳରେ ଯୋଗ ଦେବା ପାଇଁ । ଆପ୍ ନରେଶଙ୍କୁ ଦଳର ନେତୃତ୍ୱ ନେବାକୁ ପ୍ରସ୍ତାବ ଦେଇଛି । ହେଲେ ନରେଶ କଂଗ୍ରେସରେ ଯୋଗ ଦେବାର ଅଧିକ ସମ୍ଭାବନା ଅଛି । ଯେ କୌଣସି ନରେଶ କଂଗ୍ରେସ ହାତ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ନେତା ମଧ୍ୟ ଏଭଳି ସଙ୍କେତ ଦେଖାଉଛନ୍ତି ।
ନରେଶ କେବଳ କଂଗ୍ରେସରେ ଯୋଗ ଦେବେନି, ବରଂ ଗୁଜରାଟରେ ସେ କଂଗ୍ରେସ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିମ୍ବା ଦଳର ମୁଖ୍ୟ ଆକର୍ଷଣ ହେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ନିକଟରେ ନରେଶ ରାଜନୀତିକୁ ଓହ୍ଲାଇବା ନେଇ ମତ ରଖିଥିଲେ । ଏହାପରଠୁ ଗୁଜରାଟ ରାଜନୀତିରେ ହଲଚଲ ଆରମ୍ଭ ହୋଇଛି । ରାଜନୈତିକ ମହଲରେ ଶୁଣିବାକୁ ମିଳୁଛି ଯେ ନରେଶ ଓ ପିକେଙ୍କୁ ନେଇ କଂଗ୍ରେସ କିଛି ବଡ଼ ଯୋଜନା ଚଳାଇଛି । ଏ ନେଇ ନରେଶ କଂଗ୍ରେସର ଶୀର୍ଷ ନେତୃତ୍ୱ ରାହୁଲ ଗାନ୍ଧିଙ୍କ ସହ ଆଲୋଚନା କରିଥିବା କୁହାଯାଉଛି । ରାଜନୈତିକ ମହଲରୁ ମିଳିିଥିବା ସୂଚନା ଅନୁଯାୟୀ ନରେଶ ନିଜେ ଚାହୁଁଛନ୍ତି ଗୁଜରାଟରେ କଂଗ୍ରେସ ପାଇଁ ପିକେ ହିଁ ରଣନୀତି କରିବା ସହ କ୍ୟାମ୍ପେନର ପୂରା ଷ୍ଟ୍ରାଟେଜି ପ୍ରସ୍ତୁତ କରନ୍ତୁ । ଏ ପ୍ରସ୍ତାବ ଉପରେ କଂଗ୍ରେସ ହାଇକମାଣ୍ଡ ବିଚାର ବିମର୍ଷ ଚଳାଇଛନ୍ତି । ନିକଟରେ ପିକେ ମଧ୍ୟ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିଥିବା କୁହାଯାଉଛି ।
ଚଳିତ ବର୍ଷ ଶେଷବେଳକୁ ଗୁଜରାଟ ନିର୍ବାଚନ ହେବ । ଗତ ୨୦୧୭ରେ କଂଗ୍ରେସ କଡ଼ା ଟକ୍କର ଦେଇଥିଲା ବିଜେପିକୁ । ନିଜେ ରାହୁଲ ହିଁ ପୂରା ଗୁଜରାଟରେ ପ୍ରଚାର ମଙ୍ଗ ଧରିଥିଲେ । ସେତେବେଳେ ରାହୁଲଙ୍କ ସାଥ୍ ଦେଇଥିଲେ ଗୁଜରାଟ ପ୍ରଭାରୀ ଦାୟିତ୍ୱ ସମ୍ଭାଳିଥିବା ବର୍ତ୍ତମାନର ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ । ସେ ସମୟରେ କଂଗ୍ରେସ ପାଟିଦାର ନେତା ହାର୍ଦ୍ଧିକ ପଟେଲଙ୍କ ସମର୍ଥନ ପାଇଥିବାବେଳେ ପଛୁଆ ବର୍ଗ ନେତା ଅଳ୍ପେଶ ଠାକୁରଙ୍କୁ ନିଜ ଦଳରେ ମିଶାଇ ପ୍ରାର୍ଥୀ କରିଥିଲା । ଦଳିତ ନେତା ଜିଗ୍ନେଶ ମେୱାନିଙ୍କ ପରୋକ୍ଷ ସମର୍ଥନ ବି କଂଗ୍ରେସ ପାଇଥିଲା । ହେଲେ କଂଗ୍ରେସ ଅଳ୍ପ ବ୍ୟବଧାନରେ କ୍ଷମତାରୁ ଦୂରରେ ରହିଯାଇଥିଲା । ଏଥର କଂଗ୍ରେସ ପାଇଁ ଚାଲେଞ୍ଜ ଆହୁରି ବଢ଼ିଯାଇଛି । ଗୁଜରାଟରେ ଆପ୍ ନିଜର ସଂଗଠନ ଛିଡ଼ା କରିବାରେ ଲାଗିଥିବାବେଳେ ଦଳ ମୁଖ୍ୟମନ୍ତ୍ରୀ ପଦ ପାଇଁ ବଡ଼ ଚେହେରା ଖୋଜୁଛି । ପଞ୍ଜାବ ଜିତିବା ପରେ ଆପ କର୍ମୀ ଓ ନେତାଙ୍କ ଉତ୍ସାହ ବଢ଼ିଯାଇଛି ।
ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଗୁଜରାଟରେ କଂଗ୍ରେସ କ୍ଷମତାଠାରୁ ଦୂରରେ ରହିଛି । କଂଗ୍ରେସର ଏହି ବନବାସ ଶେଷ କରିବାକୁ ରାହୁଲ ଏବେ ପୂରା ଦମ୍ ଲଗାଇଛନ୍ତି । ଏଥର କଂଗ୍ରେସ ପିକେ ଓ ନରେଶ ପଟେଲଙ୍କ ସାଥ୍ ଖୋଜୁଛି । ଏ ମିଶନରେ ଗୁଜରାଟ ଦାୟିତ୍ୱ ସମ୍ଭାଳିଥିବା ପ୍ରଭାରୀ ରଘୁ ଶର୍ମା ଏବେ ମିଶନ ଦାୟିତ୍ୱ ମୁଣ୍ଡାଇଛନ୍ତି । ପିକେ ଓ ନରେଶ ପଟେଲଙ୍କୁ ଯୋଡ଼ି କଂଗ୍ରେସ ଗୁଜରାଟରେ ବିଜେପିକୁ ମାତ୍ ଦେବାକୁ ଲକ୍ଷ୍ୟ ରଖିଛି । ନରେଶ ପଟେଲଙ୍କ କାର୍ଯ୍ୟକ୍ରମରେ ଲକ୍ଷଲକ୍ଷ ଲୋକଙ୍କ ଭିଡ଼ ଜମୁଥିବାବେଳେ ଗୁଜରାଟରେ ଯେଉଁଠି ବିଜେପିର ଗଡ଼ ରହିଛି, ସେଠାରେ ନରେଶଙ୍କ ବଡ଼ ପ୍ରଭାବ ରହିଛି । ସେ ଭୋଟ ବ୍ୟାଙ୍କକୁ ଭାଙ୍ଗି କଂଗ୍ରେସ ମିଶନ ଗୁଜରାଟରେ ବାହାରିବା ଯୋଜନାରେ ଅଛି ।




admin 