ରାତିରେ ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା

ରାତିରେ ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା

ରାତିରେ ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ଅଧ୍ୟକ୍ଷ ପଦ ବହୁ ଦିନରୁ ଖାଲି ପଡ଼ିଛି । ତେବେ ପରବର୍ତ୍ତୀ କଂଗ୍ରେସ ମୁଖିଆ କିଏ ହେବ ତାକୁ ନେଇ ସସପେନ୍ସ ଏବେ ବି ଜାରି ରହିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଶନିବାର ରାତି ୮.୩୦ରେ କଂଗ୍ରେସର ସିଡବ୍ଲୁ୍ୟସି ବୈଠକ ପୁଣି ଥରେ ବସିବ । ରାତି ୯ଟା ସୁଦ୍ଧା ନୂଆ କଂଗ୍ରେସ ସଭାପତିଙ୍କ ନାମ ଚୂଡ଼ାନ୍ତ ହେବ ବୋଲି ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ପରେ କଂଗ୍ରେସନେତା ଅଧୀରଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ପୂର୍ବାହ୍ନରେ ବସିଥିବା ସିଡବ୍ଲୁ୍ୟସି ବୈଠକରୁ ସୋନିଆ ଓ ରାହୁଲ ଦୂରେଇ ରହିଛନ୍ତି । ନୂଆ କଂଗ୍ରେସ ସଭାପତି ଚୟନ ପ୍ରକି୍ରୟାରେ ଉଭୟ ସାମିଲ ନଥିବା ସ୍ପଷ୍ଟ କରିଛନ୍ତି । ପ୍ରକାଶ ଯେ, ପରବର୍ତ୍ତୀ କଂଗ୍ରେସ ମୁଖିଆ କିଏ ହେବ ସେ ନେଇ ଆଜି ନୂଆଦିଲ୍ଲୀରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ବସିଥିଲା । କଂଗ୍ରେସର ନୂଆ ସଭାପତି ଚୟନ ପାଇଁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ । ତେବେ କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରୁ ଫେରିବା ପରେ ସୋନିଆ ଗାନ୍ଧୀ ନିଜ ପ୍ରତିକ୍ରିୟା ରଖି କହିଥିଲେ ଯେ, ମୁଁ ଓ ରାହୁଲ ପରବର୍ତ୍ତୀ ସଭାପତି ଚୟନ ପ୍ରକ୍ରିୟାରେ ଭାଗ ନେବୁନି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଶୁକ୍ରବାର ଏକ ବୈଠକ ପରେ ରାହୁଲ ଗାନ୍ଧୀ କହିଥିଲେ ଯେ, ସିଡବ୍ଲ୍ୟୁସି ଏକାକି ପାର୍ଟି ଅଧ୍ୟକ୍ଷକୁ ନେଇ ନିଷ୍ପତ୍ତି ନେବ ନାହିଁ । ପ୍ରଦେଶ କଂଗ୍ରେସ କମିଟିର ମହାସଚିବ ଏବଂ ସିଡବ୍ଲ୍ୟୁସି ମିଶି ନୂତନ ଅଧ୍ୟକ୍ଷ ଚୟନ କରିବେ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ଗାନ୍ଧୀ ପରିବାରର ବିଶ୍ୱସ୍ତ ମଲ୍ଲିକାର୍ଜୁନ ଖଡଗେ ଓ ମୁକୁଲ ୱାସନିକ ରାହୁଲ ଗାନ୍ଧୀଙ୍କ ତାଲିକାରେ ସବୁଠାରୁ ଆଗରେ ରହିଥିବା କୁହାଯାଉଛି । ୱାସନିକ ଓ ଖଡଗେ ହେଉଛନ୍ତି ଦଳିତ ନେତା । ୱାସନିକ ମହାରାଷ୍ଟ୍ରର ପୂର୍ବତନ ୟୁଥ କଂଗ୍ରେସ ପ୍ରମୁଖ ଓ ମନ୍ତ୍ରୀ ଥିଲେ । ଅନ୍ୟପଟ ଖଡଗେ କର୍ଣ୍ଣାଟକର ଜଣେ ବରିଷ୍ଠ ପାର୍ଟି ନେତା । କିନ୍ତୁ ଉଭୟ ନେତା ଗତ ନିର୍ବାଚନରେ ପରାସ୍ତ ହୋଇଥିଲେ । ସିଡବ୍ଲ୍ୟୁସିର ମହତ୍ତ୍ୱପୂର୍ଣ୍ଣ ବୈଠକ ପୂର୍ବରୁ ୟୁପିଏର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଶୁକ୍ରବାର ଦିନ ପାର୍ଟିର ବରିଷ୍ଠ ନେତା ଅହମଦ ପଟେଲ, ଏକେ ଆଣ୍ଟୋନି ଓ କେସି ଭେନୁଗୋପାଳଙ୍କ ସହିତ ସାକ୍ଷାତ କରିଥିଲେ ।