ଓସିଏର ସଭାପତି ଭାବେ ନିର୍ବାଚନକୁ ଓହ୍ଲାଇବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

ଓସିଏର ସଭାପତି ଭାବେ ନିର୍ବାଚନକୁ ଓହ୍ଲାଇବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

ଓସିଏର ସଭାପତି ଭାବେ ନିର୍ବାଚନକୁ ଓହ୍ଲାଇବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ

କଟକ: ପୂର୍ବାନୁମାନ ସତ ହେଲା । ଓଡ଼ିଶା କ୍ରିକେଟ ଆସୋସିଏସନ୍‌(ଓସିଏ)ର ସଭାପତି ଭାବେ ଏଥର ନିର୍ବାଚନକୁ ଓହ୍ଲାଇବେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)। ବର୍ତ୍ତମାନର ସଭାପତି ତଥା ଶିଳ୍ପପତି ପଙ୍କଜଲୋଚନ ମହାନ୍ତି ଉପସଭାପତି ଓ ସଞ୍ଜୟ ବେହେରା ପୁନର୍ବାର ସାଧାରଣ ସମ୍ପାଦକ ପଦ ପାଇଁ ପ୍ରାର୍ଥୀ ହେବେ । ଓସିଏ ନିର୍ବାଚନକୁ ନେଇ  ପୁରୀରେ ଅନୁଷ୍ଠିତ ଗୋପନ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବୈଠକରେ ଓସିଏର ୭୩ଜଣ ଭୋଟର୍‌ଙ୍କ ମଧ୍ୟରୁ ୬୦ରୁ ଅଧିକ ଭୋଟର ଯୋଗ ଦେଇଥିଲେ । ତେଣୁ ପରାଜୟର ଆଶଙ୍କା ସ୍ପଷ୍ଟ ହୋଇଥିବାରୁ ପ୍ରତିପକ୍ଷ ଶିବିର ନିର୍ବାଚନ ଲଢ଼ିବା ପାଇଁ ପଛଘୁଞ୍ଚା ଦେଉଛି । ଫଳରେ ତେଣୁ ଏଥର ସଭାପତି, ଉପସଭାପତି ଓ ସାଧାରଣ ସଂପାଦକ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହେବେ ବୋଲି ଏକରକମ ନିଶ୍ଚିତ ବୋଲି କୁହାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ପୁରୀରେ ହୋଇଥିବା ବୈଠକରେ ସର୍ବସମ୍ମତିକ୍ରମେ ପ୍ୟାନେଲ୍‌ ନିଷ୍ପତ୍ତିକୁ ସମସ୍ତେ ସମର୍ଥନ ଦେଇଛନ୍ତି । ତେଣୁ ଏଥର ଓସିଏରେ ନିର୍ବଚନୀ ଟକ୍କର ଦେଖିବାକୁ ମିଳିନପାରେ । ଗତ ୧୧ତାରିଖରେ ଓସିଏ ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରକାଶ ପାଇଥିଲା । ଏଥିରେ ଯାଜପୁର ଜିଲ୍ଲାରୁ ଭୋଟର ଭାବେ ତାଲିକାଭୁକ୍ତ ହୋଇଥିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏଥର ପ୍ରଣବ ଓସିଏ ନିର୍ବାଚନକୁ ଓହ୍ଲାଇବେ ବୋଲି ସମ୍ଭାବନା ମଧ୍ୟ ସୃଷ୍ଟି ହୋଇଥିଲା । ତେବେ ପ୍ରାରମ୍ଭରେ ସଞ୍ଜୟଙ୍କ ପ୍ୟାନେଲ୍‌ ଏଭଳି ସମ୍ଭାବନାକୁ ଅସ୍ୱୀକାର କରିଥିଲେ । କିନ୍ତୁ ପୁରୀରେ ପ୍ୟାନେଲ୍‌ର ଗୋପନ ବୈଠକରେ ପ୍ରଣବଙ୍କୁ ପୂର୍ଣ୍ଣ ସମର୍ଥନ ମିଳିଥିବା ଜଣାପଡ଼ିଛି । ଫଳରେ ବର୍ତ୍ତମାନର ସଭାପତି ପଙ୍କଜଲୋଚନ ମହାନ୍ତିଙ୍କ ପୁନର୍ବାର ସଭାପତି ହେବାର ଆଶା ମଉଳି ଯାଇଛି ।

ସୂଚନାଯୋଗ୍ୟ, ୨୧ ତାରିଖରେ ପ୍ରାର୍ଥିପତ୍ର ଦାଖଲ ହେବ । ସକାଳ ୧୦ଟା ୩୦ ରୁ ଅପରାହ୍ନ ୫ଟା ଯାଏ ଓସିଏ ସମ୍ମିଳନୀ କକ୍ଷରେ ପ୍ରାର୍ଥିପତ୍ର ଦାଖଲ କରାଯିବ । ୨୨ ତାରିଖରେ ତାଲିକା ପ୍ରସ୍ତୁତ କରାଯାଇ ଆପତ୍ତି, ଅଭିଯୋଗ ଶୁଣାଣି କରାଯିବ । ୨୩ତାରିଖରେ ଓସିଏ ନିର୍ବାଚନର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ୫ଦିନର ବ୍ୟବଧାନ ପରେ ୨୮ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ ଅଧିକାରୀଙ୍କ ତରଫରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।