ଏଥର କଟିବ ଏହି ସାଂସଦଙ୍କ ଟିକେଟ
ଭୁବନେଶ୍ୱର : ୨୦୨୪ ପାଇଁ ଆରମ୍ଭ ହୋଇଗଲାଣି ଅଙ୍କକଷା । କାହାର ଟିକେଟ କଟିବ, କିଏ ଟିକେଟ ପାଇବେ ତାହାକୁ ନେଇ ବିଜେଡ଼ି କରୁଛି ସର୍ଭେ । ୨୦୧୯ରେ ବିଜେଡ଼ିର ୧୨ ଜଣ ନେତା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । କେନ୍ଦୁଝର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ନବରଙ୍ଗପୁର, କନ୍ଧମାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଆସ୍କା ଓ ବ୍ରହ୍ମପୁରରେ ବିଜେଡ଼ି ବାଜିମାତ କରିଥିଲା । ତେବେ ୨୦୨୪ରେ ଅଧା ସାଂସଦଙ୍କ ଟିକେଟ କଟିବା ନିଶ୍ଚିତ ହୋଇଯାଇଛି ।
୨୦୧୯ରେ ସବୁଠାରୁ ବେଶୀ ଚର୍ଚ୍ଚାରେ ଥିଲେ ସୁପରଷ୍ଟାର ଅନୁଭବ ମହାନ୍ତି । କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡାଙ୍କ ଭଳି ହେଭିୱେଟ ନେତାଙ୍କୁ ସେ ପରାସ୍ତ କରିଥିଲେ । ନବୀନଙ୍କ ବେଶ ପ୍ରିୟ ଥିବା ଅନୁଭବ କିନ୍ତୁ ପାରିବାରିକ ବିବାଦ ମାମଲାରେ ଛନ୍ଦି ହୋଇଯାଇଛନ୍ତି । ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାଦ ଆରମ୍ଭ ହେବା ପରଠାରୁ ବିଜେଡ଼ିରେ କୋଣଠେସା ହୋଇଯାଇଛନ୍ତି ଅନୁଭବ । ତେଣୁ ଚବିଶରେ ତାଙ୍କ ଟିକେଟ କଟିବା ନିଶ୍ଚିତ ହୋଇଯାଇଛି ।
ବିଜେଡ଼ିର ହେଭିୱେଟ ନେତା ହେଉଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ର । ୨୦୧୯ରେ ସେ ମାତ୍ର ୧୧ ହଜାର ଭୋଟରେ ଜିତିଥିଲେ । ଜିତିବା ପରେ ପୁରୀ ସଂସଦୀୟ କ୍ଷେତ୍ରରେ ତାଙ୍କର ଆଉ ଦେଖା ମିଳୁନାହିଁ । ଚବିଶରେ ସେ ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହୁଁନଥିବା ଚର୍ଚ୍ଚା ହେଉଛି । ଲୋକସଭା ବଦଳରେ ରାଜ୍ୟସଭା ସାଂସଦ ହେବା ପାଇଁ ପିନାକୀ ମନ ବଳାଇଛନ୍ତି ।
ଢେଙ୍କାନାଳର ସାଂସଦ ଅଛନ୍ତି ମହେଶ ସାହୁ । ଗତ ନିର୍ବାଚନରେ ସେ ୩୫ ହଜାର ଭୋଟରେ ଜିତିଥିଲେ । ଜଣେ ଦୃଢ଼ ସଂଗଠକଭାବେ ତାଙ୍କର ଖ୍ୟାତି ରହିଛି । ତେବେ ନିଜ ସଂସଦୀୟ କ୍ଷେତ୍ରର ଅଧିକାଂଶ ବିଧାୟକ ତାଙ୍କୁ ଏବେ ବିରୋଧ କରୁଛନ୍ତି । ତେଣୁ ଚବିଶରେ ତାଙ୍କୁ ଟିକେଟ ଦେଇ ବିଜେଡ଼ି ଆଉ ରିସ୍କ ନେବନାହିଁ ବୋଲି ଚର୍ଚ୍ଚା ହେଉଛି ।
ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ମଧ୍ୟ ଚବିଶରେ ଟିକେଟ ପାଇବେ ନାହିଁ । ତାଙ୍କ ବଦଳରେ ପ୍ରଦୀପ ମାଝୀ ସାଂସଦ ପ୍ରାର୍ଥୀ ହେବା ନିଶ୍ଚିତ ହୋଇଯାଇଛି । ଏମିତିବି ରମେଶ ମଧ୍ୟ ନିଜ ଅନିଚ୍ଛା ସତ୍ୱେ ୨୦୧୯ରେ ଲୋକସଭା ନିର୍ବାଚନ ଲଢ଼ିଥିଲେ । ବିଧାୟକ ହୋଇ ରମେଶ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି ବୋଲି ନବରଙ୍ଗପୁର ରାଜନୀତିରେ ଚର୍ଚ୍ଚା ହେଉଛି ।
ପ୍ରମିଳା ବିଷୋୟୀଙ୍କ ଭଳି ଜଣେ ସାଧାରଣ ମହିଳାଙ୍କୁ ଆସ୍କା ସାଂସଦ ଟିକେଟ ଦେଇ ଚମକାଇ ଦେଇଥିଲେ ନବୀନ । ସଂସଦରେ ମଧ୍ୟ ପ୍ରମିଳାଙ୍କୁ ବେଶ ପ୍ରଶଂସା କରାଯାଉଛି । ତେବେ ୨୦୨୪ରେ ତାଙ୍କୁ ରିପିଟ କରିବାକୁ ବିଜେଡ଼ି ଚାହୁଁନାହିଁ । ତାଙ୍କ ବଦଳରେ ଆଉ ଜଣେ ନାରୀ ନେତ୍ରୀଙ୍କୁ ପ୍ରାର୍ଥୀ କରିବାକୁ ବିଜେଡ଼ି ଯୋଜନା କରୁଛି ।
କେନ୍ଦ୍ରାପଡ଼ା, ପୁରୀ, ଢେଙ୍କାନାଳ, ନବରଙ୍ଗପୁର ଓ ଆସ୍କା ସାଂସଦଙ୍କ ଟିକେଟ କଟିବା ନିଶ୍ଚିତ ଥିବାବେଳେ ଆଉ କେତେକ ସାଂସଦଙ୍କ ଉପରେ ଡେମୋକ୍ଲିସ ଖଣ୍ଡା ଝୁଲିଛି । ମଞ୍ଜୁଲତା ମଣ୍ଡଳ ଏବେ ଭଦ୍ରକ ସାଂସଦ ଥିବାବେଳେ ତାଙ୍କ ସ୍ୱାମୀ ମୁକ୍ତିକାନ୍ତ ମଣ୍ଡଳ ବିଧାନସଭା ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି । ଯଦି ମୁକ୍ତିକାନ୍ତ ଧାମନଗରରୁ ନିର୍ବାଚନ ଲଢ଼ନ୍ତି ତେବେ ମଞ୍ଜୁଲତାଙ୍କ ଟିକେଟ କଟିବା ନିଶ୍ଚିତ । ସେହିପରି କଟକ ସାଂସଦ ଭର୍ତୃହରି ମହତାବ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି । ୨୦୧୯ରେ ବି ତାଙ୍କୁ ଟିକେଟ ମିଳିବ ନାହିଁ ବୋଲି କୁହାଯାଉଥିଲା । ତେଣୁ ୨୦୨୪ରେ ତାଙ୍କୁ ନବୀନ ଟିକେଟ ଦେବେ କି ନାହିଁ ତାହା ଏବେଠାରୁ କହିବା ଠିକ ହେବନାହିଁ ।
ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ତିର୍ତୋଲରୁ ଲଢ଼ିବାକୁ ଚାହୁଁଥିବାରୁ ଜଗତସିଂହପୁରରେ ବି ବିଜେଡ଼ି ପ୍ରାର୍ଥୀ ପରିବର୍ତନ କରିବାର ସମ୍ଭାବନା ରହିଛି । ସର୍ବକନିଷ୍ଠ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଟିକେଟକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟିହୋଇଛି । ୨୦୨୪ରେ ନବୀନ ଅନେକ ନବାଗତଙ୍କୁ ସାଂସଦ ଟିକେଟ ଦେବେ ବୋଲି ବିଜେଡ଼ି ଅଳିନ୍ଦରେ ଚର୍ଚ୍ଚା ହେଉଛି ।