ଆସିଲା ଚିନ୍ମୟୀଙ୍କ ଡାଏଟମ୍ ଟେଷ୍ଟ ରିପୋର୍ଟ, ଜାଣନ୍ତୁ କ’ଣ ରହିଛି
ଭୁବନେଶ୍ୱର: ଭିସୁଟ୍ର ପୂର୍ବତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀଙ୍କୁ ହତ୍ୟା କରାଯାଇନି ବରଂ ପାଣିରେ ବୁଡ଼ି ତାଙ୍କ ମୃତ୍ୟୁ ହୋଇଥିବା ଡାଏଟମ୍ ଟେଷ୍ଟ ରିପୋର୍ଟରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। ଏବେ ଚିନ୍ମୟୀଙ୍କ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି।
ତେବେ ଚିନ୍ମୟୀ ଆତ୍ମହତ୍ୟା କରିଛନ୍ତି ନା ଏଥିପାଇଁ କିଏ ତାଙ୍କୁ ଉସୁକାଇଛି ସେ ଦିଗରେ ତଦନ୍ତ ଚାଲିଛି। ସବୁଠୁ ଅଧିକ ସନ୍ଦେହ ଘେରରେ ଥିବା ଚିନ୍ମୟୀଙ୍କ ପୁରୁଷବନ୍ଧୁ ପ୍ରୀତମାନ ଦେଙ୍କୁ ପଚରାଉଚାର କରି ଜାମିନରେ ଛାଡି ଦେଇଛି ପୁଲିସ୍ । ତେବେ ବ୍ୟଚ୍ଛେଦ ରିପୋର୍ଟ ତଥା ଡାଏଟମ୍ ରିପୋର୍ଟରେ ସନ୍ତୁଷ୍ଟ ନ ଥିବା ଚିନ୍ମୟୀଙ୍କ ମା’ ନ୍ୟାୟ ପାଇଁ ହାଇକୋର୍ଟକୁ ଯିବୁ ବୋଲି କହି ସାରିଛନ୍ତି।
ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି(ଭିସୁଟର) ସମାବର୍ତ୍ତନ ଉତ୍ସବରେ ଯୋଗ ଦେବାକୁ ଯାଇଥିବା ଚିନ୍ମୟୀଙ୍କର ଅକାଳ ମୃତ୍ୟୁ ହୋଇଥିଲା। ବହୁ ଖୋଜାଖୋଜି ପରେ ପାୱାର ଚ୍ୟାନେଲ ବ୍ରିଜରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଚିନ୍ମୟୀଙ୍କ ସହ ଉକ୍ତ ସମୟରେ ତାଙ୍କ ବନ୍ଧୁ ପ୍ରିତୀମାନ ଥିବାରୁ ଝିଅ ମୃତ୍ୟୁ ପଛରେ ତାଙ୍କ ହାତ ଥିବା ସନ୍ଦେହ କରିଥିଲେ ତାଙ୍କ ବାପାମା’ ।
ଏହି ଘଟଣାର ୨ ଅଭିଯୁକ୍ତ ପ୍ରୀତିମାନ ଦେ ଓ ମାନସ ଟୁଡ଼ୁଙ୍କର ଲାଇଡିଟେକ୍ସନ୍ କରାଯାଇଥିବା ବେଳେ ସେମାନେ ସବୁ ସତ କହିଥିବା ରିପୋର୍ଟ ଆସିଥିବା ଏସ୍ପି କହିଛନ୍ତି। ଏହି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ନ ଥିବା ବେଳେ କେବଳ ନୋଟିସ୍ ଦେଇ ଛାଡ଼ି ଦିଆଯାଇଛି। ଯେତେବେଳେ ପୁଲିସ୍ ଡାକିବ, ସେତେବେଳେ ଥାନାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବାକୁ ସେମାନଙ୍କୁ କୁହାଯାଇଛି।