ଏକ ରାଷ୍ଟ୍ର ଗୋଟିଏ ନିର୍ବାଚନ କସରତ ଆରମ୍ଭ : ସର୍ବଦଳୀୟ ବୈଠକରେ ଯୋଗଦେବେ ନବୀନ

ଏକ ରାଷ୍ଟ୍ର ଗୋଟିଏ ନିର୍ବାଚନ କସରତ ଆରମ୍ଭ : ସର୍ବଦଳୀୟ ବୈଠକରେ ଯୋଗଦେବେ ନବୀନ

ଏକ ରାଷ୍ଟ୍ର ଗୋଟିଏ ନିର୍ବାଚନ କସରତ ଆରମ୍ଭ : ସର୍ବଦଳୀୟ ବୈଠକରେ ଯୋଗଦେବେ ନବୀନ
ଭୁବନେଶ୍ୱର : ଆଜିଠାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ଦୁଇ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି । ଲୋକସଭାରେ ପ୍ରତିନିଧିତ୍ୱ କରୁଥିବା ସବୁ ରାଜନୈତିକ ଦଳର ସଭାପତିଙ୍କ ବୈଠକରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପହଲ୍ଲାଦ ଯୋଶୀ ଏ ନେଇ ବିଜେଡି ସଭାପତିଙ୍କୁ ଚିଠି ଲେଖି ନିମନ୍ତ୍ରଣ କରିଥିଲେ । ଖବର ଅନୁସାରେ ଜୁନ୍ ୧୯ ତାରିଖ ଅପରାହ୍ନ ୩ଟା ବେଳେ ସଂସଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ‘ଏକ ରାଷ୍ଟ୍ର ଓ ଗୋଟିଏ ନିର୍ବାଚନ’ ପ୍ରସଙ୍ଗରେ କେନ୍ଦ୍ର ସରକାର ସବୁ ରାଜନୈତିକ ଦଳର ସହମତି ଲୋଡ଼ିବେ । ଏ ପ୍ରସଙ୍ଗକୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଜଣାଇ ସାରିଛନ୍ତି । କେବଳ ସେତିକି ନୁହେଁ, ୨୦୦୪ ମସିହାରୁ ସାଧାରଣ ନିର୍ବାଚନ ସହିତ ଓଡ଼ିଶା ବିଧାନସଭା ନିର୍ବାଚନ ହେଉଛି । ବର୍ତ୍ତମାନ ସମୟରେ ଏଭଳି ଏକ ପ୍ରସଙ୍ଗରେ ଓଡ଼ିଶାର ସମର୍ଥନ କେନ୍ଦ୍ରକୁ ବଳ ଦେବ ବୋଲି ରାଜନୈତିକ ମହଲ ବିଚାର କରୁଛନ୍ତି । କେବଳ ଏହି ଗୋଟିଏ ପ୍ରସଙ୍ଗ ନୁହେଁ, ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ନୂଆ ଭାରତ ନିର୍ମାଣ ନେଇ ଖସଡ଼ା ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର । ନିର୍ବାଚନ ଆଗକୁ ପ୍ରଧାନମନ୍ତ୍ରୀ ନୂଆ ଭାରତ ନିର୍ମାଣ ସମ୍ପର୍କରେ ସୂଚାଇଥିଲେ । ଓଡ଼ିଶା ସରକାର ମଧ୍ୟ ବିକାଶ ନାରା ଦେଇ ନୂଆ ତଥା ସମୃଦ୍ଧ ଓଡ଼ିଶା କଥା କହିଛନ୍ତି । ନୂଆ ଭାରତ ନିର୍ମାଣ ବେଳେ ଓଡ଼ିଶାର ଭୂମିକା କିଭଳି ରହିବ, ରାଜ୍ୟ କେଉଁ କେଉଁ କ୍ଷେତ୍ରରେ ସମୃଦ୍ଧିର ସୁଯୋଗ ରହିଛି ତଥା କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡିପାରନ୍ତି ନବୀନ । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଏବଂ ସଂସଦୀୟ କାର୍ଯ୍ୟଧାରାକୁ ଗଠନ ମୂଳକ କରିବା ନେଇ ମଧ୍ୟ ଆଲୋଚନା ହେବ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଏକ ବଡ଼ ପ୍ରସ୍ତାବ ଦେଇଛନ୍ତି । ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ଶବ୍ଦ ଯୋଡ଼ିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହା ଉପରେ ଆସନ୍ତାକାଲି ଅନ୍ୟ ରାଜ୍ୟମାନେ କି ମତ ରଖୁଛନ୍ତି, ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଉଲ୍ଲେଖଯୋଗ୍ୟ, ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହିବେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ଦେଇଥିବା ଚିଠିରେ ଏ ସମ୍ପର୍କରେ ଉଲ୍ଲେଖ ରହିଛି । ମୁଖ୍ୟମନ୍ତ୍ରୀ ୨୦ ତାରିଖ ଦିନ ଓଡ଼ିଶା ଫେରିବାର କାର୍ଯ୍ୟକ୍ରମ ରହିଛି ।