ଇ-ପରମିଶନ ପାଇଁ କମିଶନରେଟ ପୁଲିସର ଇ-ଆପ୍ଲିକେସନ ବ୍ୟବସ୍ଥା ଆରମ୍ଭ
ଇ-ପରମିଶନ ପାଇଁ କମିଶନରେଟ ପୁଲିସର ଇ-ଆପ୍ଲିକେସନ ବ୍ୟବସ୍ଥା ଆରମ୍ଭ
admin
May 15, 2021 - 10:13
Updated: May 15, 2021 - 10:13
ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହରର ଚେନକୁ ଭାଙ୍ଗିବା ପାଇଁ ରାଜ୍ୟରେ ଏବେ ୧୪ ଦିନିଆ ଲକଡାଉନ କରାଯାଇଛି । ଏହି ଅବସରରେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କୁ ଯିବା ଆସିବା ପାଇଁ ଅନୁମତି ଦିଆଯାଇଛି । ଗତ ଲକଡାଉନରେ ପୁଲିସ ତରଫରୁ ପାସ ବ୍ୟବସ୍ଥା କରାଯାଇଥିବାବେଳେ ଚଳିତ ଥର କିନ୍ତୁ ସେଭଳି ପାସ ବ୍ୟବସ୍ଥା କରାଯାଇ ନାହିଁ । ନିଜ ନିଜ ସଂସ୍ଥା ଦ୍ୱାରା ପ୍ରଦତ୍ତ ପରିଚୟପତ୍ର ଦେଖାଇ ଲୋକମାନେ ଯିବା ଆସିବା କରୁଛନ୍ତି । ତେବେ ଚଳିତ ଲକଡାଉନରେ ପରିଚୟପତ୍ର ଧରି କେତେକ ମନଇଚ୍ଛା ବୁଲୁଥିବା ନଜରକୁ ଆସୁଛି । ଯାହାକୁ କମିଶନରେଟ ପୁଲିସ ପକ୍ଷରୁ ଗୁରୁତର ଭାବେ ଗ୍ରହଣ କରାଯାଇଛି ।
ଏଣିକି ଲକଡାଉନ ଓ ସଟଡାଉନରେ ଆତଯାତ କରୁଥିବା ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ଆଇ-କାର୍ଡ ସହ ଇ-ପରମିଶନ ଦେଖାଇବାକୁ ପଡ଼ିବ । ଏନେଇ ଟୁଇନ ସିଟି ପାଇଁ କମିଶନରେଟ ପୁଲିସ ପକ୍ଷରୁ ଇ-ପରମିଶନ ବ୍ୟବସ୍ଥା କରାଯାଇଛି । ଇ-ପରମିଶନ ପାଇଁ କମିଶନରେଟ ପୁଲିସ ଇ-ଆପ୍ଲିକେସନ ବ୍ୟବସ୍ଥା ଆରମ୍ଭ କରିଛି । ଟୁଇନ ସିଟିରେ କାର୍ଯ୍ୟରତ ଘରୋଇ କମ୍ପାନୀ କର୍ମଚାରୀଙ୍କ ପାଇଁ ପାସ ବ୍ୟବସ୍ଥା କରାଯାଇଛି । ପୁଲିସ ପାସ ଦେଉନଥିବାରୁ ଇ-ପରମିଶନ ଜରିଆରେ ଆବେଦନ କରିହେବ । ନିର୍ଦ୍ଧିଷ୍ଟ କେତେ କର୍ମଚାରୀଙ୍କୁ ସମ୍ପୃକ୍ତ କମ୍ପାନୀ କାମ ପାଇଁ ଅନୁମତି ଦେଇଛନ୍ତି ତାହାର ତଥ୍ୟ ରହିବ । ଘରୋଇ କମ୍ପାନୀର କର୍ମଚାରୀ ଇ-ପରମିଶନ ଓ ଆଇ-କାର୍ଡ ଦେଖାଇ ଅଫିସ ଯାଇପାରିବେ । ସେହିପରି ନିୟମ ପାଳନ ହେଉଛି କି ନାହିଁ କମିଶନରେଟ ପୁଲିସ ଅତର୍କିତ ଯାଞ୍ଚ କରିବେ । ଯେକୌଣସି ଘରୋଇ ଅଫିସରେ ଯାଞ୍ଚ କରାଯିବା ସହ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଇ-ପରମିଶନ ନେଇ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ଲକଡାଉନ ଓ ସଟଡାଉନ ସମୟରେ ଆତଯାତ ସମ୍ପର୍କରେ ଗତ ୮ ତାରିଖ ଦିନ ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଥିଲେ ଯେ, ଲକଡାଉନ କଟକଣାକୁ ଆହୁରି କଡ଼ାକଡ଼ି କରାଯିବ । ଲକଡାଉନରେ ଆତଯାତ ପାଇଁ ପୁଲିସ କାହାକୁ ପାସ ଦେଇନି । ସଂସ୍ଥା ପରିଚୟ ଦେଖାଇ ଯାଉଛନ୍ତି, ପୁଲିସ ତାକୁ ବିଶ୍ୱାସ କରୁଛି । କିଛି ଲୋକ ପରିଚୟପତ୍ରର ଦୁରୂପଯୋଗ କରି ମନଇଚ୍ଛା ବୁଲୁଛନ୍ତି । ଏସବୁ ଦୂର କରିବାକୁ ଓ ଭିଡ଼ କମାଇବାକୁ କଟକଣା କଡ଼ା ହୋଇଛି । କେଉଁ କର୍ମଚାରୀଙ୍କୁ ଅଫିସ ଆସିବାକୁ କୁହାଯାଇଛି, ସଂସ୍ଥା ସେମାନଙ୍କ ତାଲିକା ଦେବ । ସମ୍ପୃକ୍ତ ସଂସ୍ଥା ପକ୍ଷରୁ କର୍ମଚାରୀଙ୍କ ତାଲିକା ଡିସିପି ଅଫିସରେ ଦାଖଲ କରାଯିବ । ସଂସ୍ଥା ଅଧିକୃତ କର୍ମଚାରୀଙ୍କୁ ଏକ ଅଥରାଇଜେସନ ଲେଟର ବି ଦେବ । ପରିଚୟପତ୍ର ଓ ଅଥରାଇଜେସନ ଲେଟରକୁ ସମ୍ପୃକ୍ତ କର୍ମଚାରୀ ଆତଯାତ ବେଳେ ଦେଖାଇବେ ବୋଲି ପୁଲିସ କମିଶନର କହିଥିଲେ ।