ଆଜିଠାରୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ
ଆଜିଠାରୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ
ବ୍ରହ୍ମଗିରି : ଗୁରୁବାର ଶ୍ରୀମନ୍ଦିରରେ ସ୍ନାନବେଦୀରେ ମହାପ୍ରଭୁ ଗଜାନନ ବେଶ ହୋଇଛନ୍ତି । ନୀତି ଅନୁଯାୟୀ ଏହା ପରେ ଚତୁର୍ଦ୍ଧାମୂର୍ତ୍ତି ଅଣସର ପିଣ୍ଡିକୁ ବିଜେ କରିଛନ୍ତି । ୧୫ ଦିନ ଅଣସର ପିଣ୍ଡିରେ ଜ୍ୱରରେ ଆକ୍ରାନ୍ତ ହୋଇ ମହାପ୍ରଭୁଙ୍କୁ ବିଭିନ୍ନ ଉପଚାର ଲାଗି ହେବେ । ତେଣୁ ଏହି ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଶ୍ରଦ୍ଧାଳୁ ଦର୍ଶନ କରିପାରନ୍ତି ନାହିଁ । ବିଶ୍ୱାସ ରହିଛି ଯେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଦର୍ଶନରେ ବ୍ରହ୍ମଗିରିସ୍ଥ ଶ୍ରୀଅଲାରନାଥଙ୍କ ଦର୍ଶନ କଲେ ଭକ୍ତଙ୍କୁ ସମଫଳ ମିଳିଥାଏ । ଆଜିଠାରୁ ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହେଉଛି । କିନ୍ତୁ କରୋନା କଟକଣା ଯୋଗୁ ଶ୍ରୀଜିଉଙ୍କ ଦର୍ଶନ ଶ୍ରଦ୍ଧାଳୁ କରି ପାରିବେ ନାହିଁ । ପ୍ରଶାସନ ପକ୍ଷରୁ ମନ୍ଦିର ପରିସର ଓ ବାହାରେ ୧୪୪ ଧାରା ଜାରି କରାଯାଇଛି । ଅଣସର ୧୫ ଦିନ ପାଇଁ ସମସ୍ତ ନୀତିକାନ୍ତି ସ୍ଥିର ହୋଇଛି । ଭୋର ୪ଟାରେ ଦ୍ୱାର ଫିଟା ଯିବା ପରେ ମଙ୍ଗଳ ଆଳତି, ଅବକାଶ, ବେଶ, ଚନ୍ଦନ ତୁଳସୀ ଲାଗି, ଦ୍ୱାରପାଳ ପୂଜା, ଗୋପାଳବଲ୍ଲଭ ସକାଳ ୬ଟା ସୁଦ୍ଧା ବଢ଼ିବ । ସୂର୍ଯ୍ୟପୂଜା, ରୋଷହୋମ ନୀତି ସକାଳ ୭ଟା ସୁଦ୍ଧା ବଢ଼ିବ । ମଧ୍ୟାହ୍ନ ୧୨ଟାରେ ସକାଳ ଧୂପ ଏବଂ ଗୋଟାଏରେ ଦ୍ୱିପ୍ରହର ଧୂପ ବଢ଼ି ଅପରାହ୍ନ ୨ଟାରେ ପହଡ଼ ହେବ । ଅପରାହ୍ନ ୩ଟାରେ ପହଡ଼ ଖୋଲାଯିବ । ସନ୍ଧ୍ୟା ୭ଟାରେ ସନ୍ଧ୍ୟା ଆଳତି, ମଇଲମ ବଢ଼ି ରାତି ୮ଟାରେ ସନ୍ଧ୍ୟା ଧୂପ ଉଠିବ । ରାତି ୯ଟାରେ ବଡ଼ସିଂହାର ବେଶ ଓ ଧୂପ ନୀତି ବଢ଼ି ରାତି ୧୦ଟାରେ ଶ୍ରୀଜୀଉଙ୍କ ପହଡ଼ ନୀତି ବଢ଼ିବ ବୋଲି ସେବାୟତ ନିଯୋଗ ପକ୍ଷରୁ ସ୍ଥିର ହୋଇଛି ।




admin 