ଆଜି ହୋଇପାରେ ଅଯୋଧ୍ୟା ମସଜିଦ ପାଇଁ ଟ୍ରଷ୍ଟ ଗଠନ
ଆଜି ହୋଇପାରେ ଅଯୋଧ୍ୟା ମସଜିଦ ପାଇଁ ଟ୍ରଷ୍ଟ ଗଠନ
admin
Mar 5, 2020 - 06:03
Updated: Mar 5, 2020 - 06:03
ଉତର ପ୍ରଦେଶର ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ସୁନ୍ନୀ ସେଂଟ୍ରାଲ ୱାକଫ ବୋର୍ଡ ତରଫରୁ ଆଜି ଟ୍ରଷ୍ଟ ଗଠନର ଘୋଷଣା କରିବ । ମସଜିଦ ଟ୍ରଷ୍ଟରେ ମୋଟ ୧୦ ଜଣ ସଦସ୍ୟଙ୍କୁ ସ୍ଥାନ ମିଳିବ । ମିଳିଥିବା ସୂଚନା ଅନୁଯାୟୀ ସୁନ୍ନୀ ସେଣ୍ଟ୍ରାଲ ବୋର୍ଡରେ ଚେୟାରମ୍ୟାନ ଜୁଫର ଫାରୁକୀଙ୍କ ସମେତ ଅନ୍ୟ ୬ ଜଣ ମହମ୍ମଦ ଜୁନେଦ ସିଦ୍ଦୀକୀ, ବିଧାୟକ ଅବରାର ଅହମଦ, ଅଦନାନ ଫାରୁଖ ଶାହ, ଜୁନିଦ ସିଦ୍ଦୀକୀ ଏବଂ ସୟଦ ଅହମଦ ଅଲି ସାମିଲ ହୋଇପାରନ୍ତି ।
ସୂଚନା ଅନୁସାରେ ମସଜିଦ ଟ୍ରଷ୍ଟର ନାମ ‘ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡେଶନ’ ରଖାଯାଇପାରେ । ଆଇନ ମାମଲାରେ ଗଭୀର ଜ୍ଞାନ ରଖିଥିବା ଜଣେ ବ୍ୟକ୍ତିଙ୍କୁ ଟ୍ରଷ୍ଟରେ ସ୍ଥାନ ମିଳିପାରେ । ଅଯୋଧ୍ୟାରୁ ସମାଜିକ ମଙ୍ଗଳ ଦିଗରେ କାମ କରୁଥିବା ଜଣେ ମୁସଲିମ ବ୍ୟକ୍ତିଙ୍କୁ ମଧ୍ୟ ସାମିଲ କରାଯାଇପାରେ ।
ସେହିଭଳି ଉତ୍ତର ପ୍ରଦେଶ ସରକାରଙ୍କ ତରଫରୁ ମସଜିଦ ଟ୍ରଷ୍ଟରେ ଜଣେ ସଦସ୍ୟ ରହିବେ । ଏହା ବ୍ୟତୀତ ଟ୍ରଷ୍ଟରେ ଏଭଳି ଜଣେ ବ୍ୟକ୍ତି ବିଶେଷଙ୍କୁ ସାମିଲ କରାଯିବ, ଯିଏକି ନିଜସ୍ୱ ଉଦ୍ୟମରେ ସମାଜରେ ଭଲ ନାମ କରିଥିବେ ।
ସୂଚନାଯୋଗ୍ୟ, ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଉତ୍ତର ପ୍ରଦେଶ ସରକାର ମୁସଲିମ ପକ୍ଷକୁ ଅଯୋଧ୍ୟାର ଧନ୍ନୀପୁର ଗାଁରେ ମସଜିଦ ନିର୍ମାଣ ପାଇଁ ୫ ଏକର ଜମି ପ୍ରଦାନ କରିଥିଲେ । ଏହି ଜମିକୁ ସୁନ୍ନୀ ସେଣ୍ଟ୍ରାଲ ବୋର୍ଡ ନିଜର ଗତ ବୈଠକରେ ଏହାକୁ ସ୍ୱୀକାର କରିଥିଲା । ସୁପ୍ରିମ କୋର୍ଟ ଗତ ବର୍ଷ ନଭେମ୍ବର ୯ରେ ଅଯୋଧ୍ୟା ବିବାଦର ଐତିହାସିକ ରାୟ ଶୁଣାଇଥିଲେ । ସୁପ୍ରିମ କୋର୍ଟ ନିଜର ରାୟରେ ବିବାଦିତ ୬୭ ଏକର ଜମିକୁ ରାମ ମନ୍ଦିରକୁ ସମର୍ପଣ କରିଥିଲେ ।