ଯାହା ଘର ସାମ୍ନାରେ ଠିଆ ହେବ ଗାଈ ତା’ର : ଯୋଧପୁର କୋର୍ଟ ଦେଇଛନ୍ତି ଏଭଳି ଅଦ୍ଭୁତ ରାୟ
ଯାହା ଘର ସାମ୍ନାରେ ଠିଆ ହେବ ଗାଈ ତା’ର : ଯୋଧପୁର କୋର୍ଟ ଦେଇଛନ୍ତି ଏଭଳି ଅଦ୍ଭୁତ ରାୟ
admin
Jun 17, 2019 - 05:19
Updated: Jun 17, 2019 - 05:19
ଯୋଧପୁର : ଏକ ଗାଈର ମାଲିକାନାକୁ ନେଇ ରାଜସ୍ଥାନର ଯୋଧପୁର ସହର ସ୍ଥିତ ଏକ କୋର୍ଟ ଶନିବାର ଦିନ ଅଦ୍ଭୁତ ପୂର୍ବ ରାୟ ଦେଇଛନ୍ତି ଏବଂ ତଦନୁଯାୟୀ ଏହି ବିବାଦର ସମାଧାନ ବି କରାଯାଇଛି । କୋର୍ଟ ନିଜ ରାୟରେ କହିଥିଲେ କି ଉକ୍ତ ଗାଈଟିକୁ ଖୋଲା ଛାଡ଼ି ଦିଆଯାଉ । ସିଏ ଯାହା ଘର ସାମ୍ନାରେ ଠିଆ ହେବ, ଗାଈର ଅସଲ ମାଲିକ ସିଏ ।
ରିପୋର୍ଟ ଅନୁଯାୟୀ, ଯୋଧପୁରରେ ରହୁଥିବା କନଷ୍ଟେବଳ ଓମପ୍ରକାଶ ଏବଂ ଜଣେ ଶିକ୍ଷକ ଶିବରାମ ପରିହାରଙ୍କ ମଧ୍ୟରେ ଗତ ୬ ମାସ ଧରି ଗୋଟିଏ ଗାଈର ମାଲିକାନାକୁ ନେଇ ବିବାଦ ଚାଲିଥିଲା । ଏହି ବିବାଦକୁ ନେଇ ଉଭୟ ପରସ୍ପର ବିରୋଧରେ ଥାନାରେ ଅଭିଯୋଗ କଲେ ଏବଂ ଶେଷରେ ମାମଲା କୋର୍ଟରେ ପହଞ୍ଚିଲା ୬ ମାସ ଧରି ଏହାର ଶୁଣାଣି ଚାଲିଥିଲା । କୋର୍ଟଙ୍କ ନିଦେ୍ର୍ଧଶ ମତେ ଗାଈଟିକୁ ପୁଲିସ ଆଣି ଗୋଶାଳାରେ ରଖିଥିଲା । ତେବେ ବିଭିନ୍ନ ପକ୍ଷଙ୍କ ଯୁକ୍ତି ଏବଂ ସାକ୍ଷୀମାନଙ୍କ ବୟାନ ଶୁଣିବା ପରେ ବି ଗାଈ ମାଲିକାନା କେମିତି ନିର୍ଦ୍ଧାରଣ କରାଯିବ, ତାହାକୁ ନେଇ କୋର୍ଟ ଚିନ୍ତିତ ଥିଲେ । ତେଣୁ କୋର୍ଟ ଶେଷରେ ଏକ ପ୍ରାକୃତିକ ପ୍ରକି୍ରୟାକୁ ଅନୁସରଣ କରିବାକୁ ସ୍ଥିର କରିଥିଲେ । ଗାଈ ଏକ ଗୃହପାଳିତ ପଶୁ ହୋଇଥିବାରୁ ସିଏ ନିଜ ମାଲିକ ଏବଂ ତାଙ୍କର ଘରକୁ ଚିହ୍ନିଥାଏ । ତେଣୁ ଗାଈ ନିଜ ମାଲିକର ଘରକୁ ଖୋଜି ଖୋଜି ସେଠାକୁ ଆସିଯାଇଥାଏ । ଏହାକୁ ଆଧାର କରି କୋର୍ଟ ରାୟ ଦେଲେ କି ଉକ୍ତ ଗାଈକୁ ନେଇ କୋର୍ଟର କମିଶନର ଉଭୟ ଦାବିଦାର ରହୁଥିବା ଅଞ୍ଚଳରେ ଛାଡ଼ିଦେବେ । ଗାଈଟି ସେମାନଙ୍କ ମଧ୍ୟରେ ଯାହା ଘର ସାମ୍ନାରେ ଅଟକିବ, ସେ ହିଁ ତାର ଅସଲ ମାଲିକ ହେବେ । ଏହା ପରେ କୋର୍ଟ କମିଶନର ଗାଈଟିକୁ ଖୋଲା ଛାଡ଼ିବାରୁ ସେ କନଷ୍ଟେବଳ ଓମ ପ୍ରକାଶଙ୍କ ଘର ନିକଟରେ ରହିଥିଲା । ତେଣୁ ତାଙ୍କୁ ଗାଈଟି ହସ୍ତାନ୍ତର କରାଯାଇଥିଲା । ଅନ୍ୟ ପଟରେ ଶିବରାମ କହିଛନ୍ତି କି ସେ ଏହା ବିରୋଧରେ ଉଚ୍ଚ ଅଦାଲତର ଦ୍ୱାରସ୍ଥ ହେବେ ।