ଆଜି ସ୍ମାର୍ଟସିଟିରେ ପାୱାର ସୋ’ ଦେଖାଇବେ ଦିଶା ପଟାନି

ଆଜି ସ୍ମାର୍ଟସିଟିରେ ପାୱାର ସୋ’ ଦେଖାଇବେ ଦିଶା ପଟାନି

ଆଜି ସ୍ମାର୍ଟସିଟିରେ ପାୱାର ସୋ’ ଦେଖାଇବେ  ଦିଶା ପଟାନି

ଭୁବନେଶ୍ୱର:  ରବିବାରଠାରୁ ଆରମ୍ଭ ହେବ ହାଇଭୋଲଟେଜ୍‌ ‘ଭୁବନେଶ୍ୱର ଲାଇଭ୍‌’ ସୋ । ପ୍ରଦର୍ଶନୀ ପଡ଼ିଆରେ ଏହି ବହୁ ପ୍ରତୀକ୍ଷିତ ସୋ’ ଆରମ୍ଭ ହେବାକୁ ଯାଉଛି ।
ପ୍ରଥମ ଦିନରେ ଦିଶା ପଟାନି ପାୱାର ସୋ’ ଦେଖାଇବେ । ୫ରୁ ୧୦ ମିନିଟ୍‌ ଯାଏ ସେ ତାଙ୍କ ଆକର୍ଷଣୀୟ ନାଚରେ ସମସ୍ତଙ୍କୁ ମତୁଆଲା କରିବେ । ଗୁରୁ ରାନ୍ଧୱାଙ୍କ ଯାଦୁକରୀ କଣ୍ଠ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିବ । ପୁଣି ବ୍ଲାକ୍‌ସ୍ୱାନ୍‌ ଡ୍ୟାନ୍ସ ଗ୍ରୁପ୍‌ର ଜବରଦସ୍ତ ନାଚର ଧମାକାରେ ସମସ୍ତେ ଝୁମିବେ।ଖାଲି ନାଚଗୀତ ନୁହେଁ, ବିଦେଶୀ ଖାଦ୍ୟର ମେଳା, ନାଇଟ୍‌ ମାର୍କେଟ୍‌, ପୁରୁଣା ଫଟୋ ପ୍ରଦର୍ଶନୀ ଭଳି ଏକାଧିକ ରଙ୍ଗୀନ କାର୍ୟ୍ୟକ୍ରମ ରବିବାର ଠାରୁ ଆରମ୍ଭ ହେବ ।


ରାମମନ୍ଦିର ରାସ୍ତାରୁ ହାଉସିଂବୋର୍ଡ ଛକ ଯାଏ, ପୂରା ରାସ୍ତାରେ ଉତ୍ସବର ମାହୋଲ୍‌ ସୃଷ୍ଟି ହେବ । ସନ୍ଧ୍ୟାରୁ ନେଇ ବିଳମ୍ବିତ ରାତି ଯାଏ ମନୋରଞ୍ଜନର ସେଲିବ୍ରେସନ୍‌ ଚାଲିବ । କାର୍ୟ୍ୟକ୍ରମ ପାଇଁ ପୂରା ଅଞ୍ଚଳକୁ ଆକର୍ଷଣୀୟ ଢଙ୍ଗରେ ସଜା ଯାଇଛି । ରାସ୍ତାରେ ରଙ୍ଗବେରଙ୍ଗର ଗୋଲ୍‌ ଚିତ୍ର ଅଙ୍କାଯାଇଛି । ରାସ୍ତାର ଦୁଇ ପାଶ୍ୱର୍ ଆଲୋକମାଳାରେ ଝଲସୁଛି । ପ୍ରଦର୍ଶନୀ ପଡ଼ିଆରୁ ଭୁବନେଶ୍ୱର ଲାଇଭ୍‌ କାର୍ୟ୍ୟକ୍ରମକୁ ଯିବା ରାସ୍ତାରେ ହକି ଆକୃତିର ତୋରଣ ହୋଇଛି । ଅନ୍ତର୍ଜାତୀୟ ଫୁଡ୍‌ ଫେଷ୍ଟିଭାଲ୍‌ର ଉପର ଭାଗକୁ ରଙ୍ଗୀନ ଟେଣ୍ଟ ଓ ସାମିଆନାରେ ସଜାଯାଇଛି । ଯେ କେହି ଏହାକୁ ଦେଖିଲେ ଆଖି ଝଲସିଯିବ।

ଏକାମ୍ର ହାଟ ବାହାରେ ବସିବାକୁ ଥିବା ନାଇଟ୍‌ ଫ୍ଲି ମାର୍କେଟ୍‌ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବ । ଏଠାରେ ରାତି ୧୨ଟା ଯାଏ ଖାଦ୍ୟ ଓ କିଣାକିଣିର ଆସର ଜମିବ । ନାଇଟ୍‌ ମାର୍କେଟ୍‌କୁ ଲାଗି କଳାକୃତିର ଏକ ସ୍ୱତନ୍ତ୍ର ମନୋରମ ପ୍ରଦର୍ଶନୀ ଖୋଲିଛି । ସେହିଭଳି ଭୁବନେଶ୍ୱର ଲାଇଭ୍‌ କାର୍ୟ୍ୟକ୍ରମକୁ ଲାଗି ଅନ୍ତର୍ଜାତୀୟ ଫୁଡ୍‌ ଫେଷ୍ଟିଭାଲ ହେବ । ଏଥିରେ ୧୬ଟି ଦେଶର ଖାଦ୍ୟ ଷ୍ଟଲ୍‌ ଖୋଲିଛି । ଏହାସମେତ ସ୍ଥାନୀୟ ଅଞ୍ଚଳର କିଛି ହୋଟେଲ୍‌ ଓ ରେସ୍ତୋରାଁ ଖାଦ୍ୟ ଷ୍ଟଲ୍‌ ଖୋଲିଛନ୍ତି । ପ୍ରଦର୍ଶନୀ ପଡ଼ିଆ ପରିସରରେ ‘ସେବେ ଓ ଏବେ’ ଫଟୋ ପ୍ରଦର୍ଶନୀ ହେବ । ଏଥିରେ ୫୦ରୁ ୬୦ ବର୍ଷ ତଳର ଭୁବନେଶ୍ୱରର ସହରର ପୁରୁଣା ଫଟୋ ଓ ବର୍ତ୍ତମାନର ଫଟୋ ପ୍ରଦର୍ଶିତ ହେବ ।