ଆଜି ଓଡ଼ିଶା ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ
ଆଜି ଓଡ଼ିଶା ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛନ୍ତି ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଓଡ଼ିଆ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ଓଡ଼ିଶା । ଦେଶର ୧୬ତମ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମାଟିରୁ ପୂର୍ଣ୍ଣ ସମର୍ଥନ ପାଇଁ ଓଡ଼ିଶା ଆସୁଛନ୍ତି ଦ୍ରୌପଦୀ । ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ ବହୁ ଆଗରୁ ଅପିଲ କରି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଆଜି ବିଧାନସଭାର ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଧାୟକ, ସାଂସଦଙ୍କ ବୈଠକ ବସିବ । ଅନୁଷ୍ଠିତ ବୈଠକରେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁ ବିଜେଡି ବିଧାୟକ ଓ ସାଂସଦଙ୍କୁ ଭେଟିବେ । ସକାଳ ସାଢ଼େ ୧୦ଟାରେ ହେବାକୁ ଥିବା ଏହି ବୈଠକରେ ଦଳ ଦ୍ରୌପଦୀଙ୍କୁ ସ୍ୱାଗତ କରିବ । ସେହିପରି ବିଜେପି ପକ୍ଷରୁ ମଧ୍ୟ ଦ୍ରୌପଦୀଙ୍କୁ ସ୍ୱାଗତ କରାଯିବ ।
ଶ୍ରୀମତୀ ମୁର୍ମୁଙ୍କୁ ସ୍ୱାଗତ ପାଇଁ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ, ବାଦ୍ୟରେ କମ୍ପିବ ବିମାନବନ୍ଦର ଅଞ୍ଚଳ । ବିମାନବନ୍ଦରରୁ ବିଧାନସଭା ପର୍ୟ୍ୟନ୍ତ ସ୍ୱାଗତ ପ୍ଲାକାର୍ଡ ଛାଇଯାଇଛି । ବିମାନବନ୍ଦରରୁ କଡ଼ା ସୁରକ୍ଷା ବଳୟରେ ସେ ସିଧା ଯିବେ ରାଜ୍ୟ ଅତିଥି ଭବନ । ସକାଳ ୧୦ଟା ୪୦ରେ ଯାଇ ପହଞ୍ଚିବେ ଓଡ଼ିଶା ବିଧାନସଭାରେ । ସେଠାରେ ପହଞ୍ଚିବା ମାତ୍ରେ ମନ୍ତ୍ରୀ, ବିଧାୟକ ଓ ସାଂସଦ ତାଙ୍କୁ ପାଛୋଟି ନେବେ ବିଧାନସଭାର ନୂଆ ସମ୍ମିଳନୀ କକ୍ଷକୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସେଠାରେ ବୈଠକ କାର୍ୟ୍ୟକ୍ରମ ଥିବା ଜଣାପଡ଼ିଛି । ବୈଠକରେ ବିଜେଡି ବିଧାୟକ, ସାଂସଦ ଉପସ୍ଥିତ ରହିବେ । ଶ୍ରୀମତୀ ମୁର୍ମୁ ସଭିଙ୍କ ସହଯୋଗ ପାଇଁ ଅନୁରୋଧ କରିବେ । ନବୀନ ମଧ୍ୟ ତାଙ୍କ ପାଇଁ ସମର୍ଥନ ମାଗିବେ ।
ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରିବା ପରେ ଓଡ଼ିଶାରେ ଖୁସିର ଲହରୀ ଖେଳିଯାଇଛି । ଦ୍ରୌପଦୀଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଲୋଚନା କରିଥିଲେ । ଦ୍ରୌପଦୀଙ୍କୁ ରାଷ୍ଟ୍ରପତି କରିବା ପାଇଁ ନବୀନ ଜୋରସୋରରେ ଲାଗି ପଡ଼ିଛନ୍ତି । ଓଡ଼ିଶାର ସବୁ ବିଧାୟକ ଓ ସାଂସଦଙ୍କୁ ନବୀନ ଅପିଲ କରିଛନ୍ତି । ନବୀନଙ୍କ ନିର୍ଦ୍ଦେଶରେ ବିଜେଡି ନେତାମାନେ କଂଗ୍ରେସ ବିଧାୟକ ଦଳ ନେତା, ପିସିସି ସଭାପତି ଓ ବିଧାୟକଙ୍କୁ ଭେଟି ଦ୍ରୌପଦୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଦ୍ରୌପଦୀଙ୍କୁ ସମର୍ଥନ କରିବାକୁ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ପୂର୍ବରୁ ଘୋଷଣା କରିଛନ୍ତି । ଗୁରୁବାର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଦ୍ରୌପଦୀଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି । କଂଗ୍ରେସ ସମେତ ସିପିଆଇ (ଏମ) ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କୁ ମଧ୍ୟ ନବୀନ ନିବେଦନ କରିଛନ୍ତିି ।




admin 