ଆଜିଠୁ ଆରମ୍ଭ ହେଲା ମାଟ୍ରିକ ପରୀକ୍ଷା
ଭୁବନେଶ୍ୱର: ଆଜି ମାଟ୍ରିକ ପରୀକ୍ଷା । ଶୁକ୍ରବାର ମାତୃଭାଷା ପରୀକ୍ଷା ହେବ। ପ୍ରଥମ ଦିନ ସମସ୍ତ ପରୀକ୍ଷାର୍ଥୀ ୧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ। ସକାଳ ୮ ଟାରୁ ପରୀକ୍ଷା ଆରମ୍ଭ ହୋଇ ସକାଳ ୧୦ ଟାରେ ସରିବ। ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ, ପେନସିଲ ଓ ଜ୍ୟାମିତି ବକ୍ସ ନେବାକୁ ଅନୁମତି ରହିଛି ବୋଲି ବୋର୍ଡ଼ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ପ୍ରଶ୍ନ ପତ୍ର ଭାଇରାଲ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ପରୀକ୍ଷା ସମୟରେ ମୋବାଇଲ ବନ୍ଦ କରି ଗୋଟିଏ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥର ପରୀକ୍ଷା ଦେବେ ୫ ଲକ୍ଷ ୪୧ ହଜାର ୨୪୭ ଜଣ ଛାତ୍ରଛାତ୍ରୀ। ମାର୍ଚ୍ଚ ୧୭ ତାରିଖ ପର୍ୟ୍ୟନ୍ତ ପରୀକ୍ଷା ଚାଲିବ। ମଧ୍ୟମା ଓ ଓପନ ସ୍କୁଲ ପରୀକ୍ଷା ମଧ୍ୟ ସେହି ସମୟ ମଧ୍ୟରେ ହେବ। ଏ ସମ୍ପର୍କରେ ସୂଚନା ଦେଇଛନ୍ତି ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମଶିଷ ହାଜରା।
ମାଟ୍ରିକ୍ ପରୀକ୍ଷା ପାଇଁ ୩୨୧୮ଟି କେନ୍ଦ୍ର କରାଯାଇଛି। ୩୧୬ଟି ନୋଡାଲ ସେଣ୍ଟର ଖୋଲାଯାଇଛି। ନକ୍ସଲ ପ୍ରବଣ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଛି।
ମାଟ୍ରିକ ପରୀକ୍ଷା ସମୟରେ ଯେପରି ପ୍ରଶ୍ନପତ୍ର ଲିକ ନହେବ, ସେଥିପ୍ରତି ରାଜ୍ୟ ସରକାର ଓ ବୋର୍ଡ଼ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି। ସମସ୍ତ ପରୀକ୍ଷା କେନ୍ଦ୍ରରେ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚିବ। ନୋଡାଲ ସେଣ୍ଟରରୁ ପରୀକ୍ଷା କେନ୍ଦ୍ରକୁ ପ୍ରଶ୍ନପତ୍ର ଯିବା ସମୟରେ କଡା ସୁରକ୍ଷା ଯୋଗାଇ ଦିଆଯିବ। କପି ରୋକିବାକୁ ସମୁଦାୟ ୭୪ଟି ସ୍କ୍ୱାର୍ଡ ଗଠନ କରାଯାଇଛି। ୫୭ଟି ସେଣ୍ଟ୍ରାଲ ସ୍କ୍ୱାର୍ଡ ଅଚାନକ ପରୀକ୍ଷା କେନ୍ଦ୍ର ବୁଲିବେ ଓ ପରୀକ୍ଷା ସମ୍ପର୍କରେ ବୁଝିବେ। ନକ୍ସଲ ପ୍ରବଣ ଜିଲ୍ଲାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି।




admin 