ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା
ଆଖି ବୁଜିଲା ଗୁଳିବିଦ୍ଧ ଦନ୍ତା
କଟକ: ଆଖି ବୁଜିଲା ଆହତ ଦନ୍ତା । ନରସିଂହପୁର ବନାଞ୍ଚଳରେ ଗୁଳି ମାଡରେ ଆହତ ହୋଇ ଚିକିତ୍ସିତ ହେଉଥିବା ହାତୀର ମୃତ୍ୟୁ ଘଟିଛି । ଉପଯୁକ୍ତ ଚିକିତ୍ସା ଅଭାବରୁ ବାରସିଙ୍ଗା ଜଙ୍ଗଲରେ ହାତୀଟିର ମୃତ୍ୟୁ ହୋଇଥିବା ଡିଏଫଓ ସୁଦର୍ଶନ ଯାଦବ ସୂଚନା ଦେଇଛନ୍ତି । ନରସିଂହପୁର ପ୍ରାଣୀ ଚିକିତ୍ସକ ବିଜୟ କୁମାର ସେନାପତିଙ୍କ ଦ୍ୱାରା ହାତୀର ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ହାତୀର ଦାନ୍ତକୁ ବନ ବିଭାଗ ପକ୍ଷରୁ କାଢି ନେଇଥିବା ଜଣାପଡିଛି। ଆଜି ଜେସିବି ସାହାଯ୍ୟରେ ଜଙ୍ଗଲ ମଧ୍ୟରେ ଏକ ଗାତ ଖୋଳାଯାଇ ମୃତ ହାତୀକୁ ପୋତା ଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।
ତେବେ ଗୁଳିମାଡରେ ଆହତ ହୋଇ ହାତୀଟିର ମୃତ୍ୟୁ ହୋଇଥିବା ବେଳେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ଡିଏଫଓ । ହାତୀ ମୃତ୍ୟୁ ସମୟରେ ଆଠଗଡ଼ ଡିଏଫଓ ସୁଦର୍ଶନ ଯାଦବ ଯାଦବ, ଏସିଏଫ ଘନଶ୍ୟାମ ମୁଦୁଲି, ନରସିଂହପୁର ବନାଧିକାରୀ ପ୍ରଫୁଲ୍ଲ କୁମାର ଦେହୁରୀଙ୍କ ସମେତ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ।ସୂଚନାଯୋଗ୍ୟ, ଗୁରୁବାର ନରସିଂହପୁର ପଶ୍ଚିମାଞ୍ଚଳ ବନ ବିଭାଗ ଅନ୍ତର୍ଗତ ବାଲିକିଆରୀ ସଂରକ୍ଷିତ ଜଙ୍ଗଲ ବାରସିଙ୍ଗା ବିଟ ହାଉସ ନିକଟରେ ଅସୁସ୍ଥ ଅବସ୍ଥାରେ ଗୁଳିବିଦ୍ଧ ଦନ୍ତାର ସନ୍ଧାନ ମିଳିଥିଲା । ଏନେଇ ଚକିତ୍ସା ମଧ୍ୟ ଜାରି ରହିଥିଲା । ହେଲେ ଶୁକ୍ରବାର ଦନ୍ତାର ମୃତ୍ୟୁ ଘଟିଛି।




admin 