ଆଉ ୧୦ ଜିଲ୍ଲାରେ ଲାଗୁ ହେବ ଷ୍ଟୁଡେଣ୍ଟ- ଟ୍ରାଫିକ ଭଲୁ୍ୟଣ୍ଟର ବ୍ୟବସ୍ଥା

ଆଉ ୧୦ ଜିଲ୍ଲାରେ ଲାଗୁ ହେବ ଷ୍ଟୁଡେଣ୍ଟ- ଟ୍ରାଫିକ ଭଲୁ୍ୟଣ୍ଟର ବ୍ୟବସ୍ଥା

ଆଉ ୧୦ ଜିଲ୍ଲାରେ ଲାଗୁ ହେବ ଷ୍ଟୁଡେଣ୍ଟ- ଟ୍ରାଫିକ ଭଲୁ୍ୟଣ୍ଟର ବ୍ୟବସ୍ଥା
ଭୁବନେଶ୍ୱର - ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ନିମନ୍ତେ ଷ୍ଟୁଡେଣ୍ଟ-ଟ୍ରାଫିକ୍ ଭଲୁ୍ୟଣ୍ଟର୍ ବ୍ୟବସ୍ଥା କମିସନରେଟ୍ ପୁଲିସରେ ସଫଳ ହେବା ପରେ ଏବେ ରାଜ୍ୟର ଆଉ କିଛି ପ୍ରମୁଖ ସହରରେ ଏହି ବ୍ୟବସ୍ଥା ଲାଗୁ କରାଯିବ । ପୁଲିସ କର୍ତ୍ତୃପକ୍ଷଙ୍କ ଏହି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ରାଜ୍ୟ ସରକାର । ପ୍ରଥମ ପଦକ୍ଷେପ ସ୍ୱରୂପ ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ, ବରଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହି ବ୍ୟବସ୍ଥା ଲାଗୁ ହେବ । ଏହା ପରେ ଅନ୍ୟ ଜିଲ୍ଲାରେ ମଧ୍ୟ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ ଯୋଜନା ହୋଇଛି । ଏ ନେଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ଏହି ଯୋଜନା ଲାଗୁ କରିବାକୁ ଥିବା ଜିଲ୍ଲାଗୁଡିକର ଏସ୍ପିମାନଙ୍କୁ ଅବଗତ କରାଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ସାଙ୍ଗକୁ ଦିନକୁ ଦିନ ଏସବୁ ସହରରେ ଟ୍ରାଫିକ୍ ସମସ୍ୟା ବଢ଼ି ଚାଲିଛି । ଯେଉଁ ଅନୁପାତରେ ଗାଡ଼ି ମୋଟର ଚାଲୁଛି ସେହି ସଂଖ୍ୟାରେ ଟ୍ରାଫିକ୍ କର୍ମଚାରୀ ନାହାନ୍ତି । ଫଳରେ ଟ୍ରାଫିକ୍ ଜାମ୍ ହେବା ସହ ଦୁର୍ଘଟଣା ମଧ୍ୟ ସେହି ଅନୁସାରେ ବଢ଼ି ଚାଲିଛି । ସମ୍ପୃକ୍ତ ସହରଗୁଡିକରେ ଟ୍ରାଫିକ୍ ସମସ୍ୟା ଅସମ୍ଭାଳ ସ୍ଥିତି ସୃଷ୍ଟି କଲାଣି । ତେଣୁ କମିସନରେଟ୍ ପୁଲିସରେ ଯେଭଳି ଷ୍ଟୁଡେଣ୍ଟ-ଟ୍ରାଫିକ୍ ଭଲୁ୍ୟଣ୍ଟରମାନେ ସହଯୋଗ କରୁଛନ୍ତି ସେହିଭଳି ସେହି ସହରଗୁଡ଼ିକରେ ମଧ୍ୟ ଛାତ୍ରଛାତ୍ରୀମାନେ ଟ୍ରାଫିକ୍ ବ୍ୟବସ୍ଥା ପରିଚାଳନା କରିବେ । ପ୍ରତ୍ୟେକ ଦିନ ସେମାନେ ମାତ୍ର ୩ ଘଣ୍ଟା ଯେ କୌଣସି ଛକରେ ଠିଆ ହୋଇ ଟ୍ରାଫିକ୍ ପୁଲିସକୁ ସହଯୋଗ କରିବେ । ଏଥିପାଇଁ ସେମାନଙ୍କୁ ଜିଲ୍ଲାର ପୁଲିସ ମୁଖ୍ୟାଳୟରୁ ଏକ ଫର୍ମ ଆଣିବାକୁ ପଡ଼ିବ । ସେହି ଫର୍ମପୂରଣ କରିବା ପରେ କଲେଜ ଅଧ୍ୟକ୍ଷ ଦସ୍ତଖତ କରିବେ । ଏହି ଫର୍ମକୁ ପୁଲିସ ମୁଖ୍ୟାଳୟରେ ଜମା କରିବା ପରେ ସେମାନଙ୍କ ମଧ୍ୟରୁ ପୁଲିସ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବାଛିବ । ସେମାନଙ୍କୁ ସ୍ୱତନ୍ତ୍ର ଡ୍ରେସ୍, ଟୋପି ଆଦି ମଧ୍ୟ ଯୋଗାଇ ଦିଆଯିବ । ପାରିଶ୍ରମିକ ବାବଦରେ ମାସକୁ ସେମାନେ ୩ ହଜାର ଟଙ୍କା ପାଇବେ । ଏହାଛଡ଼ା ସେମାନଙ୍କୁ ବୀମାଭୁକ୍ତ ମଧ୍ୟ କରାଯିବ ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ଏସବୁ ଜିଲ୍ଲାରେ ପାଖାପାଖି ୪୨୦ ଜଣ ଛାତ୍ରଛାତ୍ରୀ ନିଯୁକ୍ତି ପାଇବେ ।