କିଏ ଧରିବ ବିଜେପିର ମଙ୍ଗ !
କିଏ ଧରିବ ବିଜେପିର ମଙ୍ଗ !
admin
Jan 15, 2020 - 06:49
Updated: Jan 15, 2020 - 06:49
ଭୁବନେଶ୍ୱର - ସମୀର ମହାନ୍ତି ନା ପୃଥ୍ୱୀରାଜ ହରିଚନ୍ଦନ ନା ସୁରେଶ ପୂଜାରୀ ? କିଏ ହେବେ ରାଜ୍ୟ ବିଜେପିର ମଙ୍ଗୁଆଳ । ଏହାକୁ ନେଇ ବିଜେପି ଅଳିନ୍ଦରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଜାନୁଆରୀ ୧୬ରେ କିଏ ରାଜ୍ୟ ବିଜେପିର ସଭାପତି ହେବେ ତାହା ସ୍ପଷ୍ଟ ହୋଇଯିବ । ଆସନ୍ତାକାଲି ରାଜ୍ୟ ବିଜେପି ସଭାପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରାଯିବ । ଅପରାହ୍ନ ୩ଟାରେ ନାମାଙ୍କନ ପତ୍ର ଦାଖଲ କରାଯିବ । ସାଢେ଼ ୫ଟାରେ ଯାଂଚ ହେବା ସହ ସାଢେ଼ ୭ଟା ମଧ୍ୟରେ ପ୍ରତ୍ୟାହାର କରାଯିବ । ଆବଶ୍ୟକ ପଡ଼ିଲେ ୧୭ରେ ଭୋଟ ଗ୍ରହଣ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୁଦୀପ୍ତ ରାୟ ସୂଚନା ଦେଇଛନ୍ତି । ସାଧାରଣତଃ ସହମତି ଭିତିରେ ବିଜେପିର ରାଜ୍ୟ ସଭାପତି ନିର୍ବାଚନ ହୋଇଥାଏ । ତେଣୁ ଆସନ୍ତାକାଲି ଜଣେ ନେତା ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି କୁହାଯାଉଛି ।
ତେବେ କେଉଁ ନେତା ଦଳର ମଙ୍ଗୁଆଳ ହେବେ ? ଏନେଇ ବିଜେପି ଅଳିନ୍ଦରେ ଅନେକଙ୍କ ନାଁ ଘୂରି ବୁଲୁଥିଲା । କେବେ ବିଜୟ ମହାପାତ୍ର ଓ ଅପରାଜିତା ଷଡ଼ଙ୍ଗୀଙ୍କ ନାମକୁ ନେଇ ବି ଚର୍ଚ୍ଚା ହେଉଥିଲା । ବିଜୟ ଓ ଅପରାଜିତାଙ୍କ ସମର୍ଥକମାନେ ସୋସିଆଲ ମିଡ଼ିଆରେ ଏଭଳି ଚର୍ଚ୍ଚା କରୁଥିଲେ । ସେହିପରି ପୂର୍ବତନ ସଭାପତି କନକବର୍ଦ୍ଧନ ସିଂହଦେଓ, ବରିଷ୍ଠ ନେତା ସମୀର ଦେ’ ମଧ୍ୟ ଆଶାବାଦୀ ଥିବା କୁହାଯାଉଥିଲା । କିନ୍ତୁ ବିଜେପିର ରାଜନୀତି ଗଣିତ ଅନ୍ୟ କିଛି ଦିଗ ପ୍ରତି ଇଶାରା ଦେଇ ଆସୁଛି । ଗତ ଥର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଭଳି ଟାଣୁଆ ନେତା ସଭାପତି ହେବାକୁ ଅଂଟା ଭିଡ଼ିଥିଲେ ବି ଧର୍ମେନ୍ଦ୍ର ପ୍ରଧାନଙ୍କ ଦବଦବା ରହିଥିଲା । ଧର୍ମେନ୍ଦ୍ରଙ୍କ ପାଇଁ ବସନ୍ତ ପଣ୍ଡା ହିଁ ସଭାପତି ହୋଇଥିଲେ । ଏମିତିକି ପ୍ରତାପ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ତାଙ୍କର ସମର୍ଥକମାନେ ପ୍ରଚାର କରିଥିଲେ । ତେବେ ପରେ ପ୍ରତାପଙ୍କୁ ବୁଝାସୁଝା କରାଯାଇଥିଲା । ବସନ୍ତ ପଣ୍ଡା ହିଁ ସଭାପତି ହୋଇଥିଲେ । ଏକଥା ଉଲ୍ଲେଖ କରିବାର କାରଣ ହେଉଛି ଧର୍ମେନ୍ଦ୍ର ଯାହାଙ୍କୁ ସମର୍ଥନ କରିବେ ସେ ହିଁ ସଭାପତି ହେବେ । ଫଳରେ ବିଜେପି ଅଳିନ୍ଦରେ ସମୀର ମହାନ୍ତିଙ୍କୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା । ଧର୍ମେନ୍ଦ୍ରଙ୍କ ଗୁଡ଼ବୁକରେ ସମୀର ମହାନ୍ତି ଅଛନ୍ତି । ସେହିପରି ଯୁବନେତା ପୃଥ୍ୱୀରାଜ ହରିଚନ୍ଦନ ବି ଆଗ୍ରହ ପ୍ରକାଶ କରିଥିଲେ । ତେବେ ତାଙ୍କ ତୁଳନାରେ ସମୀରଙ୍କର ପଲା ଭାରି ରହିଥିଲା । ଏହି ପରିପ୍ରେକ୍ଷୀରେ ପୂର୍ବତନ ସଭାପତି ତଥା ସାଂସଦ ସୁରେଶ ପୂଜାରୀଙ୍କୁ ସଭାପତି କରିବା ପାଇଁ ଏକ ଗୋଷ୍ଠୀ ଉଦ୍ୟମ ଆରମ୍ଭ କରିଦେଇଥିଲେ । ଧର୍ମେନ୍ଦ୍ରଙ୍କ ବିରୋଧୀ ଗୋଷ୍ଠୀ ସୁରେଶଙ୍କୁ ସଭାପତି କରିବାକୁ ଯୋଜନା କରିଥିବା କୁହାଯାଉଛି । କିନ୍ତୁ ସୁରେଶଙ୍କ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରିନାହିଁ । ତେବେ ଦଳର କିଏ ସଭାପତି ହେବେ ? ଆସନ୍ତାକାଲି କିଏ ପ୍ରାର୍ଥୀପତ୍ର ଦାଖଲ କରିବେ ସେନେଇ ଦିଲ୍ଲୀରେ ବୈଠକ ହେବ ବୋଲି ଜାଣିବାକୁ ମିଳିଛି । ଆଜି ଦଳର ସାଧାରଣ ସମ୍ପାଦକ (ସଂଗଠନ) ମାନସ ମହାନ୍ତି ଦିଲ୍ଲୀ ଯିବେ । ଦିଲ୍ଲୀର ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତି ନିଆଯିବ । ଫଳରେ ଆଜି ରାତିରେ କିମ୍ବା କାଲି ସକାଳେ ଏନେଇ ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ବିଜେପିର ଜଣେ ବରିଷ୍ଠ ନେତା ସୂଚନା ଦେଇଛନ୍ତି ।