ଆଉ ନାହାନ୍ତି କଂଗ୍ରେସର ଚାଣକ୍ୟ ଅହମ୍ମଦ ପଟେଲ୍‌

ଆଉ ନାହାନ୍ତି କଂଗ୍ରେସର ଚାଣକ୍ୟ ଅହମ୍ମଦ ପଟେଲ୍‌

ଆଉ ନାହାନ୍ତି କଂଗ୍ରେସର ଚାଣକ୍ୟ ଅହମ୍ମଦ ପଟେଲ୍‌
ନୂଆଦିଲ୍ଲୀ : ଚଳିତ କରୋନା କାଳରେ ଆମେ ବହୁ ଲୋକଙ୍କୁ ହରେଇଛୁ । ନେତା, ଅଭିନେତା, ଜନନେତା ଆମଠାରୁ ବିଦାୟ ନେଇଛନ୍ତି । ଇତି ମଧ୍ୟରେ ବିଦାୟ ନେଇଛନ୍ତି ଜାତୀୟ କଂଗ୍ରେସର ଚାଣକ୍ୟ । କଂଗ୍ରେସର ବହୁ ପରିଚିତ ତଥା ଦଳର ଚାଣକ୍ୟ ରୂପେ ପରିଚିତ ପାଇଥିବା ନେତା ଅହମ୍ମଦ ପଟେଲ୍‌ ଆଉ ନାହାନ୍ତି । ତାଙ୍କ ରାଜନୀତିକ ଗୋଟି ଚାଳନାକୁ ଦୃଷ୍ଟିରେ ରଖି ତାଙ୍କୁ କଂଗ୍ରେସର ଚାଣକ୍ୟ ବୋଲି ସମ୍ବୋଧନ କରାଯାଏ । ତେବେ ସେ ଦୀର୍ଘ ସମୟ ଧରି କରୋନା ସହ ଲଢି ଲଢି ଶେଷରେ ହାରିଯାଇଛନ୍ତି । ତେବେ କଂଗ୍ରେସ ପାଇଁ ତାଙ୍କର ଅବଦାନ ଉଲ୍ଲେଖନୀୟ । କଂଗ୍ରେସ ତଥା ଗାନ୍ଧି ପରିବାରର ସର୍ବଦା ନିକଟତର ଓ ବିଶ୍ବସ୍ତ ଭାବେ ନିଜର ଯୋଗଦାନ ରଖିଛନ୍ତି । ସର୍ବଦା ପରଦା ପଛରେ ରହି ଗୋଟି ଚାଳନାରେ କରୁଥିବା ଶ୍ରୀ ପଟେଲ୍‌ କଂଗ୍ରେସର ସଂକଟମୋଚକ ଭାବରେ ସବୁ ସମୟରେ ଦଳକୁ ସୁରକ୍ଷା ପ୍ରଦାନ କରିଛନ୍ତି । ରାଜନୈତିକ ସେନାପତି ସାଜି ଶ୍ରୀ ପଟେଲ୍‌ ୨୦୦୪ ଓ ୨୦୦୯ ଲୋକସଭା ନିର୍ବାଚନରେ କଂଗ୍ରେସକୁ ଜିତାଇଥିଲେ । ରାଜନୀତିରେ ଥିବା ସମସ୍ତ ଅସମ୍ଭବ କାମକୁ ସମ୍ଭବ କରିଛନ୍ତି ଶ୍ରୀ ପଟେଲ୍‌ । ୮ଥର ସଂସଦ ଥିବା ଅହମ୍ମଦ ପଟେଲ୍‌ଙ୍କ ରାଜନୈତିକ କ୍ୟାରିଅର୍‌ ଯୁବ କଂଗ୍ରେସରୁ ଆରମ୍ଭ ହୋଇଥିଲା । ସେ ୧୯୭୭ ମସିହାରେ ଗୁଜୁରାଟର ବାହାରୁରୁ ଲୋକସଭା ନିର୍ବାଚନ ଲଢିଥିଲେ । ମାତ୍ର ୨୮ ବର୍ଷ ବୟସରେ ସେ ନିର୍ବାଚିତ ହୋଇଥିଲା । ୧୯୭୫ ଜରୁରୀକାଳୀନ ପରିସ୍ଥିତି ପରେ କଂଗ୍ରେସ ପ୍ରତି ରହିଥିବା ଲୋକଙ୍କ ବିଦ୍ବେଷ ଓ ଜନତା ପାର୍ଟିର ପ୍ରଭାବକୁ ସେ ପ୍ରତିହତ କରି ୧୯୭୭ ମସିହାରେ ଲୋକସଭା ଆସନ ଜିତିଥିଲେ ଅହମ୍ମଦ ପଟେଲ୍‌ । ଏହା ପରେ ସେ ୧୯୮୦ ଓ ୧୯୮୪ ମସିହାରେ ପୁର୍ବାର ସାଂସଦ ହୋଇଥିଲେ । ସେ ରାଜ୍ୟସଭାକୁ ୫ଥର ଓ ଲୋକସଭାକୁ ୩ ଥର ନିର୍ବାଚିତ ହୋଇଥିଲେ। ଇନ୍ଦିରାଙ୍କ ଅମଳରୁ କାମ କରିଥିବା ପଟେଲ୍‌ ଗାନ୍ଧି ପରିବାରର ଏକାଧିକ ଜେନେରେସନ୍‌ଙ୍କ ସହ କାମ କରିଛନ୍ତି । ସୋନିଆ ଗାନ୍ଧିଙ୍କ ଖାସ୍‌ ଲୋକ ଭାବେ ଜଣାଶୁଣା ଅହମଦ ପଟେଲ ଅନେକ ବର୍ଷ ଧରି ତାଙ୍କ ରାଜନୀତିକ ପରାମର୍ଶଦାତା ଭାବେ କାର୍ୟ୍ୟ କରିଛନ୍ତି। ଦଳର କିଛି ହାତ ଗଣତି ପାୱାରଫୁଲ ନେତାଙ୍କ ମଧ୍ୟରେ ସର୍ବଦା ତାଙ୍କ ନାଁ ରହିଛି । ଭାରତୀୟ ରାଜନୀତିରେ ବଦଳୁଥିବା ସମୟ ଋତୁଚକ୍ର ପରି ବଦଳିଥାଏ, କିନ୍ତୁ ଶ୍ରୀ ପଟେଲ୍‌ ଏହି ବଦଳୁଥିବା ରଙ୍ଗରେ ରଙ୍ଗୀନ୍‌ ନ ହୋଇ ସର୍ବଦା କଂଗ୍ରେସ ଦଳପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିଛନ୍ତି । କିନ୍ତୁ ଆଜି ଯେତେବେଳେ ପଟେଲ୍‌ ଦୁନିଆ ଛାଡିଛନ୍ତି, ସେତେବେଳେ କଂଗ୍ରେସ ଦଳରେ ଆଭ୍ୟନ୍ତରୀଣ କନ୍ଦଳ ବଢିବାରେ ଲାଗିଛି । ଚଳିତ ବିହାର ବିଧାନସଭା ତଥା ଉପନିର୍ବାଚନ ଗୁଡିକରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ କଂଗ୍ରେସରେ ପୁଣି ଥରେ ଟଣାଓଟରା ଚାଲିଛି । ଏହି ସମୟରେ କଂଗ୍ରେସ ଦଳ ଜଣେ ବିଶ୍ବସ୍ତ ତଥା ଦକ୍ଷ ସିପାହୀକୁ ହରାଇଛି । ଜଣେ ଉତ୍ତମ ରାଜନେତା ଭାବେ ଅହମ୍ମଦ ପଟେଲ୍‌ କଂଗ୍ରେସ କର୍ମୀ ତଥା ସମସ୍ତଙ୍କ ହୃଦୟରେ ରହିବେ ଏଥିରେ ସନ୍ଦେହ ନାହିଁ ।