ଅସହ୍ୟ ହେଲା ସ୍ୱାମୀଙ୍କ ଅତ୍ୟାଚାର :ଦେଢ଼ ବର୍ଷର ପୁଅ ସହ ବିଷ ପିଇଲା ମା’
ଅସହ୍ୟ ହେଲା ସ୍ୱାମୀଙ୍କ ଅତ୍ୟାଚାର :ଦେଢ଼ ବର୍ଷର ପୁଅ ସହ ବିଷ ପିଇଲା ମା’
admin
Sep 18, 2020 - 09:58
Updated: Sep 18, 2020 - 09:58
ବଣାଇଁ: ବିବାହ ପରେ ସୁଖର ସଂସାର ଗଢ଼ିବେ ବୋଲି ଆଶା ରଖିଥିଲେ । ହେଲେ ସବୁ ଫସର ଫାଟିଗଲା । ଦିନକୁ ଦିନ ସ୍ୱାମୀଙ୍କ ଅତ୍ୟଧିକ ଅତ୍ୟାଚାର ହେବାକୁ ତାକୁ ସହି ନ ପାରି ଦେଢ଼ ବର୍ଷର ଶିଶୁ ପୁତ୍ରକୁ ବିଷ ପିଆଇ ମା ନିଜେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିିଛି । ମୃତ ମହିଳାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ । ଗୋବିନ୍ଦପୁର ଗ୍ରାମ ନିବାସୀ ଡମ୍ବରୁ କିଷାନ (୩୦)ଙ୍କ ବିବାହ ୩ ବର୍ଷ ପୂର୍ବେ କନ୍ତସରା ଗ୍ରାମର ଅଷ୍ଟମୀ କିଷାନ (୨୫)ଙ୍କ ସହିତ ହୋଇଥିଲା । ସେମାନଙ୍କର ଏକ ଦେଢ଼ ବର୍ଷର ଶିଶୁ ପୁତ୍ର ମଧ୍ୟ ଅଛି । ଅଷ୍ଟମ ନିଜ ଭାଇ ପିଣ୍ଟୁଙ୍କ ମୋବାଇଲରେ ଏକ ମେସେଜ ପଠାଇଥିଲେ । ସେ ମେସେଜରେ ଲେଖିଥିଲେ ତାଙ୍କୁ ତାଙ୍କ ସ୍ୱାମୀ ମୁଣ୍ଡକୁ ମାରିଛନ୍ତି । ମୁଣ୍ଡ ବୁଲାଉଛି, କାଲି ସକାଳେ ଦେଖିବି କି ନାହିଁ ଜଣାନାହିଁ । ମା’ଙ୍କୁ ଏ ବିଷୟରେ କିଛି କହିବୁ ନାହିଁ, ନଚେତ ସେ କାନ୍ଦି ପକାଇବ । ଭୋର ପ୍ରାୟ ୪ଟାରେ ପିଣ୍ଟୁ ଓ ତାଙ୍କ ଗ୍ରାମର କିଛି ଲୋକ ଆସି ଡମ୍ବୁରଙ୍କ ଘରେ ପହଞ୍ଚିଥିଲେ । ହେଲେ ସେତେବେଳକୁ ଅଷ୍ଟମୀ ଆଖି ବୁଜି ଦେଇଥିଲେ । ଅଷ୍ଟମୀଙ୍କ ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ଶିଶୁ ପୁତ୍ର ଘରେ ନଥିଲା । ପାଖ ପଡେ଼ାଶୀ କହିଲେ ଶିଶୁ ଗୁରୁତର ହେବାରୁ ତାକୁ ତା ବାପା ରାଉରକେଲା ନେଇକି ଯାଇଛି । ଶିଶୁକୁ ରାଉରକେଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଳେ । ଏହି ଘଟଣା ସମ୍ପର୍କରେ ଖବର ପାଇ ବଣାଇଁ ଏସଡିପିଓ ସୌରଭ ଓତା, ଥାନା ଅଧିକାରୀ ଲକ୍ଷ୍ମୀ ନାରାୟଣ ମାରାଣ୍ଡି, ସବଇନ୍ସିପେକ୍ଟର ମଧୁସ୍ମିତା ସିଂ ଓ ସାଇଣ୍ଟିଫିକ ଟିମ ସହ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । ପୁଲିସ ଶବ ଦ୍ୱୟକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଥିବା ବେଳେ ମୃତ ମହିଳାଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ଭଉଣୀଙ୍କୁ ବାପା ଘରୁ ଅଧିକ ଯୌତୁକ ଆଣିବା ଲାଗି ଡମ୍ବରୁ ବାରମ୍ବାର ବାଧ୍ୟ କରୁଥିଲେ । ଏପରିକି ସବୁ ସମୟରେ ତାଙ୍କୁ ପିଟାପିଟି କରୁଥିଲେ । ମୃତ ମହିଳାଙ୍କ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଉପରେ ପୁଲିସ ଏକ ମାମଲା ରୁଜୁ କରି ଡମ୍ବରକୁ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଖୋଜାଖୋଜି କରୁଛି ବୋଲି କହିଛନ୍ତି ବଣାଇ ଏସଡିପିଓ ଶ୍ରୀ ଓତା ।