ଅରୁଣଙ୍କ ତାଗିଦ୍: ମୋବାଇଲ୍ ସୁଇଚ୍ ଅଫ କରିପାରିବନି
ଅରୁଣଙ୍କ ତାଗିଦ୍: ମୋବାଇଲ୍ ସୁଇଚ୍ ଅଫ କରିପାରିବନି
ଭୁବନେଶ୍ୱର: ମୋବାଇଲ୍ ସୁଇଚ୍ ଅଫ୍ କରିପାରିବନି । କେହି ହେଡ୍ କ୍ୱାର୍ଟର୍ସ ଛାଡ଼ି ଯାଇପାରିବନି । କୃଷି ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର କର୍ମଚାରୀମାନଙ୍କୁ ଏଭଳି କଡ଼ା ଶବ୍ଦରେ ତାଗିଦ୍ କରିଛନ୍ତି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ।
ଅନାବୃଷ୍ଟି ଓ ସମ୍ଭାବ୍ୟ ମରୁଡ଼ି ସ୍ଥିତିର ସମୀକ୍ଷା କରିବାବେଳେ ଅରୁଣ ଏଭଳି ନିଦେ୍ର୍ଧଶ ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ସମ୍ଭାବ୍ୟ ମରୁଡ଼ିଜନିତ ଜରୁରୀକାଳୀନ ସ୍ଥିତିର ସାମ୍ନା କରିବାକୁ ହେବ । ଚାଷୀର ଏ ସଙ୍କଟ ସମରେ ସହାୟତା ଯୋଗାଇବା ଆବଶ୍ୟକ । ଚାଷର ସ୍ଥିତି ଜାଣିବା ପାଇଁ କ୍ଷେତ୍ର ଅଧିକାରୀମାନେ ନିୟମିତ ଚାଷୀଙ୍କ ସହ ଯୋଗାଯୋଗରେ ରହିବେ । ଆବଶ୍ୟକ ହେଲେ ଚାଷ ଜମି ପାଖକୁ ଯାଇ ସ୍ଥିତି ଦେଖିବେ । ମାଛ ଚାଷ ସ୍ଥିତି ଜାଣିବାକୁ ବି ସଂପୃକ୍ତ ସ୍ଥାନକୁ ଯାଇ ସ୍ଥିତି ପରଖନ୍ତୁ । ପନିପରିବା ଚାଷ ଅନାବୃଷ୍ଟିରେ କେତେ ପ୍ରଭାବିତ ହୋଇଛି, ତାହାକୁ ମଧ୍ୟ କ୍ଷେତ୍ରକୁ ଯାଇ ଦେଖିବାକୁ ହେବ ।
ମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି, ଚାଷୀ ସଙ୍କଟରେ ଥିବାରୁ କୃଷି ବିଭାଗର କାର୍ଯ୍ୟାଳୟଗୁଡ଼ିକ ୭ ଦିନ ଖୋଲା ରହିବ । ଜଳସେଚନ ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଉଛି କି ଅକାମି ହୋଇପଡ଼ିଛି, ତାହାର ସ୍ଥିତି ଦେଖି ତୁରନ୍ତ ଜିଲ୍ଲାସ୍ତରରେ ରିପୋର୍ଟ ଦିଅ । ତୁରନ୍ତ ଅଚଳ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ଦରକାର । ଚାଷର ସ୍ଥିତି ଦେଖି ପ୍ରତିକାର ପାଇଁ ଦୀର୍ଘସ୍ଥାୟୀ ଓ ସ୍ୱଳ୍ପସ୍ଥାୟୀ ଯୋଜନା ପ୍ରସ୍ତୁତ କରିବାକୁ ହେବ । କୃଷି ବିଭାଗର ବିଭିନ୍ନ ସ୍ତରର ଅଧିକାରୀମାନେ ଅନାବୃଷ୍ଟିଜନିତ ସ୍ଥିତି ବାବଦରେ ଟିକିନିଖି ଖବର ରଖିବାକୁ କୁହାଯାଇଛି । ଯେତେବେଳେ ବିଭାଗ ତଥ୍ୟ ମାଗିବ, ତୁରନ୍ତ ତଥ୍ୟ ପ୍ରଦାନ କରିବାକୁ ପଡ଼ିବ । ସେ ଆହୁରି କହିଛନ୍ତି, ପ୍ରତି ଶନିବାର ବ୍ଲକ ଓ ଜିଲ୍ଲାସ୍ତରରେ ସ୍ଥିତି ସମୀକ୍ଷା କରାଯିବ । ବୈଠକ ବାବଦରେ ମନ୍ତ୍ରୀଙ୍କୁ ରିପୋର୍ଟ ପଠାଯିବ । ରବିବାର ନିଜେ ମନ୍ତ୍ରୀ ରାଜ୍ୟସ୍ତରୀୟ ସମୀକ୍ଷା କରିବେ । ଚଳିତବର୍ଷ ରାଜ୍ୟରେ ମରୁଡ଼ି ଆଶଙ୍କା ଦେଖା ଦେଇଛି । ଏହାର ମୁକାବିଲା ପାଇଁ ନିକଟରେ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକ କରି ସବୁ ବିଭାଗକୁ ତ୍ୱରିତ ପଦକ୍ଷେପ ନେବାକୁ କହିଥିଲେ । ଏ ବର୍ଷ ମୌସୁମୀରେ ୩୦% ବର୍ଷା ଅଭାବ ରହିଛି । ୨୫ ଜିଲ୍ଲାରେ ବର୍ଷା କମ୍ ହୋଇଛି । ୧୯୯୮ ପରେ ମୌସୁମୀରେ ଏଭଳି ବର୍ଷା ସଙ୍କଟ ଯୋଗୁ ଚାଷ ସ୍ଥିତି ବିଗିଡ଼ିଛି ।




admin 