ଅଯୋଧ୍ୟା ମାମଲାର ନିୟମିତ ଶୁଣାଣି ଆରମ୍ଭ

ଅଯୋଧ୍ୟା ମାମଲାର ନିୟମିତ ଶୁଣାଣି ଆରମ୍ଭ

ଅଯୋଧ୍ୟା ମାମଲାର ନିୟମିତ ଶୁଣାଣି ଆରମ୍ଭ
ନୂଆଦିଲ୍ଲୀ : କମିଟି ଦ୍ୱାରା ବିବାଦୀୟ ଅଯୋଧ୍ୟା ମାମଲାର ସମାଧାନ ସୂତ୍ର ନବାହାରିବା ଫଳରେ ସୁପ୍ରିମକୋର୍ଟରେ ଆଜିଠାରୁ ଏହି ମାମଲାର ନିୟମିତ ଶୁଣାଣି ଆରମ୍ଭ ହୋଇଛି । ରାଜନୈତିକ ଦୃଷ୍ଟିରୁ ଅତ୍ୟନ୍ତ ସମ୍ବେଦନଶୀଳ ଏହି ମାଲାରେ ନିର୍ମୋହି ଆଖଡ଼ା ଗୋଟିଏ ପକ୍ଷ ରହିଛି । ଆଜି ମାମଲାର ଶୁଣାଣି ବେଳେ ନିର୍ମୋହି ଆଖଡ଼ାର ଆଇନଜୀବୀ ସୁଶୀଳ ଜୈନ କହିଥିଲେ ଏହି ପରିସର ମଧ୍ୟରୁ ୧୯୩୪ ମସିହାରୁ କୌଣସି ମୁସଲମାନଙ୍କୁ ପ୍ରବେଶ ଅନୁମତି ଦିଆଯାଇନାହିଁ । ଏହା ଆଖଡ଼ାର ଅଧୀନରେ ରହିଆସିଛି । ତେଣୁ ଏହି ଅଞ୍ଚଳକୁ ନିଜର କରିବା ସହିତ ଏଠାରେ ରହିଥିବା ସାମଗ୍ରୀ ଗୁଡ଼ିକର ପରିଚାଳନା ଅଧିକାର ପାଇଁ ନିର୍ମୋହି ଆଖଡ଼ା ଦାବି କରିଥିଲା । ଆଇନଜୀବୀ ଶ୍ରୀ ଜୈନ କହିଥିଲେ, ଶତାଧିକ ବର୍ଷ ଧରି ରାମ ଜନ୍ମସ୍ଥାନ ଏବଂ ଆଭ୍ୟନ୍ତରୀଣ ଅଗଣା ଅଧୀନରେ ଆମେ ରହିଥିଲୁ । ବାହାର ଅଗଣାରେ ‘ସୀତା ରୋଷେଇ’ ଭଣ୍ଡାର ଗୃହ ଆଦି ରହିଥିଲା । ସେଗୁଡ଼ିକ ଆମ ଅଧୀନରେ ଥିଲା ଏବଂ କୌଣସି କ୍ଷେତ୍ରରେ ସେଗୁଡ଼ିକ ବିବାଦୀୟ ନଥିଲା । ବିଚାର ଆରମ୍ଭରେ ଖଣ୍ଡପୀଠ ଆରଏସଏସରେ କେ ଏନ ଗୋବିନ୍ଦାଚାର୍ଯ୍ୟଙ୍କ ଦ୍ୱାରା ମାମଲାର ଲାଇଭ ଷ୍ଟ୍ରିମିଂ ବା ସିଧା ପ୍ରସାରଣ ପାଇଁ ହୋଇଥିବା ଆବେଦନକୁ ଖଣ୍ଡପୀଠ ଖାରଜ କରିଦେଇଥିଲେ । ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠରେ ବିଚାରପତି ଏସ୍ ଏ ବୋବତେ, ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡ଼, ବିଚାରପତି ଅଶୋକ ଭୂଷଣ ଏବଂ ଏସ୍ ଏ ନଜିର ରହିଛନ୍ତି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏଫଏମ୍ଆଇ କଲିଫୁଲ୍ଲାଙ୍କ ନେତୃତ୍ୱରେ ଗଠିତ ମଧ୍ୟସ୍ଥତା କମିଟି ସମାଧାନ ରାସ୍ତା ବାହାର କରିବାରେ ବିଫଳ ହୋଇଥିବା ବିଷୟ ସୁପ୍ରିମ କୋର୍ଟ ଗତ ୨ ତାରିଖରେ ଅବଗତ ହୋଇଥିଲେ । ମଧ୍ୟସ୍ଥତା କମିଟିରେ ଆର୍ଟ ଅଫ ଲିଭିଂର ପ୍ରତିଷ୍ଠାତା ଶ୍ରୀ ଶ୍ରୀ ରବି ଶଙ୍କର ଏବଂ ଖ୍ୟାତନାମା ଆଇନଜୀବୀ ଶ୍ରୀରାମ ପଞ୍ଚୁ ରହିଥିଲେ ।