ଅଧା ରହିଗଲା ପ୍ରେମ କାହାଣୀ, ହାରିଲେ ଜୀବନ

ଅଧା ରହିଗଲା ପ୍ରେମ କାହାଣୀ, ହାରିଲେ ଜୀବନ

ଅଧା ରହିଗଲା ପ୍ରେମ କାହାଣୀ, ହାରିଲେ ଜୀବନ

ଭୁବନେଶ୍ୱର: ଅଧାରେ ରହିଗଲା ଜୀବନ ସାଥୀ ହେବାର ସ୍ୱପ୍ନ । ପ୍ରେମରେ ବାଧକ ସାଜିଲା ଜାତିପ୍ରଥା। ବିବାହ ପାଇଁ ପରିବାର ଲୋକେ ରାଜି ହେଲେନି । ଫଳରେ ଦୁଇଦୁଇଟି ଜୀବନ ଦୀପ ଅଚିରେ ଲିଭିଯାଇଛି । ପ୍ରଥମେ ପ୍ରେମିକ ଆତ୍ମହତ୍ୟା କରିଥିବା ବେଳେ ତା’ର ଠିକ୍ ଦିନକ ପରେ ପ୍ରେମିକା ଆତ୍ମହତ୍ୟା କରିବା ଘଟଣା ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । 

ପରସ୍ପରକୁ ଜୀବନଠୁ ଅଧିକ ଭଲ ପାଉଥିଲେ ଏହି ଦୁଇ ପ୍ରେମୀଯୁଗଳ । ପ୍ରେମ ସମ୍ପର୍କକୁ ଇତିମଧ୍ୟରେ ୪ ବର୍ଷ ବିତିବାକୁ ବସିଥିଲା । ଆଉ କିଛିଦିନ ପରେ ବିବାହ କରିବାକୁ ବି ମନସ୍ଥ କରିଥିଲେ । ମାତ୍ର ପରିବାରର ଅଢ଼ା ଆକଟ ଓ ବିଭିନ୍ନ ପ୍ରକାର ନିର୍ଯାତନା ସେମାନଙ୍କୁ ଚରମ ନିଷ୍ପତ୍ତି ନେବାକୁ ବାଧ୍ୟ କଲା । 

ବାଲିଅନ୍ତା ଥାନା ଅନ୍ତର୍ଗତ ବାଳକାଟି ଫାଣ୍ଡି ଅଧୀନ ପଣସପାଟଣା ଗ୍ରାମର ଗଣେଶ ସାହୁଙ୍କ ସାନ ପୁଅ ଜଗନ୍ନାଥ ସାହୁ ଓରଫ ଜଗା(୨୫)ଗତ ୧୬ ତାରିଖରେ ମଦ ସହିତ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ବେଳେ ଜଗାଙ୍କ ପ୍ରେମିକା ତଥା ବାଲିପାଟଣା ଥାନା ମକୁନ୍ଦାସପୁର ପଞ୍ଚାୟତ ଅନ୍ତର୍ଗତ ଜଣେ ଯୁବତୀ(୨୨ବର୍ଷ) ବେକରେ ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି । 

କିଛିବର୍ଷ ହେବ ଜଗାଙ୍କର ଉକ୍ତ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଜଗା ଗତ ସପ୍ତାହରେ ଯୁବତୀଙ୍କୁ ନେଇ ଆସିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ । ମାତ୍ର ଯୁବତୀଙ୍କ ପରିବାର ରୀତିନୀତିରେ ବିବାହ କରିବାକୁ ଜିଦି ଧରିଥିଲେ । ଅନ୍ୟପକ୍ଷରେ ଏକଥା ଜଗା ତାଙ୍କ ଘରେ କହିବାରୁ ଘର ଲୋକ ତାଙ୍କୁ ବାରଣ କରିବା ସହିତ ବିରୋଧ ବି କରିଥିଲେ । ପ୍ରେମିକାଙ୍କୁ ନପାଇବା ଓ ସ୍ୱପ୍ନ ଭାଙ୍ଗିଯିବାର ଆଶଙ୍କା କରି ଜଗା ନେଇଥିଲେ ଚରମ ପଦକ୍ଷେପ । ୧୬ ତାରିଖ ଦିନ ବାପାଙ୍କ ଜଳଖିଆ ଦୋକାନରେ ମଦ ସହିତ କୀଟନାଶକ ମିଶାଇ ପିଇ ଦେଇଥିଲେ । ଘରକୁ ଚାଲିଚାଲି ଆସୁଥିବା ବେଳେ ବାଟରେ ଟଳିପଡ଼ିଥିଲେ । ତାଙ୍କୁ ବାଳକାଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ମୃତୁ୍ୟ ହୋଇଥିଲା । ଜଗାଙ୍କ ମୃତୁ୍ୟ ଖବର ପାଇବା ପରେ ପ୍ରେମିକା ମାନସିକ ଭାରସାମ୍ୟ ହରାଇଥିଲେ । ରବିବାର ବିଳମ୍ବିତ ରାତିରେ ଓଢ଼ଣୀ ବେକରେ ବାନ୍ଧି ସେ ଝୁଲିପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲିପାଟଣା ପରେ କ୍ୟାପିଟାଲ ହସ୍ପିଟାଲ ନିଆ ଯାଇଥିଲା ।

ମାତ୍ର ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପ୍ରେମପାଇଁ ଅକାଳରେ ଦୁଇ ନିରିହ ଜୀବନ ଚାଲିଯିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ବାଲିପାଟଣା ଥାନା ପୋଲିସ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ତେବେ ଏହି ଘଟଣାକୁ ନେଇ ଉଭୟ ପୁଅ ଓ ଝିଅଙ୍କ ପରିବାର ଲୋକ ଆଦୌ ମୁହଁ ଖୋଲୁ ନାହାନ୍ତି ଉଭୟ ଜଗା ଓ ତାଙ୍କ ପ୍ରେମିକାଙ୍କ ମୃତୁ୍ୟପରେ ଉଭୟଙ୍କ ସାଙ୍ଗସାଥୀ ଓ ଅତି ନିକଟତର ଲୋକଙ୍କ ସୂତ୍ରରୁ ଏହି ଖବର ଜଣା ପଡ଼ିଛି ।