ଅଟା ୨୪୦୦, ଚାଉଳ ୨୭୦୦ ଟଙ୍କା!
ଅଟା ୨୪୦୦, ଚାଉଳ ୨୭୦୦ ଟଙ୍କା!
କାବୁଲ: ଆଫଗାନିସ୍ତାନରେ ଅହେତୁକ ଦର ବୃଦ୍ଧି ଯୋଗୁ ଲୋକେ ତ୍ରାହି ତ୍ରାହି ଡାକିଲେଣି। ସେଠାରେ ଏକ ଅଖାଭର୍ତ୍ତି ଅଟାର ଦାମ ୨୪୦୦ ଟଙ୍କା ହୋଇଥିବା ବେଳେ ଚାଉଳର ଦାମ ୨୭୦୦ ଟଙ୍କା ଛୁଇଁଛି। ଡାଲି, ଖାଇବା ତେଲର ମୂଲ୍ୟ ମଧ୍ୟ ଆକାଶ ଛୁଆଁ ହୋଇଛି। ଖାଦ୍ୟ ମୂଲ୍ୟ ବୃଦ୍ଧି ହେତୁ ଆଫଗାନିସ୍ତାନରେ ମାନବିକ ସଂକଟ ପରିସ୍ଥିତି ଉପୁଜିଛି। ଏଭଳି ଭୟଙ୍କର ଆର୍ଥିକ ବିପତ୍ତି ନେଇ ଜାତିସଂଘ ଭଳି ଅନେକ ଏଜେନ୍ସି ସତର୍କ କରାଇଛନ୍ତି।
ଜଣେ ଦୋକାନୀ ମାଲିକ ସାଇଫୁଲ୍ଲା କହିଛନ୍ତି ଯେ ଖାଦ୍ୟ ଶସ୍ୟ, ତେଲ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟର ଦର ଆକାଶ ଛୁଆଁ ହୋଇଛି। ଆଫଗାନିସ୍ତାନ ଟଙ୍କା ତୁଳନାରେ ଡଲାର ମୂଲ୍ୟ ଅଧିକ ଥିବାରୁ ଏଭଳି ମହଙ୍ଗା ପରିସ୍ଥିତି ଉପୁଜିଛି। ଟୋଲୋ ନ୍ୟୁଜ୍ ଅନୁଯାୟୀ ସାଇଫୁଲ୍ଲା କହିଛନ୍ତି ଯେ, ଆମେ ସମସ୍ତ ସାମଗ୍ରୀକୁ ଡଲାରରେ କିଣି ତା’ପରେ ଆଫଗାନିସ୍ତାନ ମୁଦ୍ରାରେ ବିକ୍ରି କରୁଛୁ। ଆଫଗାନିସ୍ତାନରେ ଗୋଟିଏ ବ୍ୟାଗ ମଇଦାର ମୂଲ୍ୟ ୨୪୦୦ ଟଙ୍କାରେ ବିକ୍ରି ହେଉଛି । ଯେତେବେଳେ କି ୧୬ ଲିଟର ବିଶିଷ୍ଟ ତେଲ ଡିବାର ମୂଲ୍ୟ ୨୮୦୦ ଟଙ୍କା ରହିଛି। ଗୋଟିଏ ବସ୍ତା ଚାଉଳର ମୂଲ୍ୟ ୨୭୦୦ ଟଙ୍କା ହୋଇଛି। ଅତ୍ୟଧିକ ଦର ବୃଦ୍ଧି ଯୋଗୁ ଆଫଗାନିସ୍ତାନର ସାଧାରଣ ଲୋକେ ଦିନକୁ ଦୁଇ ଓଳି ଖାଇବାକୁ ଅସମର୍ଥ ହୋଇଛନ୍ତି।
କାବୁଲର ଶାହା ଆଗା କହିଛନ୍ତି ଯେ, ସେ ଜଣେ ଶ୍ରମିକ ଭାବରେ କାର୍ୟ୍ୟ କରନ୍ତି ଏବଂ ଦିନକରେ ଆଫଗାନିସ୍ତାନ ମୁଦ୍ରା ହିସାବରେ ୧୦୦ରୁ ୧୫୦ ଟଙ୍କା ରୋଜଗାର କରନ୍ତି। ଏଥିରେ ପେଟକୁ ଦାନା ଯୋଗାଡ଼ କରିବା ଅତି କାଠିକର ବୋଲି ସେ କହିଛନ୍ତି । ଆଫଗାନିସ୍ତାନରେ ଖାଦ୍ୟ ସଙ୍କଟକୁ ନେଇ କିଛି ଦିନ ପୂର୍ବେ ନ୍ୟୁୟର୍କ ଟାଇମ୍ସ ଏକ ରିପୋର୍ଟ ପ୍ରକାଶ କରିଥିଲା। ଏଥିରେ ତାଲିବାନ କ୍ଷମତାକୁ ଆସିବାର ଚାରି ମାସ ପରେ ଆଫଗାନିସ୍ତାନରେ କ୍ଷୁଧା ସମସ୍ୟ ଲାଗି ରହିଛି। ରିଲିଫ୍ କାର୍ୟ୍ୟରେ ନିୟୋଜିତ ବହୁ ଏଜେନ୍ସିମାନେ କହିଛନ୍ତି ଯେ, ଶୀତ କାରଣରୁ ଏଠାରେ ଲକ୍ଷ ଲକ୍ଷ ପିଲାଙ୍କର ମୃତ୍ୟୁ ଘଟିପାରେ।




admin 