କେବେ ସୁଧୁରିବ କମଳାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ ସମସ୍ୟା । ଗଛମୂଳରେ ଚାଲିଛି ମଧ୍ୟାହ୍ନ ଭୋଜନ ।
କଟକର ଏକ ସରକାରୀ ସ୍କୁଲରେ ଦେଖିବାକୁ ମିଳିଛି ପୁଣି ଏକ ଅଭାବନୀୟ ଦୃଶ୍ୟ। ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଖାଇବାକୁ କୌଣସି ଘରର ବ୍ୟବସ୍ଥା ନାହିଁ। ବାଧ୍ୟ ହୋଇ ବାରଣ୍ଡା କିମ୍ବା ବାହାରେ ଗଛମୂଳରେ ବସି ଖାଦ୍ୟ ଖାଇବାକୁ ପଡୁଛି। ଯାହାଫଳରେ ଛାତ୍ରଛାତ୍ରୀ ମାନେ ମଧ୍ୟାହ୍ନ ଭୋଜନ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି।
ଏ ହେଉଛି କଟକ ଶିଖରପୁର ଅଞ୍ଚଳରେ ଥିବା କାଳିଆବୁଦାସ୍ଥିତ କମଳାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ । ଯାହା ବର୍ତ୍ତମାନ ବିଭିନ୍ନ ସମସ୍ୟା ମଧ୍ୟରେ ଚାଲିଛି। ଶ୍ରେଣୀଗୃହ ଠାରୁ ଆରମ୍ଭ କରି ଖେଳ ପଡ଼ିଆ ପର୍ଯ୍ୟନ୍ତ ଏକାଧିକ ଅସୁବିଧା ରହିଥିଲେ ମଧ୍ୟ ଦୀର୍ଘଦିନ ଧରି ଏହା ଦୂର ହୋଇ ପାରୁନାହିଁ। ସବୁଠାରୁ ବଡ କଥା ହେଉଛି ଛାତ୍ରଛାତ୍ରୀଙ୍କ ପାଇଁ ଆସୁଥିବା ମଧ୍ୟାହ୍ନ ଭୋଜନ ଖାଇବାକୁ କୌଣସି ଘରର ବ୍ୟବସ୍ଥା ନାହିଁ। ବାଧ୍ୟ ହୋଇ ବାରଣ୍ଡା କିମ୍ବା ବାହାରେ ଗଛମୂଳ ଏବଂ ସାଇକେଲ ଷ୍ଟାଣ୍ଡରେ ବସି ଖାଦ୍ୟ ଖାଇବାକୁ ପଡୁଛି। ୧୯୬୫ ମସିହାରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବିଦ୍ୟାଳୟ ପରିସରରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରଥିବା ବେଳେ; ପ୍ରାୟ ୫୦୦ ବିଦ୍ୟାର୍ଥୀ ପଢୁଛନ୍ତି । ଅନ୍ୟପଟେ ଛାତ୍ରଛାତ୍ରୀ ମାନେ ଅଭିଯୋଗ କରିଛନ୍ତି ଯେ ସେ ଯେଉଁ ଶ୍ରେଣୀରେ ବସି ପାଠ ପଢ଼ୁଛନ୍ତି ସେ ଶ୍ରେଣୀ ଗୃହର ଛାତରୁ ପରସ୍ତେ ପରସ୍ତେ ହୋଇ ଖସିକି ପଡୁଛି ଫଳ ରେ ବର୍ଷା ହେଲେ ସେହିବାଟ ଦେଇ ପାଣି ପଡୁଛି ଫଳରେ ପାଠ ପଢାରେ ବ୍ୟାଘାତ ସ୍ତୃଷ୍ଟି ହେଉଛି। କେବଳ ସେତିକି ନୁହେଁ ବିଦ୍ୟାଳୟ ପରିସରରେ ଜଳ ନିଷ୍କାସନ ବ୍ୟବସ୍ଥା ବିପର୍ଯ୍ୟସ୍ତ ଅବସ୍ଥାରେ ରହିଛି। ଡ୍ରେନ ନିର୍ମାଣ ହୋଇଥିଲେ ସୁଦ୍ଧା ଏହା ସମ୍ପୂର୍ଣ୍ଣ ଭାବେ କରାଯାଇନାହିଁ। ଡ୍ରେନ ନର୍ଦମା ଭର୍ତ୍ତି ହୋଇଥିଲା ବେଳେ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। ମୁଖ୍ୟ ରାସ୍ତାରୁ ବର୍ଷାଜଳ ଆସି ବିଦ୍ୟାଳୟ ପରିସରରେ ଜମୁଛି। ସ୍ଳାବଗୁଡ଼ିକ ଭାଙ୍ଗିଯାଇଛି। ପ୍ରତିଦିନ ଡ୍ରେନ ଦେଇ ଛାତ୍ରଛାତ୍ରୀ ମାନେ ଶ୍ରେଣୀଗୃହକୁ ଯାଉଥିବା ବେଳେ ଅଘଟଣ ଘଟିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଛାତ୍ରଛାତ୍ରୀ ମାନେ ।
ଅନ୍ୟପଟେ ବିପଦକୁ ଡାକୁଛି ଅବ୍ୟବହୃତ କୋଠା । ବିଦ୍ୟାଳୟ ପରିସରରେ ଦୀର୍ଘବର୍ଷ ଧରି ଏକ କୋଠା ଅବ୍ୟବହୃତ ଅବସ୍ଥାରେ ରହିଛି। ପ୍ରାୟ ୫ କୋଠରି ଏଥିରେ ରହିଛି। ବିପଦସଙ୍କୁଳ ସ୍ଥିତିରେ ଥିବାରୁ କୋଠାକୁ ଭାଙ୍ଗିବା ନିମନ୍ତେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ପୁରାତନ ଛାତ୍ର ସଂସଦ ପକ୍ଷରୁ ପୂର୍ତ୍ତ ବିଭାଗ ଅଧିକାରୀ ଏବଂ ତତ୍କାଳୀନ କଟକ ମହାନଗର ନିଗମ କମିସନରଙ୍କୁ ଭେଟିଥିଲେ। ପ୍ରାୟ ୪ ମାସରୁ ଅଧିକ ସମୟ ବିତିଯାଇଛି। କୋଠାରେ ଏବେ ଅଳିଆ ଆବର୍ଜନା ଭର୍ତ୍ତି ହୋଇରହିଛି। ବର୍ଷା ଦିନରେ ସାପର ଭୟ ମଧ୍ୟ ଦେଖାଦେଇଛି। ଛାତ୍ରଛାତ୍ରୀମାନେ ସାପ ବାହାରୁଥିବା ଦେଖିଛନ୍ତି। ଏହା ସତ୍ତ୍ବେ କୋଠା ଭାଙ୍ଗିବାକୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଗତ କିଛି ଦିନ ତଳେ ବିଦ୍ୟାଳୟ ଶ୍ରେଣୀ ଗୃହ ମଧ୍ୟରେ ଏକ ସାପ ପଶି ଯାଇଥିଲା। ବିଦ୍ୟାଳୟ କତୃପକ୍ଷ ସଙ୍ଗେ ସଙ୍ଗେ ସାପ ଧରାଳି କୁ ଡାକଯାଇ ସାପକୁ ଉଦ୍ଧାର କରାଯାଇ ଥିଲା। ଆଗକୁ ଯଦି କିଛି ଅଘଟଣ ଘଟେ ଏଥିପାଇଁ କିଏ ଦାୟୀ ରହିବ ବୋଲି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି ବୋଲି କହିଛନ୍ତି ସ୍କୁଲ ର ପୁରାତନ ଛାତ୍ର ସଂସଦ ର ସଭାପତି ଅରୁଣ କୁମାର ଭୂଇଁଆ।
ତେବେ ଦେଖିବାକୁ ବାକି ରହିଲା ବିଭିନ୍ନ ସମସ୍ୟା ମଧ୍ୟରେ ଚାଲିଥିବା କମଳାକାନ୍ତ ସରକାରୀ ଉଚ୍ଚ ବିଦ୍ୟାଳୟ କେବେ ସରକାରଙ୍କ ଦୃଷ୍ଟି ଆକର୍ଷଣ ହେଉଛି।