ଫେରିଆସିଲା ୮୮% ଦୁଇ ହଜାର ଟଙ୍କିଆ
ମୁମ୍ବାଇ: ଚଳିତ ବର୍ଷ ଜୁଲାଇ ୩୧ ସୁଦ୍ଧା ବ୍ୟାଙ୍କ ପାଖକୁ ୮୮ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ଫେରିଆସିଛି। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୨୦୧୬ରେ ପ୍ରଚଳନ କରାଯାଇଥିବା ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବା ବିଷୟରେ ଚଳିତ ବର୍ଷ ମେ’ ୧୯ରେ ଘୋଷଣା କରାଯାଇଥିଲା ଓ ନୋଟ୍ ବଦଳ ପ୍ରକ୍ରିୟା ମେ’ ୨୩ରୁ ଆରମ୍ଭ ହୋଇଥିଲା। ମେ’୧୯ରେ ବଜାରରେ ୩.୫୬ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ଥିଲା।
ଜୁଲାଇ ୩୧ ସୁଦ୍ଧା ସେଥିରୁ ୩.୧୪ ଲକ୍ଷ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ବ୍ୟାଙ୍କ ପାଖକୁ ଫେରିଆସିଛି। ବଜାରରେ ଆଉ ମାତ୍ର ୪୨ ହଜାର କୋଟି ଟଙ୍କାର ୨୦୦୦ ଟଙ୍କିଆ ରହିଛି। ବ୍ୟାଙ୍କ ପାଖକୁ ଆସିଥିବା ନୋଟ୍ରୁ ୮୭%କୁ ଗ୍ରାହକମାନେ ଖାତାରେ ଜମା କରିଥିବା ବେଳେ ୧୩ ପ୍ରତିଶତ ନୋଟ୍କୁ ବଦଳ କରି ଅନ୍ୟ ନୋଟ୍ ନେଇଛନ୍ତି। ଏହି ବଡ଼ ନୋଟ୍ ବଦଳ ପ୍ରକ୍ରିୟା ସେପ୍ଟେମ୍ବର ୩୦ରେ ଶେଷ ହେବ।




user1 