ଖୁବ୍ ଶୀଘ୍ର ହାଇକୋର୍ଟ ହେବ ସଂପୂର୍ଣ୍ଣ ପେପର୍ଲେସ୍ : ୫୭ ପେପର୍ଲେସ୍ କୋର୍ଟ ଉଦ୍ଘାଟିତ
କଟକ: ଓଡ଼ିଶାର ନ୍ୟାୟ ବ୍ୟବସ୍ଥାରେ ଆଜି ଆଉ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ରାଜ୍ୟରେ ୫୭ଟି ପେପର୍ଲେସ୍ କୋର୍ଟକୁ ଆଜି ମୁଖ୍ୟ ବିଚାରପତି ଡକ୍ଟର୍ ଜଷ୍ଟିସ୍ ଏସ୍. ମୁରଲୀଧର ଉଦ୍ଘାଟନ କରିଛନ୍ତି। ଏଥି ସହିତ ପୋକ୍ସୋ ଆଇନ ଓ ଦୁଷ୍କର୍ମ ମାମଲାର ବିଚାର ପାଇଁ କଟକ, ପୁରୀ, ଯାଜପୁର ଓ ଭୁବନେଶ୍ବରରେ ପ୍ରତିଷ୍ଠା କରାଯାଇଥିବା ଚାରିଟି ଫାଷ୍ଟ ଟ୍ରାକ୍ ସ୍ପେସାଲ୍ କୋର୍ଟକୁ ମୁଖ୍ୟ ବିଚାରପତି ଉଦ୍ଘାଟନ କରିଛନ୍ତି। ଭର୍ଚୁଆଲ ବ୍ୟବସ୍ଥାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟ ବିଚାରପତି କହିଛନ୍ତି ଯେ ତୃତୀୟ ପର୍ଯ୍ୟାୟରେ ଏହି ୫୭ଟି ପେପର୍ଲେସ୍ କୋର୍ଟ ଉଦ୍ଘାଟିତ ହେବା ପରେ ଓଡ଼ିଶାର ନ୍ୟାୟ ବ୍ୟବସ୍ଥା ଆଉ ଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି।
୨୦୨୧, ସେପ୍ଟେମ୍ବର୍ରେ ୩୪ଟି ପେପର୍ଲେସ୍ କୋର୍ଟ ଉଦ୍ଘାଟନ ସହିତ ଏହି ଯାତ୍ରା ଆରମ୍ଭ ହୋଇଥିଲା। ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଜିଲ୍ଲାସ୍ତରରେ ଏତେସଂଖ୍ୟକ ପେପର୍ଲେସ୍ କୋର୍ଟ ହୋଇ ପାରିଛି। ଏହା ଏକ ନାଗରିକ କେନ୍ଦ୍ରିକ ପଦକ୍ଷେପ। ପ୍ରଥମ ଜିଲ୍ଲା ଭାବେ ଗଞ୍ଜାମ ଜିଲ୍ଲାର ମୁଖ୍ୟାଳୟରେ ସମସ୍ତ ଅଦାଲତ ପେପର୍ଲେସ୍ ହୋଇଥିଲା। ଭୁବନେଶ୍ବରର ସମସ୍ତ ଅଦାଲତ ପେପର୍ଲେସ୍ ହେବା ସହିତ ଖୋର୍ଦ୍ଧା ଜିଲ୍ଲା ଏହି କ୍ଷେତ୍ରରେ ଦ୍ବିତୀୟ ଜିଲ୍ଲା ହୋଇଛି।
ଉଭୟ ପ୍ରାଶାସନିକ ଓ ନ୍ୟାୟିକ କ୍ଷେତ୍ରରେ ହାଇକୋର୍ଟ ଖୁବ୍ ଶୀଘ୍ର ସଂପୂର୍ଣ୍ଣ ପେପର୍ଲେସ୍ ହେବାକୁ ଯାଉଛି ବୋଲି ମୁଖ୍ୟ ବିଚାରପତି କହିଥିଲେ। ନୂଆ ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତିଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ ପାଇଁ ମୁଖ୍ୟ ବିଚାରପତି ଆହ୍ବାନ ଦେଇଥିଲେ। ହାଇକୋର୍ଟ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଣ୍ଡ ଆଇଟି କମିଟି ଅଧ୍ୟକ୍ଷ ଜଷ୍ଟିସ୍ ଶୁଭାଶିଷ ତାଳପତ୍ର ଗରିବଙ୍କ ସୁବିଧା ପାଇଁ ବିଚାରବିଭାଗରେ ବୈଷୟିକ ଜ୍ଞନାକୌଶଳର ବ୍ୟବହାରର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଥିଲେ।