ଗଜପତି ମହାରାଜଙ୍କ ସୁନିଆ ଉତ୍ସବ
ରବିବାର ଠାରୁ ରାଜତନ୍ତ୍ର ପରମ୍ପରା ଅନୁସାରେ ଆରମ୍ଭ ହୋଇଛି ନବବର୍ଷ । ରାଜତନ୍ତ୍ର ଲୋପ ପାଇଥିଲେ ବି ପାରମ୍ପରିକ ଭାବରେ ବଞ୍ଚି ରହିଛି ପ୍ରଥା । ସନାତନ ଧର୍ମରେ ପାଞ୍ଜି ଓ ଅଙ୍କ ଗଣନାର ବିଶେଷ ମହତ୍ୱ ରହିଥିବା ବେଳେ ମହାପ୍ରଭୁଙ୍କ ଆଦ୍ୟ ସେବକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କର ଆରମ୍ଭ ହୋଇଛି 68 ଅଙ୍କର ପ୍ରବେଶ । ଚଳିତବର୍ଷ ମହାରାଜ ଗଜପତିଙ୍କ 1432 ସାଲ ପ୍ରବେଶ ହୋଇଛି । ସୁନିଆଁ ଅବସରରେ ଶ୍ରୀନହର ପ୍ରାଙ୍ଗଣରେ ଥିବା କନକ ଦୂର୍ଗାଙ୍କ ମନ୍ଦିରରେ ବିଶେଷ ପୂଜାର୍ଚ୍ଚନା କରାଯାଇଛି। କନକଦୂର୍ଗା, ଶ୍ୟାମାକାଳୀ, ରାଧାକୃଷ୍ଣ ,ନୃସିଂହ ଆଦି ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି ଗଜପତି ମହାରାଜ । ଗଜପତିଙ୍କର ଏହି ପୂଜାକୁ ଦେବାର୍ଚ୍ଚନା କୁହାଯାଏ। ଦେବାର୍ଚ୍ଚନା ଓ ମଙ୍ଗଳାର୍ପଣ ପରେ ଶ୍ରୀନହରରେ ସୁନିଆଁର ବିଶେଷ ପର୍ବ ପାଳିତ ହୋଇଛି। ଗଜପତିଙ୍କ ଉପସ୍ଥିତିରେ ଶ୍ରୀନହରରେ ଅଙ୍କ କଟା ନିତୀ ସମ୍ପାଦନ କରାଯାଇଛି। ଏହି ଅବସରରେ ଶ୍ରୀନହର ପକ୍ଷରୁ ନୂତନ ଅଙ୍କ ପାଇଁ ଏକ ସ୍ୱର୍ଣ୍ଣ ମୁଦ୍ରା ପ୍ରଚଳନ କରାଯିବାର ଅନନ୍ୟ ବିଧି ମଧ୍ୟ ପ୍ରଚଳିତ ରହିଛି। ରାଜଗୁରୁଙ୍କ ଉପସ୍ଥିତିରେ ବରାହ ନୃସିଂହ, ଲକ୍ଷ୍ମୀ ନୃସିଂହ ଆଦି ଦେବା ଦେବୀଙ୍କ ଚିହ୍ନ ଥିବା ମୁଦ୍ରାକୁ ନହର କରଣ ପ୍ରଚଳନ କରାଇବା ସହ ଗଜପତି ମହାରାଜ ଏହାକୁ ଘୋଷଣା କରିଛନ୍ତି ।