ଓଡ଼ିଶାର ଦୁର୍ଗମ ଅଞ୍ଚଳରେ ଫଳୁଛି ବିଦେଶୀ ଫଳ
ଷ୍ଟ୍ରବେରୀ। ଚୀନ୍, ମେକ୍ସିକୋ, ଇଜିପ୍ଟ, ସ୍ପେନ୍, ଋଷ, ପୋଲାଣ୍ଡ, ଜାପାନ୍ ପରି ଦେଶରେ ଦିନେ ଫଳୁଥିଲା ଏହି ଫଳ। ଏବେ କିନ୍ତୁ ଏହି ବିଦେଶୀ ଫଳ ଓଡ଼ିଶାରେ ଫଳୁଛି। ତାହା ପୁଣି ଦୁର୍ଗମ ଅଞ୍ଚଳରେ। ଏଥିପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। କନ୍ଧମାଳର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ଓ ବଣ୍ଡାଘାଟିର ଆଦିମ ଜନଜାତିର ଲୋକମାନେ ଏହି ବିଦେଶୀ ଫଳ ଚାଷ କରୁଛନ୍ତି। ଏଥିରୁ ସେମାନେ ନିଜେ ସ୍ୱାବଲମ୍ୱି ହେବା ସହିତ ରାଜ୍ୟ ପ୍ରଗତିରେ ସହଭାଗୀତା ହେଉଛନ୍ତି।
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସୁଲୁମାହା ଗାଁ। ଏହି ଗାଁର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ପ୍ରାୟ ଅଢ଼େଇ ଏକର ଜମିରେ ଷ୍ଟ୍ରବେରୀ ଚାଷ କରିଛନ୍ତି। ନଭେମ୍ବର ମାସରେ ସେମାନେ ଚାରା ରୋପଣ କରିଥିଲେ। ଚଳିତବର୍ଷ ପାଗ ଭଲ ଥିବାରୁ ଫଳ ମଧ୍ୟ ଭଲ ହୋଇଛି। ଦୁଇ ମାସରେ କ୍ଷେତରେ ଷ୍ଟ୍ରବେରୀ ଭର୍ତ୍ତି ହୋଇଯାଇଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ସବୁ ପ୍ରକାର ସହାୟତା ଦିଆଯାଇଛି। ମହିଳାମାନଙ୍କୁ ଷ୍ଟ୍ରବେରୀ ଚାଷର ତାଲିମ ଦିଆଯାଇଛି। ଏଥିସହ ପ୍ରଶାସନ ପକ୍ଷରୁ ମାଗଣାରେ ଷ୍ଟ୍ରବେରୀ ଚାରା, ତାର ବାଡ, ପଲିଥିନ ଓ ଜଳସେଚନ ବ୍ୟବସ୍ଥା କରାଯାଇଛି।
ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ରଙ୍କ କହିବା ଅନୁସାରେ ଗତବର୍ଷ ପରୀକ୍ଷା ମୂଳକ ଭାବେ ଷ୍ଟ୍ରବେରୀ ଚାଷ କରାଯାଇଥିଲା। ବିଦ୍ୟୁତ୍, କୃଷି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ବିଭାଗ ଓ ସ୍ୱୟଂ ସହାୟଗ ଗୋଷ୍ଠୀର ମହିଳାମାନଙ୍କ ସହଯୋଗରେ ଷ୍ଟ୍ରବେରୀ ଚାଷ କରାଯାଇଥିଲା। ଏଥିରେ ୬ ଲକ୍ଷ ଟଙ୍କା ନିବେଶ କରାଯାଇଥିଲା। ସେଥିରୁ ୨୨ ଲକ୍ଷ ଟଙ୍କା ରୋଜଗାର କରାଯାଇଥିଲା। ଏହା ପରେ ଜଣାପଡ଼ିଥିଲା, ଏହି ଅଞ୍ଚଳରେ ଷ୍ଟ୍ରବେରୀ ଚାଷ ହୋଇପାରିବ। ସେଥିପାଇଁ ଚଳିତବର୍ଷ ଦୁଇଟି ସ୍ଥାନରେ ଷ୍ଟ୍ରବେରୀ ଚାଷ କରିବାକୁ ନିଷ୍ପତ୍ତି ନେଇଥିଲୁ। ଆଉ ଏଥିରେ ସଫଳ ହୋଇଛୁ ବୋଲି ଶ୍ରୀ ପାତ୍ର କହିଛନ୍ତି।




admin 