ଆଜି ବିରଳ ହାଇବ୍ରିଡ୍ ସୂର୍ୟ୍ୟ ପରାଗ
ନୂଆଦିଲ୍ଲୀ : ଆଜି ବିରଳ ହାଇବ୍ରିଡ୍ ସୂର୍ୟ୍ୟ ପରାଗ ଦେଖିବାକୁ ମିଳିବ । ଆଜି ଚନ୍ଦ୍ର ସୂର୍ୟ୍ୟକୁ ଅବରୁଦ୍ଧ କରିବ, ଯାହା ଦ୍ୱାରା ହାଇବ୍ରିଡ୍ ସୂର୍ୟ୍ୟ ପରାଗ ଲାଗିବ । ପରାଗ କିଛି ସ୍ଥାନରେ ଦେଖାଯିବ । ଅନ୍ୟ କିଛି ସ୍ଥାନରେ ବାର୍ଷିକ ସୂର୍ୟ୍ୟ ପରାଗ ହେବ । ହାଇବ୍ରିଡ୍ ସୂର୍ୟ୍ୟ ପରାଗର ସବିଶେଷ ତଥ୍ୟ ପ୍ରଦାନ କରି ନିକଟରେ ନାସା ନିଜ ଇନ୍ଷ୍ଟାଗ୍ରାମ୍ରେ ଉଲ୍ଲେଖ କରିଥିଲା ‘ଅଷ୍ଟ୍ରେଲିଆ ଓ ଦକ୍ଷିଣପୂର୍ବ ଏସିଆର କିଛି ସ୍ଥାନର ଲୋକେ ହାଇବ୍ରିଡ୍ ସୂର୍ୟ୍ୟ ପରାଗ ଦେଖିପାରିବେ । ଏହା ଭାରତ ଓ ପ୍ରଶାନ୍ତ ମହାସାଗର ଉପରେ ଅତିକ୍ରମ କରିବ ।’
ଯେତେବେଳେ ସୂର୍ୟ୍ୟ, ଚନ୍ଦ୍ର ଓ ପୃଥିବୀ ସମ୍ପୂର୍ଣ୍ଣ କିମ୍ବା ଆଶିଂକ ରୂପେ ସରଳରେଖାରେ ରହନ୍ତି, ସୂର୍ୟ୍ୟ ପରାଗ ହୋଇଥାଏ । ଏହା ଦ୍ୱାରା ପୃଥିବୀ ଉପରେ ଏକ ଛାଇ ପଡ଼େ ଏବଂ ସୂର୍ୟ୍ୟର ଉଜ୍ଜ୍ୱଳତା ଲୁଚିଯାଏ । ସ୍ୱତନ୍ତ୍ର ଚକ୍ଷୁ ସୁରକ୍ଷା ଉପକରଣ ବିନା ସୂର୍ୟ୍ୟ ପରାଗକୁ ସିଧାସଳଖ ଦେଖିବା ନିରାପଦ ନୁହେଁ ବୋଲି ନାସା ଇନ୍ଷ୍ଟାଗ୍ରାମ୍ରେ ଉଲ୍ଲେଖ କରିଛି । ନାସା ପରାଗର ପ୍ରକାର ବିଷୟରେ ମଧ୍ୟ ବର୍ଣ୍ଣନା କରିଛି । ପୂର୍ଣ୍ଣ, ବାର୍ଷିକ, ହାଇବ୍ରିଡ୍ ଓ ଆଶିଂକ ପରାଗ ରହିଛି ।
ପୂର୍ଣ୍ଣ ସୂର୍ୟ୍ୟ ପରାଗରେ ଚନ୍ଦ୍ର ସୂର୍ୟ୍ୟକୁ ସମ୍ପୂର୍ଣ୍ଣ ଅବରୁଦ୍ଧ କରେ, ଯାହା ଦ୍ୱାରା ପରାଗ ପଥରେ ସୂର୍ୟ୍ୟର କୋରୋନା(ବାହ୍ୟ ବାୟୁମଣ୍ଡଳ)କୁ ଦେଖିବାର ସୁଯୋଗ ଲୋକେ ପାଇଥାନ୍ତି । ଏକମାତ୍ର ପୂର୍ଣ୍ଣ ସୂର୍ୟ୍ୟ ପରାଗରେ ଦର୍ଶକ ଖାଲି ଆଖିରେ ପରାଗ ଦେଖିପାରିବେ ବୋଲି ନାସା କହିଛି । ବାର୍ଷିକ ପରାଗରେ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପେ ସୂର୍ୟ୍ୟ ସହିତ ଧାଡ଼ିରେ ରହେ, କିନ୍ତୁ ପୃଥିବୀ ପୃଷ୍ଠଠାରୁ ଖୁବ୍ ଦୂରରେ ଥାଏ । ସୂର୍ୟ୍ୟକୁ ଏହା ସମ୍ପୂର୍ଣ୍ଣ ଆବୃତ୍ତ କରିନଥାଏ । ଆଂଶିକ ପରାଗରେ ଚନ୍ଦ୍ର ସୂର୍ୟ୍ୟ ସହିତ ପୂର୍ଣ୍ଣ ସରଳରେଖାରେ ନ ଥାଏ, କେବଳ ଆଂଶିକ ରୂପେ ଏହାର ଉଜ୍ଜ୍ୱଳ ପୃଷ୍ଠକୁ ଘୋଡ଼ାଇଥାଏ ।




admin 